ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ, ୩ ମାସ ପରେ କବରରୁ ବାହାରିଲା ଶବ

ମେଲଛାମୁଣ୍ତା : ବରଗଡ଼ ଜିଲ୍ଲା ମେଲଛାମୁଣ୍ତା ଥାନା ଅର୍ନ୍ତଗତ ଅମାମୁଣ୍ତା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ତ୍ରୀ ଅଭିଯୋଗ କରିବା ପରେ ତିନି ମାସ ପରେ କବର ‌ଖୋଳି ଶବ ବାହାର କରାଯାଇଛି।

ଇଲାଙ୍କ ଅଭିଯୋଗ ଅନୁସାରେ, ଗତ ଏପ୍ରିଲ ୧୮ ତାରିଖ ରାତିରେ ଅର୍ଥାତ ନିର୍ବାଚନର ପୂର୍ବ ଦିନ ତାଙ୍କ ସ୍ବାମୀ ଉଦୟଙ୍କୁ କିଛି ଦୁର୍ବୃତ୍ତ ମଦ ପିଆଇଥିଲେ। କିନ୍ତୁ ସେଥିରେ ବିଷ ମିଶି ଥିବାରୁ ଉଦୟ ଅସୁସ୍ଥ ଅନୁଭବ କଲେ। ତାଙ୍କୁ ତୁରନ୍ତ ପଦ୍ମପୁର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସା ପରେ ଘରକୁ ଫେରିବା ବେଳେ ମହୁଲପାଲି ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଶବ ଗାଁକୁ ଫେରିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଦୁର୍ବୃତ୍ତମାନେ ଇଲାଙ୍କୁ ଧମକଚମକ ଦେଇ ପୁଲିସ୍‌କୁ ଏ ସଂପର୍କରେ ନ ଜଣାଇବାକୁ ଚାପ ପକାଇଥିଲେ। ଏପରିକି ସେ ଗାଁରୁ ଯେମିତି ବାହାରକୁ ନ ଯାଆନ୍ତି, ସେନେଇ ଦୁର୍ବୃତ୍ତମାନେ ତୀକ୍ଷ୍ଣ ନଜର ରଖିଥିଲେ ବୋଲି ଇଲା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

ଇଲାଙ୍କ ଅଭିଯୋଗକୁ ପୁଲିସ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ପଦ୍ମପୁର ଅତିରିକ୍ତ ତହସିଲଦାର ସରିତା ଗୁପ୍ତା ଏବଂ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ କବର ଭାଙ୍ଗି ମାଟି ତଳୁ ଶବଟିକୁ ବାହାର କରାଯାଇଥିଲା। ଶବର ପଂଚନାମା କରି ପଦ୍ମପୁର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣାର ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ଥାନାଧିକାରୀ ସ୍ବପ୍ନାରାଣୀ ଗୋଛାୟତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର