ମାତ୍ର ୩ କିଲୋମିଟର ଯିବା ପାଇଁ ଆମ୍ବୁଲାନ୍ସ ମାଗିଲା ୨ ହଜାର ଟଙ୍କା, ଆମ୍ବୁଲାନ୍ସ ପାଇଁ ପାଖରେ ଟଙ୍କା ନ ଥିବାରୁ ଟ୍ରଲିରେ ୩ କିଲୋମିଟର ବୋହିଲେ ଶବ

ବାଙ୍କୀ : ମାତ୍ର ୩ କିଲୋମିଟର ଯିବା ପାଇଁ ଆମ୍ବୁଲାନ୍ସ ମାଗିଲା ୨ ହଜାର ଟଙ୍କା। ଗରିବ ପରିବାର ପାଇଁ ଏତେ ଟଙ୍କା ଥିଲା ବୋଝ। ସରକାରୀ ହସ୍ପିଟାଲରେ ସହାୟତା ପାଇଁ ସୁଯୋଗ ବି ନଥିଲା। ଫଳରେ ମୃତଦେହକୁ ୩ କିଲୋମିଟର ବୋହି ଘରକୁ ଗଲେ ପରିବାର। ଏଭଳି ଏକ ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଛି କଟକ ଜିଲ୍ଲାର ବାଙ୍କୀ ଉପଖଣ୍ତରେ।

ସୂଚନା ଅନୁଯାୟୀ ବାଙ୍କୀ ଥାନା ଅନ୍ତର୍ଗତ ଚକାପଦା ଗ୍ରାମର ସଂଜୟ ଦାସ ଘରେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ସଂଜୟଙ୍କୁ ପରିବାର ଲୋକେ ବାଙ୍କୀ ଉପଖଣ୍ତ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଙ୍କୀ ଥାନା ପୁଲିସ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଚ୍ଛେଦ କରାଯାଇଥିଲା। ମୃତଦେହ ଅପରାହ୍ନରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ପରିବାର ଲୋକ ଗ୍ରାମକୁ ଶବ ନେବାପାଇଁ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରିଥିବା ବେଳେ ଏଥିପାଇଁ ଦୁଇ ହଜାର ଟଙ୍କା ଦାବି କରିଥିଲେ ଆମ୍ବୁଲାନ୍ସ କର୍ମଚାରୀ। ମୃତ ସଂଜୟଙ୍କ ଭାଇ ବିଜୟ ଦାସ କହିବା ଅନୁଯାୟୀ ଏତେ ଟଙ୍କା ଦେବା ତାଙ୍କ ଭଳି ଗରିବ ଶ୍ରେଣୀର ଲୋକଙ୍କ ପକ୍ଷେ ସମ୍ଭବ ନଥିଲା। ମାତ୍ର ୩ କିଲୋମିଟର ଦୂରକୁ ଏତେ ଟଙ୍କା ଦେବା ପରିବର୍ତ୍ତେ ସେମାନେ ଶବକୁ ଟ୍ରଲିରେ ଲଦି ବାଙ୍କୀ ସହର ଦେଇ ଚକାପଦା ଗାଁକୁ ନେଇ ସତ୍କାର କରିଥିଲେ। ଏ ସଂକ୍ରାନ୍ତରେ ବାଙ୍କୀ ଉପଖଣ୍ତ ଚିକିତ୍ସାଳୟର ଅଧିକାରୀ ଡାକ୍ତର ଧୂଳେଶ୍ବର ପ୍ରଧାନ କହିଛନ୍ତି ଯେ ମୃତକଙ୍କ ପରିବାର ଲୋକ ସେମାନଙ୍କ ଏଭଳି ସମସ୍ୟା ସଂପର୍କରେ ତାଙ୍କ ସହ ଯୋଗାଯୋଗ କରି ନାହାନ୍ତି। ଅନ୍ୟପଟେ ବାଙ୍କୀ ଉପଖଣ୍ତ ଚିକିତ୍ସାଳୟରେ ସରକାରଙ୍କ ପକ୍ଷରୁ ମହାପ୍ରୟାଣ ଯୋଜନା ଅନ୍ତର୍ଗତ କୈାଣସି ଆମ୍ବୁଲାନ୍ସ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର