ଛତୁଆରୁ ବାହାରିଲା ମଲା ଝିଟିପିଟି, ସିଡିପିଓ, ସୁପର୍‌ଭାଇଜର୍‌ଙ୍କୁ କାରଣଦର୍ଶାଅ ନୋଟିସ

କୋରାପୁଟ : ଶିଶୁ ଓ ଗର୍ଭବତୀଙ୍କ ପାଇଁ ଛତୁଆ ପ୍ରସ୍ତୁତି ସମୟରେ ଗହମରୁ ବାହାରିଲା ମଲା ଝିଟିପିଟି। ଖୋଦ୍‌ ଉପଜିଲ୍ଲାପାଳ ଯାଞ୍ଚ କରିବା ସମୟରେ ଏମିତି ଘଟଣା ସାମ୍‌ନାକୁ ଆସିଛି। ଫଳରେ, ଛତୁଆ ପ୍ରସ୍ତୁତ କରୁଥିବା କୋଟପାଡ ବ୍ଲକ କୁସୁମୀ ସରସ୍ବତୀ ସ୍ବଂୟ ସହାୟକ ଗୋଷ୍ଠୀକୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଏଥସହିତ, ସଂପୃକ୍ତ ସିଡିପିଓ ଏବଂ ଆଇସିଡିଏସ ସୁପରଭାଇଜରଙ୍କ ଠାରୁ ରିପୋର୍ଟ ତଲବ ହୋଇଛି।

ଜିଲ୍ଲାର ବିଭିନ୍ନ ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ଗତ ୨୩ ତାରିଖ‌ରେ ସାମଗ୍ରୀ ମିଶ୍ରଣ କରାଯାଇଥିଲା। ଏହି ସମୟରେ ସରକାରୀ ଅଧିକାରୀମାନେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଥିଲା। ଏହାବାଦ୍‌ କୋରାପୁଟ ଓ ଜୟପୁର ଉପଜିଲ୍ଲାପାଳ ମଧ୍ୟ ବିଭିନ୍ନ କେନ୍ଦ୍ର ଯାଇ ପ୍ରସ୍ତୁତିର ଯାଞ୍ଚ କରିଥିଲେ। କୋଟପାଡ ବ୍ଲକ କୁସୁମୀ ସରସ୍ବତୀ ସ୍ବଂୟ ସହାୟକ ଗୋଷ୍ଠୀ ପକ୍ଷରୁ ଛତୁଆ ପ୍ରକ୍ରିୟାକରଣ ସମୟରେ ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳ ବେହେରା ପହଞ୍ଚି ଏହାକୁ ଯାଞ୍ଚ କରିଥିଲେ। ତେବେ ମିଶ୍ରଣ ପାଇଁ ରହିଥିବା ଗହମରେ ମଲା ଝିଟିପିଟି ପଡିଥିବା ସେ ଦେଖିବାକୁ ପାଇଥିଲେ। ଏହାପରେ ଏହି କେନ୍ଦ୍ରରେ ଛତୁଆ ପ୍ରକ୍ରିୟାକରଣ ବନ୍ଦ କରାଯାଇଥିଲା।

ଅପରପକ୍ଷରେ ଏଥିନେଇ ସେ କୋରାପୁଟ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦେଇଥିବା ଜଣାପଡ଼ିଛି। ସମ୍ପୃକ୍ତ ସ୍ବୟଂ ସହାୟକ ଗୋଷ୍ଠୀକୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବାବେଳେ ସିଡିପିଓ ଏବଂ ସୁପରଭାଇଜରଙ୍କ ଠାରୁ ରିପୋର୍ଟ ତଲବ କରାଯାଇଛି।

ସମ୍ବନ୍ଧିତ ଖବର