ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ କାର୍ଯ୍ୟକ୍ରମ ‘ପ୍ରକଟ ବଚନ’ରେ ପ୍ରକଟ ହେଲା ଦୁର୍ନୀତି : ମୃତ ଲୋକ ନେଉଛନ୍ତି ଭତ୍ତା

ବ୍ରହ୍ମପୁର/ଆସିକା : ଭତ୍ତା ଲୁଟ୍‌କୁ ଧରିବା ପାଇଁ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। କାର୍ଯକ୍ରମର ନାଁ ରଖାଯାଇଛି ‘ପ୍ରକଟ ବଚନ’। କାର୍ଯକ୍ରମରେ କିଏ ଭତ୍ତା ପାଉଛନ୍ତି ବା ପାଉନାହାନ୍ତି ସେ ସମ୍ପର୍କରେ ଆଲୋଚନା କରାଯାଉଛି। ତା’ ସହିତ ବେନିୟମ ଭାବେ ଭତ୍ତା ନେଉଥିବା ଲୋକମାନେ ବି ସ୍ବୀକାର କରୁଛନ୍ତି। କାର୍ଯ୍ୟକ୍ରମର ସଫଳତା ସ୍ବରୂପ ଜିଲ୍ଲା ଅନ୍ତର୍ଗତ ଏକ ପଞ୍ଚାୟତ‌େର ମୃତ ଲୋକଙ୍କୁ ଭତ୍ତା ଦିଆଯାଉଥିବା ଜଣାପଡ଼ିଛି।

ଜିଲ୍ଲାପାଳ ଆସନ୍ତା ୨୫ ସୁଦ୍ଧା ଜିଲ୍ଲାର ସବୁ ପଞ୍ଚାୟତରେ ‘ ପ୍ରକଟ ବଚନ ବୈଠକ ସାରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ୱାର୍ଡ଼ସଭ୍ୟ, ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ତତ୍ତ୍ବାବଧାନରେ ପଞ୍ଚାୟତ ଅନ୍ତର୍ଗତ ସବୁ ଗ୍ରାମର ବାସିନ୍ଦା ବୈଠକରେ ଉପସ୍ଥିତ ରହିବା ପାଇଁ କୁହାଯାଇଛି। ନିକଟରେ ଜିଲ୍ଲାର ଆସିକା ବ୍ଲକ୍‌ ଅନ୍ତର୍ଗତ ଦେବଭୂମି ପଞ୍ଚାୟତର ‘ପ୍ରକଟ ବଚନ’ ବୈଠକ ବସିଥିଲା। ବୈଠକରେ ମୃତ କମଳା ସାହୁଙ୍କ ନାମରେ ୨୫ଶହ, ଶଶି ବେହେରାଙ୍କ ନାମରେ ୧୫ ଶହ, ଶଶି ନାହାକଙ୍କ ନାମରେ ୧୫ଶହ, ଅହଲ୍ୟା ପାଣିଗ୍ରାହୀଙ୍କ ନାମରେ ୧ ହଜାର ଓ ବାଇଧର ସାହୁଙ୍କ ନାମରେ ୫ଶହ ହଡ଼ପ ହୋଇଥିବା ଜଣାପଡ଼ିଥିଲା। ମିଥ୍ୟା ତଥ୍ୟ ଦେଇ ମୃତକଙ୍କ ସମ୍ପର୍କୀୟମାନେ ଏହି ଅର୍ଥ ହଡ଼ପ କରିଥିବା ସ୍ବୀକାର କରିଥିଲେ। ଏହି ସ୍ବୀକାରୋକ୍ତି ସହିତ ୫ ଜଣ ହିତାଧିକାରୀଙ୍କ ପରିବାର ୭ ହଜାର ଟଙ୍କା ଆଦାୟ କରି ପଞ୍ଚାୟତ ଆକାଉଣ୍ଟରେ ଜମା କରିଥିବା ଜଣାପଡ଼ିଛି।

ଗୋଟିଏ ପଟେ ଜାଲ୍‌ ହିତାଧିକାରୀମାନେ ସିନା ସ୍ବୀକାର କରିଛନ୍ତି, ଅନ୍ୟପଟେ ସମ୍ପୃକ୍ତ ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀ କିଭଳି ଜାଣିପାରିଲେନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ, କାର୍ଯ୍ୟରେ ଅବହେଳା ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ,ଗତ ଅଗଷ୍ଟ ମାସରେ ଆସିକା ବ୍ଲକ ଖଣ୍ଡଦେଉଳି ପଞ୍ଚାୟତରେ ମୃତକଙ୍କ ଜାଲ୍‌ ଦସ୍ତଖତ କରି ପଞ୍ଚାୟତ ନିର୍ବାହୀ ଅଧିକାରୀ ଟଙ୍କା ହଡ଼ପ କରିଥିବା କଥା ପଦାକୁ ଆସିଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀ ୧୪ ମାସ ମଧ୍ୟରେ ମରିଥିବା ୧୪ ଜଣ ହିତାଧିକାରୀଙ୍କ ଜାଲ୍‌ ଦସ୍ତଖତ କରି ମୋଟ ୬୨ ହଜାର ୪ ଶହ ଟଙ୍କା ଆତ୍ମସାତ କରିଥିବା ଜଣାପଡ଼ିଥିଲା। ଗତ ଏକ ବର୍ଷ ହେଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ଚଞ୍ଚକତା କରି ଅତି ଚତୁରତାର ସହ ଟଙ୍କା ହଡ଼ପ କରି ଚାଲିଥିଲେ। ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଥିଲା। ଏହି ଘଟଣାର କିଛି ଦିନ ନ ବିତୁଣୁ ଦେବଭୂମି ପଞ୍ଚାୟତରେ ମୃତ ଲୋକଙ୍କ ନାମରେ ଭତ୍ତା ଅର୍ଥ ହଡ଼ପ ଘଟଣା ପଦାକୁ ଆସିଛି। ଅନ୍ୟପକ୍ଷରେ, ଜିଲ୍ଲାପାଳଙ୍କ ଏହି ‘ପ୍ରକଟବଚନ’ କାର୍ଯକ୍ରମରେ ସବୁ ମହଲରେ ଉଚ୍ଚପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର