ସୂଚନା ଅଧିକାର ଆଇନ ଖୋଲିଲା ଗୁମର : ୧୦ ବର୍ଷ ଧରି ମୃତବ୍ୟକ୍ତି ନେଉଥିଲା ରାସନ

ଦାନଗଦୀ : ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ସରକାର ଯୋଗାଇ ଦେଉଛନ୍ତି ସ୍ୱଳ୍ପ ମୂଲ୍ୟରେ ରାସନ। ହେଲେ ଅନେକ କ୍ଷେତ୍ରରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ଘୋଟାଲା ହେଉଛି। ଏଭଳି କି ମୃତ ବ୍ୟକ୍ତିଙ୍କ ନାମରେ ଚାଉଳ, କିରାସିନି ଉଠାଇ ହଡ଼ପ କରାଯାଉଛି। ମାସେ କି ବର୍ଷେ ନୁହେଁ ଜଣେ ବ୍ୟକ୍ତି ମରିବା ପରେ ୧୦ ବର୍ଷ ପର୍ଯ୍ୟନ୍ତ ତାଙ୍କ ନାମରେ ଉଠାଯାଇଛି ଚାଉଳ କିରାସିନି। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅଞ୍ଚଳରେ। ମୃତ ବ୍ୟକ୍ତିଙ୍କ ନାମରେ ୨୦୦୫ରୁ ୨୦୧୫ ମଧ୍ୟରେ ୩୦ କ୍ୱିଣ୍ଟାଲ ବିପିଏଲ ଚାଉଳ ଓ ୩୬୦ ଲିଟର କିରାସିନି ହଡ଼ପ ହୋଇଛି। ତେବେ ଏ ନେଇ ସଂପୃକ୍ତ ହଡପକାରୀ ଓ ଡିଲରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ଦାନଗଦୀ ବ୍ଲକ୍‌ ରାଛିପୁର ପଞ୍ଚାୟତ ସଦର ମହକୁମା ଗ୍ରାମର କାଳନ୍ଦୀ ଚରଣ ମହଲଙ୍କ ୨୦୦୫ ମେ ମାସ ୮ ତାରିଖରେ ମୃତ୍ୟୁ ଘଟିଥିଲା। ତେବେ ତାଙ୍କର ବିପିଏଲ ନମ୍ବର ୭୯୦୧, କାର୍ଡ ନମ୍ବର ୫୫୩୮୫୩ରେ ୨୦୧୫ ମସିହା ପର୍ଯ୍ୟନ୍ତ ଚାଉଳ ଓ କରାସିନି ଉଠାଯାଇଛି । କାଳନ୍ଦୀଙ୍କ ପରିବାରର କେହି ନଥିବା ବେଳେ ଏହି ରାସନ୍‌ ସାମଗ୍ରୀ କିଏ ନେଇଛି ବୋଲି ପୁତୁରା ବିଶ୍ୱମ୍ବର ମହଲ ପ୍ରଶ୍ନ କରିଥିଲେ। ତେବେ ଏହାର ସଠିକ୍‌ ଜବାବ ନପାଇବାରୁ ସେ ସୂଚନା ଅଧିକାର ଆଇନର ଆଶ୍ରୟ ନେଇଥିଲେ। ରିଟେଲର ଚିନ୍ତାମଣୀ ବିଶ୍ୱାଳ ଜଣାଇଛନ୍ତି ଯେ ୨୦୦୮ ଅଗଷ୍ଟ ମାସରୁ ୨୦୧୫ ଅଗଷ୍ଟ ମାସ ପର୍ଯ୍ୟନ୍ତ କାଳନ୍ଦୀଙ୍କ ପରିବାର ଲୋକେ ୨୧ କ୍ୱିଂଟାଲ ୨୫ କିଲୋଗ୍ରାମ ଚାଉଳ ଓ ୨୨୫ ଲିଟର କିରାସିନି ନେଇଛନ୍ତି। ତେବେ ଏହି ରାସନ ସାମଗ୍ରୀ କିଏ ନେଇଥିଲା ସ୍ପଷ୍ଟ କରାଯାଇ ନାହିଁ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ବିକ୍ରୟ ଖାତାର ନକଲରେ ହିତାଧିକାରୀଙ୍କ ସ୍ୱାକ୍ଷର ସ୍ଥାନରେ ବି. ମହଲ ବୋଲି ଉଲ୍ଲେଖ ରହିଛି । ଏହାସହ କାଳନ୍ଦୀଙ୍କ ୨୦୦୫ ମସିହାରେ ମୃତ୍ୟୁ ଘଟିଥିବା ବେଳେ ୨୦୦୮ ଅଗଷ୍ଟ ମାସ ପର୍ଯ୍ୟନ୍ତ ରାସନ ସାମଗ୍ରୀକୁ କିଏ ନେଉଥିଲା ତାହା ମଧ୍ୟ ସ୍ୱଷ୍ଟ ଜଣାପଡିନାହିଁ । ଏହି ୧୦ ବର୍ଷ ଭିତରେ ୩୦କ୍ୱିଣ୍ଟାଲ ଚାଉଳ ଓ ୩୬୦ ଲିଟର କିରାସିନି କାଳନ୍ଦୀଙ୍କ ଶବ ଆସି ନେଉଥିଲା କି ବୋଲି ପ୍ରଶ୍ନ ଉଠୁଛି। ତେବେ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହେବା ପରେ ମୃତ ବ୍ୟକ୍ତି ଜଣକ ଏହି ପ୍ରକ୍ରିୟାରୁ ବାଦ୍‌ ପଡ଼ିଥିଲେ। ତେଣୁ ଏହାପରେ ଆଉ ତାଙ୍କ ନାମରେ ରାସନ୍‌ ଉଠି ନଥିବା ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ବି. ମହଲ ନାମରେ କିପରି ଦସ୍ତଖତ କରାଯାଉଥିଲା ସେ ବି. ମହଲ ଜଣଙ୍କ କିଏ, କାହିଁକି ସଂପୂର୍ଣ୍ଣ ନାମ ଦସ୍ତଖତ କରୁନଥିଲେ ଏପରି ନାନା ପ୍ରଶ୍ନ ଉଙ୍କି ମାରିଛି । ସଂପୃକ୍ତ ରିଟେଲର ଓ ହଡପକାରୀଙ୍କ ସଲାସୁତରାରେ ଦୀର୍ଘ ୧୦ ବର୍ଷ ଧରି ଜଣେ ମୃତ ବ୍ୟକ୍ତିଙ୍କ ନାମରେ ରାସନ୍‌ ସାମ୍ରଗୀ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ପୁତୁରା ବିଶ୍ୱମ୍ବର ମହଲ ଏହାର ବିଧିବଦ୍ଧ ତଦନ୍ତ ସହ ହଡ଼ପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର