୨୦୧୯ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ଲକ୍ଷ୍ୟ : ଜାଇକାର ୭୫% କାମ ସରିଛି

ନର୍ଦମା ପାଇପ୍‌କୁ ମୁଖ୍ୟ ଚ୍ୟାନେଲ୍‌ ସହ ସଂଯୋଗକୁ ଗୁରୁତ୍ୱ

ଭୁବନେଶ୍ୱର : କଟକ ଏବଂ ଭୁବନେଶ୍ୱର ଦ୍ୱୈତନଗରୀରେ ଚାଲିଥିବା ଜାଇକା ସମନ୍ଵିତ ପରିମଳ ବିକାଶ ପ୍ରକଳ୍ପର କାର୍ଯ୍ୟ ପ୍ରାୟ ୭୫ ପ୍ରତିଶତ ସରିଛି। ଆସନ୍ତା ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ କଟକ ସହରର ୪ଟି ସ୍ୱିରେଜ୍‌ ଜୋନ୍‌କୁ ପୂର୍ଣ୍ଣାଙ୍ଗ କରି କାର୍ଯ୍ୟକ୍ଷମ କରାଯିବ। ୨୦୧୯ ମାର୍ଚ ସୁଦ୍ଧା ସମଗ୍ର ପ୍ରକଳ୍ପଟି କାର୍ଯ୍ୟକ୍ଷମ କରାଯିବ।

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଜାପାନ ଇଣ୍ଟରନ୍ୟାସନାଲ୍‌ କୋଅପରେସନ୍‌ ଏଜେନ୍ସିଂ(ଜାଇକା)ର ଆର୍ଥିକ ସହାୟତାରେ ଚାଲିଥିବା ପରିମଳ ବିକାଶ ପ୍ରକଳ୍ପର ଅଗ୍ରଗତି ନେଇ ଉଚ୍ଚସ୍ତରୀୟ ଷ୍ଟିଅରିଂ କମିଟି ବୈଠକରେ ସମୀକ୍ଷା କରିଥିଲେ। ସମୀକ୍ଷା ଅବସରରେ ୨୦୧୯ ମାର୍ଚ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏହା ସହିତ ପୂର୍ଣ୍ଣାଙ୍ଗ ହେଉଥିବା ଜୋନ୍‌ଗୁଡିକରେ ମୁଖ୍ୟ ଚ୍ୟାନେଲ୍‌ ସହ ଘରୋଇ ପାଇଖାନାଗୁଡିକର ସଂଯୋଗ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ଏଥିନିମନ୍ତେ ସଂପୃକ୍ତ ଅଞ୍ଚଳର ଲୋକେ ନିଜ ନିଜ ଘରୋଇ ନର୍ଦମା ପାଇପ୍‌କୁ ମୁଖ୍ୟ ଚ୍ୟାନେଲ୍‌ ସହ ସଂଯୋଗ କରାଇନେବାକୁ ପରାମର୍ଶ ଦେବା ପାଇଁ ଶ୍ରୀ ପାଢ଼ୀ ବିଭାଗୀୟ ସଚିବଙ୍କୁ ନିର୍ଦେର୍ଶ ଦେଇଥିଲେ। ଏହି ପ୍ରକଳ୍ପ ନେଇ ଧାର୍ଯ୍ୟ କାର୍ଯ୍ୟାନ୍ଵୟନ ଚୁକ୍ତିନାମା ସମୟ ସାରଣୀ ସର୍ତର କଡ଼ାକଡ଼ି ଅନୁପାଳନ ପାଇଁ ମଧ୍ୟ ସେ ନିର୍ଦେଶ ଦେଇଥିଲେ।

ବୈଠକରେ ବିଭାଗୀୟ ସଚିବ ଜି.ମାଥିଭାଥନନଙ୍କ ସୂଚନାନୁସାରେ ଗତ ଜୁଲାଇ ମାସ ଶେଷ ସୁଦ୍ଧା କଟକ ଓ ଭୁବନେଶ୍ୱରରେ ପ୍ରାୟ ୭୦ ପ୍ରତିଶତ କାମ ସରିଛି। କଟକରେ ପ୍ୟାକେଜ୍‌-୨ ଅନ୍ତର୍ଗତ ସମୁଦାୟ ୩୫୬ କି.ମି. ନର୍ଦମା ପାଇପ୍‌ରୁ ୨୬୭ କି.ମି. କାମ ସରିଛି। ଭୁବନେଶ୍ୱରରେ ୨୨୯ କି.ମି. ନର୍ଦର୍ମା କାମରୁ ୧୬୦ କି.ମି. କାମ ସରିଛି। ଉଭୟ ସହରରେ ୩ଟି ନର୍ଦର୍ମା ପ୍ରକ୍ରିୟାକରଣ ପ୍ଲାଣ୍ଟ୍‌ ଏବଂ ୫୬ଟି ପମ୍ପିଂ ଷ୍ଟେସନ୍‌ର ନିିର୍ମାଣ କାମ ମଧ୍ୟରୁ ପୂର୍ଣ୍ଣାଙ୍ଗ ହୋଇଛି ପ୍ରାୟ ୬୬ ପ୍ରତିଶତ କାମ। ଇତିମଧ୍ୟରେ ପ୍ରକଳ୍ପ ନେଇ ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ଆଇନଗତ ସ୍ୱୀକୃତି ସମସ୍ୟା ଗୁଡିକର ମଧ୍ୟ ସମାଧାନ ହୋଇଛି।

ବୈଠକରେ କଟକ ସହରର ପ୍ରକଳ୍ପ ପୂର୍ଣ୍ଣାଙ୍ଗ ଏବଂ କାର୍ଯ୍ୟକ୍ଷମ ନିିମନ୍ତେ ଜୋନ୍‌ଓ୍ଵାରୀ କାର୍ଯ୍ୟ ଯୋଜନା ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଜୋନ୍‌ -୧ ଏବଂ ୨ କୁ ଚଳିତ ବର୍ଷ ଅକ୍ଟୋବର, ଜୋନ୍‌-୩ ଏବଂ ୬ କୁ ଡିିସେମ୍ବର ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ କରାଯିବ। ସେହିପରି ଜୋନ୍‌୍‌-୫ ଏବଂ ୭କୁ ୨୦୧୯ ମାର୍ଚ୍ଚ ମଧ୍ୟରେ ପୂର୍ଣ୍ଣାଙ୍ଗ କରିବାକୁ କାର୍ଯ୍ୟ ଯୋଜନାରେ ସ୍ଥିର ହୋଇଛି। ଜୋନ୍‌୍‌-୪ ନର୍ଦମା ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ଭୁବନେଶ୍ୱରର ୩ଟି ଜୋନ୍‌୍‌ ମଧ୍ୟରୁ ୧ ନମ୍ବର ଜୋନ୍‌୍‌ର କାମ ଚଳିତ ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ଶେଷ କରିବାକୁ ଯୋଜନାରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରକଳ୍ପ ନିର୍ଦେଶକ ବସନ୍ତ କୁମାର ପରିଡ଼ା ଜଣାଇଥିଲେ ଯେ ଇତି ମଧ୍ୟରେ ବର୍ଷାଜଳ ନିଷ୍କାସନ ନିମନ୍ତେ କଟକ ତୁଳସୀପୁର ପମ୍ପ ହାଉସ୍‌ କାର୍ଯ୍ୟକ୍ଷମ ହୋଇଛି। ପୁଲିସ୍‌ କଲୋନୀ, ଗୁଲ୍‌ଗୁଲି, ବିଦ୍ୟାଧରପୁର ଆଦି ସ୍ଥାନରେ ପମ୍ପ ହାଉସର କାର୍ଯ୍ୟ ୯୮ରୁ ୯୯ ପ୍ରତିଶତ ସରିଛି। ଖୁବ୍‌ଶୀଘ୍ର ଏଗୁଡିକ କାର୍ଯ୍ୟକ୍ଷମ ହେବ।

ସମ୍ବନ୍ଧିତ ଖବର