ପୁରୀ: ଏବେ ବି ଶ୍ରୀମନ୍ଦିରରେ ଅଚଳାବସ୍ଥା ଜାରି, ଠାକୁରେ ଉପାସରେ

ପୋତାଗଲା ଅମୁଣିହା ଭୋଗ, ୫୦ ଲକ୍ଷ କ୍ଷତିପୂରଣ ପାଇଁ ସୁଆରମାନଙ୍କ ଦାବି, ବିଧାନସଭାରେ ଶ୍ରୀମନ୍ଦିର ପ୍ରସଙ୍ଗନେଇ ହୋ ହଲ୍ଲା, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ପୁରୀ/ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ନୀତି ବିଭ୍ରାଟ ଯୋଗୁଁ ସୃଷ୍ଟି ହୋଇଥିବା ଅବ୍ୟବସ୍ଥା ଓ ତତ୍‌ଜନିତ ଅଚଳାବସ୍ଥା ଜାରି ରହିଛି। ଆଜି ଦିନ ସାଢ଼େ ୧ଟା ସୁଦ୍ଧା ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତି ଆରମ୍ଭ ହୋଇ ପାରି ନାହିଁ। ଗତକାଲି ରାତିରେ ଶ୍ରୀଜୀଉମାନଙ୍କ ପହୁଡ଼ ପଡ଼ି ପାରି ନ ଥିବା ବେଳେ ଆଜି ସକାଳୁ କିନ୍ତୁ ମଙ୍ଗଳଆଳତି ଓ ଅନ୍ୟାନ୍ୟ ନୀତି ଠକ୍‌ ଭାବେ ହୋଇଛି। ମାତ୍ର ରୋଷ ଘର ଭିତରେ ଅମୁଣିହା ଭୋଗ ରହି ଯାଇଥିବାରୁ ଏ ପର୍ଯ୍ୟନ୍ତ ରୋଷ ହୋମ ଓ ସୂର୍ଯ୍ୟପୂଜା ଆରମ୍ଭ ହୋଇ ପାରିନାହିଁ। ଫଳରେ ଆଜି ସକାଳୁ ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତ ହୋଇ ପାରି ନାହିଁ। ତେବେ ଇତିମଧ୍ୟରେ ଶ୍ରୀମନ୍ଦିର ଉପବନରେ ଅମୁଣିହା ଭୋଗ ପୋତା କାମ ଜାରି ରହିଥିବା ଜଣାପଡ଼ିଛି।

ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବିବାଦ ହେତୁ ଶ୍ରୀମନ୍ଦିରରେ ଅଚଳାବସ୍ଥା ଜାରି ରହିଥିବା ବେଳେ ଗତକାଲିର କ୍ଷତିପୂରଣ ବାବଦକୁ ସୁଆର ମହାସୁଆରମାନେ ୫୦ ଲକ୍ଷ ଟଙ୍କା ସେମାନଙ୍କୁ ଦେବା ପାଇଁ ଅଡ଼ି ବସିଛନ୍ତି। ଅପରପକ୍ଷେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଛନ୍ତି ଯେ ଗତକାଲି ନୀତି ବିଭ୍ରାଟ ହୋଇଛି ନିଶ୍ଚୟ। କିଏ ନୀତି ବିଭ୍ରାଟ କରିଛନ୍ତି , ତାର ତଦନ୍ତ କରାଯିବ। ତେବେ ମହାପ୍ରଭୁଙ୍କ ସେବା ପାଇଁ ସମସ୍ତ ସେବାୟତ ଆଗେଇ ଆସିବାକୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି।

ସେହିପରି ଶ୍ରୀମନ୍ଦିର ଅଚଳାବସ୍ଥାକୁ ନେଇ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି। ବିରୋଧୀ ବିଧାୟକମାନଙ୍କ ହୋ ହଲ୍ଲା ଯୋଗୁଁ ଗୃହ କାର୍ଯ୍ୟ ଚାଲି ପାରି ନାହିଁ। ଏ ନେଇ ବାଚସ୍ପତି ସର୍ବଦଳୀୟ ବୈଠକ ଡ଼କାଇଛନ୍ତି।

ଗତକାଲି ସକାଳ ୫ଟା ୪୦ରେ ଦ୍ୱାର ଫିଟା ଯିବା ପରଠାରୁ ଗୋଟିଏ ପରେ ଗୋଟିଏ ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ନେଇ ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହୋଇଥିଲା।ହେଲେ ବିବାଦ ତୁଟିବା ପରିବର୍ତ୍ତେ ବଢିବାରୁ ସ୍ଥିତି ଅଣାୟତ୍ତ ହୋଇଥିଲା। ମହାପ୍ରଭୁଙ୍କୁ ସକାଳ ଭୋଗ ଲାଗି ଅପରାହ୍ନରେ ହୋଥିଲା। ମାତ୍ର ତା ପରଠାରୁ ବିବାଦ ବଢ଼ିବାରୁ ରାତିସାରା ମହାପ୍ରଭୁ ରତ୍ନସିଂହାସନରେ ଉପାସରେ ବସି ରହିଥିିଲେ।

ଉଲ୍ଲେଖଯୋଗ୍ୟ, ହାଇକୋର୍ଟ ଗତ ୧୦ ତାରିଖ ଦିନ ଏପ୍ରିଲ ୧୬ ତାରିଖ ପୂର୍ବରୁ ଜଗମୋହନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ନିର୍ଦ୍ଦେଶକୁ ପାଳନ କରି ଜଗମୋହନ ଖୋଲାଯାଇଥିଲା। ମାତ୍ର ହାଇକୋର୍ଟ କଟକଣା କରିଥିଲେ ଯେ କେବଳ ପାଳିଆ ସେବକ ଭିତରକୁ ଯିବେ। ଶ୍ରୀମନ୍ଦିର ସଂସ୍କାର କମିସନଙ୍କ ଅନ୍ତରୀଣ ରିପୋର୍ଟ ସୁପାରିସକୁ କାର୍ଯ୍ୟକାରୀ କରିବା ଲାଗି ସରକାର ନିଷ୍ପତ୍ତି ନେଇଥିବା ପରିପ୍ରେକ୍ଷୀରେ ଏଭଳି ନିର୍ଦେଶନାମା ଜାରି କରାଯାଇଥିଲା। ଏହାକୁ ଆଳ କରି ଗତକାଲି ଶ୍ରୀମନ୍ଦିରରେ ବିଭ୍ରାଟ ଜନ୍ମ ନେଇଥିଲା।

ସେବାୟତଙ୍କର କହିବା କଥା ହେଉଛି, ରେକର୍ଡ ଅଫ୍‌ ରାଇଟ୍‌ସ ଅନୁସାରେ ନୀତିକାନ୍ତି ଚାଲିବ ବୋଲି କୁହାଯାଇଛି। ଏଥିରେ ସେବାୟତମାନଙ୍କୁ ଡାକିବା ଲାଗି ଯେଉଁ ବ୍ୟବସ୍ଥା ରହିଛି, ତାର ଅନୁପାଳନ ନ ହେବା କାରଣରୁ ନୀତି ବିଳମ୍ବ ହୋଇଥିଲା।। ସେହିଭଳି ପାଳିଆ ସିଂହାରୀଙ୍କ ଅଶୌଚ ହୋଇଥିଲା। କିନ୍ତୁ ଯେହେତୁ ପାଳିକା ସେବକ କେବଳ ଯିବାକୁ ନିୟମ କରାଯାଇଛି, ଏଣୁ ଅନ୍ୟମାନେ ପ୍ରବେଶ କରି ନ ଥିଲେ। ଫଳରେ ନୀତିରେ ବିଭ୍ରାଟ ଉପୁଜିଥିଲା। ନୀତି ବିଳମ୍ବ ହେବାରୁ ରୋଷ ଘରେ ପ୍ରସ୍ତୁତ ଅବଢ଼ାକୁ ରଖି ସୁଆରମାନେ ଯାଇ ଶ୍ରୀମନ୍ଦିର ସାମ୍ନାରେ ସୁଆରମାନେ ଧାରଣା ଦେଇଥିଲେ।

ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ, ରୋଷ ଘରେ ଥିବା ଅମୁଣିହା ଭୋଗକୁ ରୋଷ ଘରୁ ବାହାର କରାଯିବା ପାଇଁ ସମ୍ମତି ପ୍ରକାଶ ପାଇଛି।ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମସ୍ତ ଅମୁଣିହା ଭୋଗକୁ କୋଇଲି ବୈକୁଣ୍ଠରେ ପୋତା ଯାଇଛି। ଅମୁଣିହା ଭୋଗ ବାହାର କରାଯିବା ପରେ ରୋଷ ହୋମ, ସୂର୍ଯ୍ୟ ପୂଜା କରାଯାଇ ଶ୍ରୀଜୀଉଙ୍କ ଭୋଗ ପ୍ରସ୍ତୁତି କରାଯିବ। ତେବେ ଏବେ ବି ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ସୁଆରମାନେ ଅଡ଼ି ବସିଛନ୍ତି। ଫଳରେ ଶ୍ରୀମନ୍ଦିରରେ ନୀତିକାନ୍ତି ନେଇ ଅଚଳାବସ୍ଥା ଦୂର ହୋଇ ନାହିଁ। ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବାରୁ ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର