ହରିଣ ପାଇଁ ବିଶ୍ବବିଦ୍ୟାଳୟରେ ମୁଣ୍ଡବ୍ୟଥା

୧୦ ଲକ୍ଷ ଜମା ସତ୍ତ୍ବେ ଗଜପତି ସ୍ଥାନାନ୍ତର ପ୍ରକ୍ରିୟା ବିଳମ୍ବ, ବିଶ୍ବବିଦ୍ୟାଳୟ ଖର୍ଚ୍ଚ କରୁଛି ବାର୍ଷିକ ୫ ଲକ୍ଷ

ବ୍ରହ୍ମପୁର,: ୩୦ ବର୍ଷ ତଳେ ସୌନ୍ଦର୍ଯ୍ୟ ପାଇଁ ଯେଉଁ ହରିଣ ରଖିଥିଲେ, ତାହା ଏବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ହରିଣଙ୍କୁ ସ୍ଥାନାନ୍ତର ପାଇଁ ଚିଠି ଲେଖାଯାଇଥିଲେ ମଧ୍ୟ ବନ ବିଭାଗ ଶୁଣୁନାହିଁ। ଫଳରେ, ହରିଣଙ୍କ ଖାଦ୍ୟପେୟ, ରକ୍ଷଣାବେକ୍ଷଣ ବାବଦରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତହବିଲରୁ ବାର୍ଷିକ ୫ ଲକ୍ଷ ଟଙ୍କା ଗଣୁଛନ୍ତି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରାଣୀ ଉଦ୍ୟାନ ପରିସରରେ ରହିଛି ହରିଣ ପାର୍କ। ଭୁବନେଶ୍ବର ରାଜଭବନ ହରିଣ ପାର୍କରୁ ୨ଟି ହରିଣ ଅଣାଯାଇ ୧୯୮୯ ମସିହାରେ ଏହି ପାର୍କ ପ୍ରତିଷ୍ଠା ହୋଇଥିଲା। ୨.୦୨ ଏକର ପରିମିତ ଇଲାକାରେ ପ୍ରତିଷ୍ଠିତ ଏହି ପାର୍କ ବିଶ୍ବବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ଅଧୀନରେ ରହିଛି। ହରିଣ ପାର୍କ ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ (ସିଜେଡ୍‌ଏ) ମଧ୍ୟ ୨୦୧୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନୁମତି ଦେଇଥିଲେ। ଅବଧି ସରିବା ପରେ ଅନୁମତି ନବୀକରଣ ହୋଇ ନ ଥିଲା, କିନ୍ତୁ ପାର୍କ ଚାଲିଥିଲା। ହରିଣ ସ˚ଖ୍ୟା ବୃଦ୍ଧି ଏବ˚ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଦିନକୁ ଦିନ ପାର୍କର ସ୍ଥିତି ବିଗିଡ଼ିବାରେ ଲାଗିଲା।

୨୦୧୩ ମାର୍ଚ୍ଚ ମାସରେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ପାର୍କର ଅନୁମତି ପ୍ରତ୍ୟାହାର କରି ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଲେ। ହେଲେ ୨୦୧୩ ଫାଇଲିନ ମହାବାତ୍ୟା ପାର୍କର ସ୍ଥିତି ସମ୍ପୂର୍ଣ୍ଣ ବିଗାଡ଼ି ଦେଲା। ପାର୍କର ବ୍ୟାପକ କ୍ଷୟକ୍ଷତି ସାଙ୍ଗକୁ କିଛି ହରିଣ ବି ମରିଗଲେ। ଫାଇଲିନ ପରେ ହୁଡ୍‌ହୁଡ୍‌ ଓ ତିତଲିରେ ଧ୍ବସ୍ତ ପାର୍କରେ ଥିବା ହରିଣଙ୍କୁ ନେଇ ଚିନ୍ତାରେ ପଡ଼ିଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ହରିଣଙ୍କ ଖାଦ୍ୟ ଓ ପାର୍କର ରକ୍ଷଣାବେକ୍ଷଣ ବାବଦକୁ ଖର୍ଚ୍ଚ ମଧ୍ୟ ବଢିବାରେ ଲାଗିଲା। ଏବେ ପ୍ରତି ୩ ମାସକୁ ହରିଣଙ୍କ ଖାଦ୍ୟ ଓ ପାର୍କର ରକ୍ଷଣାବେକ୍ଷଣ ବାବଦକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ୧ଲକ୍ଷ ୧୦ହଜାର ହିସାବରେ ବାର୍ଷିକ ହାରାହାରି ୫ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଶେଷରେ ୨୦୧୭ ମାର୍ଚ୍ଚ ୩୧ରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ହରିଣ ସ୍ଥାନାନ୍ତର ପାଇଁ ବ୍ରହ୍ମପୁର ଡିଏଫଓଙ୍କୁ ଚିଠି ଲେଖି ଜଣାଇବା ସହ ହରିଣ ସ୍ଥାନାନ୍ତର ଲାଗି ୧୦ଲକ୍ଷ ଟଙ୍କା ମଧ୍ୟ ଜମା କରିଛନ୍ତି। ଟଙ୍କା ଜମା କରିବାର ଇତି ମଧ୍ୟରେ ୨ବର୍ଷ ବିତିଛି। ହରିଣଙ୍କୁ ଗଜପତି ସ୍ଥାନାନ୍ତର ଲାଗି ବ୍ରହ୍ମପୁର ବନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଥିଲେ ହେଁ ଏ ପର୍ଯ୍ୟନ୍ତ ସ୍ଥାନାନ୍ତର ହୋଇପାରି ନାହିଁ।

ବ୍ରହ୍ମପୁର ଡିଏଫ୍‌ଓ ଆଶିଷ କୁମାର ବେହେରା କହିଛନ୍ତି, ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ହିରଣ ପାର୍କରେ ରହିଥିବା ହରିଣଙ୍କୁ ଗଜପତି ଜିଲ୍ଲାର ଏକ ହରିଣ ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯିବାକୁ ସ୍ଥିର ହୋଇଛି। ହରିଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଭୁବନେଶ୍ବରରୁ ଏକ ଟିମ୍‌ ଆସି ଅନୁଧ୍ୟାନ କଲା ପରେ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ପ୍ରଫେସର ପ୍ରସନ୍ନ ଦୀକ୍ଷିତ କହିଛନ୍ତି, ହରିଣ ସ୍ଥାନାନ୍ତର ପାଇଁ ଆମେ ୨୦୧୭ରୁ ଟଙ୍କା ଜମା କରି ସାରିଛୁ। କିନ୍ତୁ ସ୍ଥାନାନ୍ତର ଏକ ଜଟିଳ ପ୍ରକ୍ରିୟା ହୋଇଥିବାରୁ ବିଳମ୍ବିତ ହେଉଛି।

ସମ୍ବନ୍ଧିତ ଖବର