ପ୍ରସୂତି, ଗର୍ଭସ୍ଥ ଶିଶୁର ମୃତ୍ୟୁ! : ଆର୍‌ଜିଏଚ୍‌ରେ ଉତ୍ତେଜନା, କର୍ତ୍ତୃପକ୍ଷଙ୍କ ତଦନ୍ତ ନିର୍ଦ୍ଦେଶ

ରାଉରକେଲା : ଚିକିତ୍ସା ଅବହେଳାରୁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ଜଣେ ଗର୍ଭବତୀ ମହିଳା ଓ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ମୃତ ମହିଳା ହେଲେ, ସ୍ଥାନୀୟ ମାଲଗୋଦାମ ବସ୍ତିରେ ରହୁଥିବା ହରିଶ୍ଚନ୍ଦ୍ର ପାତ୍ରଙ୍କ ପତ୍ନୀ ଭାମା। ହରିଶ୍ଚନ୍ଦ୍ରଙ୍କ ଅଭିଯୋଗ ଅନୁସାରେ, ଗତ ରାତି ପ୍ରାୟ ୧୧ଟାରେ ୯ ମାସର ଗର୍ଭବତୀ ପତ୍ନୀ ଭାମାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ପ୍ରାୟ ସାଢ଼େ ୧୧ଟାରେ ଆର୍‌ଜିଏଚ୍‌ର ପ୍ରସୂତି ଓ୍ଵାର୍ଡକୁ ଆଣିଥିଲେ। ଡାକ୍ତର ନଥିବାରୁ ଓ୍ଵାର୍ଡ ଦାୟିତ୍ୱରେ ଥିବା ନର୍ସ ଭାମାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରି ବେଡ୍‌ରେ ଶୁଆଇ ଦେଇଥିଲେ। କିଛି ସମୟରେ ଭାମାଙ୍କର ରକ୍ତଚାପ ବଢ଼ିବା, ଗୋଡହାତ ଫୁଲିବାରୁ ପରିବାର ଲୋକ ବ୍ୟତିବ୍ୟସ୍ତ ହୋଇ ଡାକ୍ତରଙ୍କୁ ଡାକିବାକୁ ତାଙ୍କ ଘରକୁ ଯାଇଥିଲେ। ଡାକ୍ତରଙ୍କୁ ଡାକିଥିଲେ ମଧ୍ୟ ସେ ଉଠି ନଥିଲେ। ସେମାନେ ସେଠାରୁ ନିରାଶ ହୋଇ ପ୍ରସୂତି ଓ୍ଵାର୍ଡକୁ ଫେରି ଆସିଥିଲେ। ୧୦ ମିନିଟ୍‌ ପରେ ଡାକ୍ତର ଓ୍ଵାର୍ଡରେ ପହଞ୍ଚିଥିଲେ। ମାତ୍ର ଏହା ପୂର୍ବରୁ ରାତି ପ୍ରାୟ ୧୧ଟା ୪୫ ମିନିଟ୍‌ରେ ଭାମାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର ଜୀବନଲାଲ ନାୟକଙ୍କୁ ନିଲମ୍ବନ ଓ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଦାବିରେ ମାଲଗୋଦାମ ବସ୍ତିର କିଛି ଲୋକ ହସ୍ପିଟାଲରେ ହୋ-ହଲ୍ଲା କରିବାରୁ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲ। ଉତ୍ତେଜନାକୁ ଦୃଷ୍ଟିରେ ରଖି ହସ୍ପିଟାଲରେ ପୁଲିସ ମୁତୟନ କରାଯାଇଛି। ଅନ୍ୟପଟେ ମୃତ ପ୍ରସୂତିଙ୍କ ସ୍ୱାମୀ ହରିଶ୍ଚନ୍ଦ୍ର ପାତ୍ର ଡାକ୍ତର ଜୀବନଲାଲ ନାୟକଙ୍କ ବିରୋଧରେ ରଘୁନାଥପାଲୀ ଥାନାରେ ଲିଖିତ ଏତଲା ଦେଇଛନ୍ତି। ଏତଲା ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର