୧୬ ନମ୍ବର ଜାତୀୟ ରାଜପଥର ମଳିପଡା ଛକରୁ ଉଗ୍ରତାରା ଛକ ପର୍ଯ୍ୟନ୍ତ ରାସ୍ତା ଏବେ ପାଲଟିଛି ଡେଥ୍ ଜୋନ୍

ନିରାକାରପୁର : ରାଜ୍ୟର ବ୍ୟସ୍ତବହୁଳ ୧୬ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ମଳିପଡା ଛକଠାରୁ ଉଗ୍ରତାରା ଛକ ପର୍ଯ୍ୟନ୍ତ ରାସ୍ତା ଏବେ ମୃତ୍ୟୁର ଇଲାକା ବୋଲି ଅପବାଦ ପାଇବାରେ ଲାଗିଛି।। ଏହି ରାସ୍ତାରେ ଗଲା ବେଳେ ଲୋ‌କେ ପରସ୍ପରକୁ ଇଷ୍ଟ ସୁମରି ଯିବା ପାଇଁ ପରାମର୍ଶ ଦେଉଛନ୍ତି। ବିଗତ ୨ବର୍ଷ ଭିତରେ ଏହି ଛକ ମଧ୍ୟରେ ୫୦ ପାଖାପାଖି ଦୁର୍ଘଟଣା ଘଟି ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ଅପଙ୍ଗ ମଧ୍ୟ ହୋଇପଡ଼ିଛନ୍ତି।

ସୂଚନା ଥାଉକି, ୧୬ ନମ୍ବର ଜାତୀୟ ରାଜପଥର ଏହି ଦୁଇ ଛକ ମଧ୍ୟରେ ଜଙ୍କିଆ ଥାନା ଅଧୀନ ମଳିପଡା, ଗୋଡିପଡା,ଜଙ୍କିଆ, ଗୋଳବାଇ ଓ ମୋଟା ଆଦି ଛକ ସହିତ ନିରାକାରପୁର ଥାନା ଅଧିନ ରାମେଶ୍ବର, ସୁନେଇରୂପେଇ, ବଡପୋଖରିଆ ଓ ଉଗ୍ରତାରା ଆଦି ଛକ ପଡୁଛି। ତେବେ ଏହି ସବୁ ସ୍ଥାନମାନଙ୍କରେ ଟ୍ରାଫିକ୍ ପୋଷ୍ଟ କିମ୍ବା ସ୍ବୟଂଚାଳିତ ଟ୍ରାଫିକ୍ ସିଗ୍‌ନାଲିଂ ବ୍ୟବସ୍ଥା ନ ଥିବାରୁ ଛକ ଗୁଡିକ ଦୁର୍ଘଟଣାପ୍ରବଣ ହୋଇଥିବା ଆଲୋଚନା ହେଉଛି। ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ଏଥି ପ୍ରତି ରାଜପଥ କର୍ତ୍ତୃପକ୍ଷଙ୍କ ଉଦାସିନତା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଏପରିକି, ବିଭିନ୍ନ ସମୟରେ ଦୁର୍ଘଟଣା ପାଇଁ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ ଯୋଗୁଁ ନାନା ଅପ୍ରିତିକର ପରିସ୍ଥିତ ଦେଖିବାକୁ ମିଳୁଛି। ମୁଖ୍ୟତଃ ଉକ୍ତ ଛକଗୁଡିକରେ ଟ୍ରାଫିକ୍ ପୋଷ୍ଟ ନ ଥିବାରୁ ବିଭିନ୍ନ ଦିଗରୁ ଆସୁଥିବା ଗାଡି ଚଳାଚଳରେ ନିୟନ୍ତ୍ରଣ ରହୁ ନାହିଁ।। ଏଥି ସାଙ୍ଗକୁ ରାସ୍ତାନିର୍ମାଣ ଡିଜାଇନ୍‌ରେ ମଧ୍ୟ ତ୍ରୁଟିଥିବାରୁ ବଡ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରୁ ନ ଥିବା ବୁଦ୍ଧିଜୀବୀ ମାନେ କହିଛନ୍ତି। ସେହିପରି ରାଜପଥ କଡରେ ବେଆଇନ୍ ଦୋକାନ ଗୃହ ନିର୍ମାଣ ମଧ୍ୟ ଦୁର୍ଘଟଣାର ଅନ୍ୟତମ କାରଣ ହୋଇଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର