ଚିଲିକାରେ ଭାସୁଛି ବିଦେଶୀ ଅତିଥି ପକ୍ଷୀଙ୍କ ଶବ

ବ୍ରହ୍ମଗିରି : ନୀଳାମ୍ବୁ ଚିଲିକାରେ ରଙ୍ଗବେରଙ୍ଗର ବିଦେଶାଗତ ଅତିଥି ପକ୍ଷୀଙ୍କ ଭିଡ଼ ଜମି ସାରିଲାଣି । ଚିଲିକାକୁ ଦେଶ ଓ ବିଦେଶରୁ ଆଜି ସୁଦ୍ଧା ଏକ ଲକ୍ଷରୁ ଅଧିକ ଅତିଥି ପକ୍ଷୀଙ୍କ ସମାଗମ ହେଲାଣି । ଶୀତ ଯେତିକି ବଢି ଚାଲିଛି ବିଦେଶାଗତ ଅତିଥି ପକ୍ଷୀଙ୍କ ସଂଖ୍ୟା ସେତିକି ପରିମାଣରେ ବଢି ଚାଲିଛି । ସୁଦୂର ସାଇବେରିଆ, କାଜାଗିସ୍ତାନ, ଅଷ୍ଟ୍ରେଲିଆ, ଲଦାଖ ଆଦି ଅଞ୍ଚଳରୁ ଏହି ସବୁ ବିଦେଶାଗତ ଅତିଥି ପକ୍ଷୀ ଆସି ଭିଡ଼ ଜମାଇଛନ୍ତି । ଶୀତ ଚାରିମାସ ଚିଲିକାରେ ରହିବା ପରେ ନୀଡ଼ ବାନ୍ଧି ଏମାନେ ଏଠାରେ ଛୁଆ ଫୁଟାଇ ପୁଣି ଥରେ ସ୍ୱଦେଶକୁ ଫେରିଯିବେ । ଶୀତ ବଢିବା ସହ ବିଦେଶାଗତ ଅତିଥି ପକ୍ଷୀଙ୍କ ସଂଖ୍ୟା ବଢି ଚାଲିଥିଲା ବେଳେ ଶିକାରୀଙ୍କ ତତ୍ପରତା ମଧ୍ୟ ବଢିବାରେ ଲାଗିଛି ।

ଖବର ନେବାରେ ଜଣାପଡିଛି, ଚିଲିକାକୁ ବିଦେଶାଗତ ଅତିଥି ପକ୍ଷୀଙ୍କ ଭିଡ଼ ଦେଖି ଚିଲିକା ଉପକୂଳରେ ଏବେ ଶିକାରୀ ପୂରା ପ୍ରସ୍ତୁତ ହୋଇ ଶିକାର ଚଳାଇଥିବା ଜଣାପଡିଛି । ବଜାରରୁ ମାରାତ୍ମକ ଫ୍ଲୋରାଡିନ୍‌ ନାମକ ବିଷ ଦେଇ ଏହି ଶିକାର ଆରମ୍ଭ ହୋଇଛି । କେବଳ ଫ୍ଲୋରାଡିନ୍‌ ବିଷ କାହିଁକି ଏବେ ଫାଶ ସାହାଯ୍ୟରେ ଅବାଧ ଶିକାର ଚାଲୁଥିବା ଜଣାପଡ଼ିଛି । ଏହା ପଛର କାରଣ ହେଉଛି ଫାଶ ଦ୍ୱାରା ଶିକାର କରାଯାଉଥିବା ବିଦେଶାଗତ ଅତିଥି ପକ୍ଷୀଙ୍କ ଦାମ ବଜାରରେ ଯଥେଷ୍ଟ ଅଧିକ ରହୁଛି । ଏବେ ଫ୍ଲୋରାଡିନ ବିଷକୁ ଶିକାରୀ ଅଟାଗୁଳା ସହିତ ମିଶାଇ ବେଣ୍ଟ ଦ୍ୱାରା ଶିକାର କରୁଛି । ଏହି ବିଷ କ୍ରିୟାରେ ମରି ପଡୁଥିବା କିଛି ବିଦେଶାଗତ ଅତିଥି ପକ୍ଷୀଙ୍କୁ ଗୋଟାଇ ଆଣୁଥିବା ବେଳେ ଅନ୍ୟ ପକ୍ଷୀ ବିଷ କ୍ରିୟାରେ ଆକ୍ରାନ୍ତ ହୋଇ କିଛି ଦୂରରେ ପଡୁଛନ୍ତି । ଏହି ସବୁ ପକ୍ଷୀ ଗୁଡିକୁ ଶିକାରୀ ଆଣି ପାରୁ ନଥିବା ବେଳେ ଚିଲିକା ଉପକୂଳରେ ଥିବା ବିଭିନ୍ନ ପୋଖରୀରେ ପଡି ସଢୁଥିବା ଜଣାପଡିଛି ।

ଏକ ସ୍ୱତନ୍ତ୍ର ଉପାୟରେ ଫାଶ ତିଆରି କରି ଶିକାରୀ ସଂଧ୍ୟାରେ ବସାଇ ଆସିବା ପରେ ଭୋର୍‌ରୁ ଯାଇ ଫାଶରେ ପଡିଥିବା ପକ୍ଷୀଙ୍କୁ ଧରି ଆଣୁଛି । ନିକଟସ୍ଥ ବଜାରରେ ଏହାକୁ ଦୁଇ ଶହ ଟଙ୍କାରୁ ୪ ଶହ ଟଙ୍କାରେ ବିକ୍ରି କରୁଥିବା ଜଣାପଡିଛି । ଚିଲିକାରେ ପକ୍ଷୀ ସୁରକ୍ଷା ପାଇଁ ବନ ବିଭାଗ ସ୍ୱତନ୍ତ୍ର ଭାବେ ୧୮ଟିମ୍‌ ନିୟୋଜିତ କରିଛି ବୋଲି କହୁଥିବା ବେଳେ ବ୍ରହ୍ମଗିରି ରେଞ୍ଜ ଇଲାକାରେ ଆଜି ସୁଦ୍ଧା କୈାଣସି ଟିମ୍‌ ନିୟୋଜିତ ହୋଇ ନାହାନ୍ତିି । ବ୍ରହ୍ମଗିିରି ରେଞ୍ଜ ଇଲାକାରେ ଚିଲିକା ଉପକୂଳରେ ଏବେ ଏହି ଅବାଧ ଶିକାର ଚାଲୁଥିଲେ ହେଁ ବନ ବିଭାଗର କୈାଣସି ସୁରକ୍ଷା ବ୍ୟବସ୍ଥା ନଥିବା ଜଣାପଡିଛି ।

ପ୍ରକାଶ ଯୋଗ୍ୟ ଗତ ବର୍ଷ ବ୍ରହ୍ମଗିରି ରେଞ୍ଜ ଇଲାକାରେ ବହୁ ସଂଖ୍ୟାରେ ବିଦେଶାଗତ ଅତିଥି ପକ୍ଷୀଙ୍କ ଶବକୁ ବନ ବିଭାଗ ଜବତ କରିଥିଲା । କିନ୍ତୁ ବନ ବିଭାଗ ଆଖିରେ ଶିକାରୀ ଧୂଳି ଦେଇ ଫେରାର ହେବାରେ ସକ୍ଷମ ହୋଇଥିଲେ । ଏବେ ବିଦେଶାଗତ ଅତିଥି ପକ୍ଷୀଙ୍କ ସୁରକ୍ଷା ଜରୁରୀ ହୋଇ ପଡିଛି ।

ସମ୍ବନ୍ଧିତ ଖବର