ପାକିସ୍ତାନୀ ଟିଭିରେ ଓଡ଼ିଶା ବିଧାୟକ: ପୁଲଓ୍ୱାମା ସହିଦଙ୍କ ଦାଦାଙ୍କୁ ତଣ୍ଟିଆ ମାରିବା ଭିଡିଓ ପ୍ରସାରଣ କଲା ପାକ୍ ଚାନେଲ୍

ଭୁବନେଶ୍ବର: ପୁଲୱାମାରେ ସହିଦ ଓଡ଼ିଆ ଯବାନଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ଦାଦାଙ୍କୁ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ତଣ୍ଟିଆ ମାରିବା ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏବେ ପାକିସ୍ତାନ ଟିଭିରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି । ସହିଦଙ୍କୁ ଜଣେ ରାଜନେତା କିଭଳି ଅସମ୍ମାନିତ କରୁଛନ୍ତି ତାକୁ ପ୍ରାଥମିକତା ଦେଇଛି ପାକିସ୍ତାନୀ  ଟିଭି ଚ୍ୟାନେଲ ଏଜାଜ୍ ଟିଭି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଭିଡିଓକୁ ନେଇ ନିଜ ଢଙ୍ଗରେ ଉପସ୍ଥାପନା କରିଛି ସଂପୃକ୍ତ ଟିଭି ଚ୍ୟାନେଲ । ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ନେଇ ଭାରତୀୟ ରାଜନେତାମାନେ କୁମ୍ଭୀର କାନ୍ଦୁଣା କାନ୍ଦୁଥିବା ବେଳେ ବିଜେଡି ବିଧାୟକ କିଭଳି ସହିଦଙ୍କ ଦାଦାଙ୍କୁ ଅସମ୍ମାନ କରୁଛନ୍ତି ତାହା ହିଁ ଦେଖାଇବାକୁ ଚେଷ୍ଟା କରିଛି ପାକିସ୍ତାନୀ ଗଣମାଧ୍ୟମ ।

ସେପଟେ ଏହି ଘଟଣା ନେଇ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ ଏବଂ କହିଥିଲେ ଯେ, ଅଜାଣତରେ ସହିଦଙ୍କ ସଂପର୍କୀୟଙ୍କୁ ଆଘାତ ଦେଇଥିବାରୁ କ୍ଷମା ପ୍ରାର୍ଥନା କରିବା ସହ ଦୁଃଖ ପ୍ରକାଶ କରୁଛି । ସହିଦଙ୍କ ଅନ୍ତମ ସଂସ୍କାର ବେଳେ ସେଠାରେ କିଛି ଲୋକ ବିଶୃଙ୍ଖଳା କରୁଥିଲେ । ତେଣୁ ସେ ତାଙ୍କୁ ଟାଣି ଆଣି ସେଠାରେ ବସେଇ ଦେଇଥିଲେ । ସେହି ବ୍ୟକ୍ତି ମନୋଜଙ୍କ ସଂପର୍କୀୟ ବୋଲି ଜାଣି ନ ଥିବା କହିଥିଲେ କଟକ-ବାରବାଟୀ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ।

ବୋଧହୁଏ ପ୍ରଥମ ଥର ଓଡିଶାର ଜଣେ ନେତାଙ୍କୁ ନେଇ ପାକିସ୍ତାନ ଟିଭିରେ ଖବର ପ୍ରସାରଣ ହେଇଛି । ସହିଦଙ୍କ ଦାଦାଙ୍କୁ ତଣ୍ଟିଆ ମାରି ବିବାଦୀୟ ହୋଇପଡିଥିବା ବିଜେଡି ବିଧାୟକଙ୍କୁ ଚାରିଆଡ଼େ ସମାଲୋଚନା କରିଛନ୍ତି । ଆଞ୍ଚଳିକ ଓ ଜାତୀୟ ଚ୍ୟାନେଲରେ ମଧ୍ୟ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ନେଇ ଖବର ପ୍ରସାରିତ ହେବା ସହ ବିରୋଧୀମାନେ ଏହି ଘଟଣାକୁ ନେଇ ଶାସକ ବିଜେଡିକୁ ଘେରିଛନ୍ତି ।

ସମ୍ବନ୍ଧିତ ଖବର