ଭୁବନେଶ୍ବର: ସୀମାଶୁଳ୍କ ବ୍ୟାପାରରେ ଦୀର୍ଘଦିନର ଅଭିଜ୍ଞତା ହାସଲ କରିଥିବା ଓଡ଼ିଆ ଅଧିକାରୀ ତଥା କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଅଧୀନ କେନ୍ଦ୍ରୀୟ ସୀମାଶୁଳ୍କ ଏବଂ ଉତ୍ପାଦ ଶୁଳ୍କ ବୋର୍ଡର ମହାନିର୍ଦ୍ଦେଶକ ଦେବୀ ପ୍ରସାଦ ଦାଶ ବିଶ୍ୱ ସୀମାଶୁଳ୍କ ସଙ୍ଗଠନ (ଡବ୍ଲ୍ୟୁସିଓ)ର ପ୍ରବର୍ତ୍ତନ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବ୍ରସେଲ୍ସ ଠାରେ ଅବସ୍ଥାପିତ ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ୧୮୨ ସଦସ୍ୟ ରହିଛନ୍ତି। ପ୍ରଥମ ଭାରତୀୟ ସୀମାଶୁଳ୍କ ଅଧିକାରୀ ଭାବେ ଦାଶଙ୍କୁ ଏହି ସମ୍ମାନଜନକ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ତାଙ୍କୁ ସର୍ବସମ୍ମତିକ୍ରମେ ଏହି ପଦବୀ ନିମନ୍ତେ ଚୟନ କରାଯାଇଥିଲା। ଗତ ଦୁଇବର୍ଷ ଧରି ସେ ଏହି ସଙ୍ଗଠନରେ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରି ଆସିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଦାଶଙ୍କର ସୀମାଶୁଳ୍କ ପ୍ରଶାସନ, କୂଟନୀତି, ବାଣିଜ୍ୟ ସୁବିଧା ପ୍ରଦାନ, ଗୁଇନ୍ଦା, ଅନ୍ତର୍ଜାତୀୟ ଆଇନ, ବିଶେଷ କରି ଆତଙ୍କବାଦ, ବେଆଇନ ଅର୍ଥ କାରବାର କ୍ଷେତ୍ରରେ ଅପରାଧିକ ମାମଲା ପରିଚାଳନା, ପ୍ରତ୍ୟର୍ପଣ ଓ ଆର୍ଥିକ କଟକଣା, ଆପୋସ ଆଇନଗତ ସହାୟତା ଆଦି କ୍ଷେତ୍ରରେ ଦୀର୍ଘ ଦିନର ଅଭିଜ୍ଞତା ରହିଛି।
ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ କରିଥିବା ଦାଶ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ ଆଇନରେ ସ୍ନାତକ ଏବଂ ଜେଏନ୍ୟୁର ସ୍କୁଲ ଅଫ ଇଣ୍ଟରନ୍ୟାସନାଲ ଷ୍ଟଡିଜରୁ ଅନ୍ତର୍ଜାତୀୟ ଅଧ୍ୟୟନ ଓ ଅନ୍ତର୍ଜାତୀୟ ଆଇନ ଉପରେ ସ୍ନାତ୍ତୋକୋତ୍ତର ପାଠ୍ୟକ୍ରମ ଶେଷ କରିଥିଲେ। ପରେ ସେ ଏହି ଶିକ୍ଷାନୁଷ୍ଠାନରେ ନିରସ୍ତ୍ରୀକରଣ ଅଧ୍ୟୟନ ବିଷୟରେ ଏମ.ଫିଲ୍ କରିଥିଲେ।