ଦେବ୍ରାଜ ଲେଙ୍କା ପାଇବେ ‘ଜେମା-ସାମନ୍ତ ସୃଜନୀ ପୁରସ୍କାର’

କଟକ : ଶତାୟୁ ସାରସ୍ୱତ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବିଶିଷ୍ଟ କଥାଶିଳ୍ପୀ ଦେବ୍ରାଜ ଲେଙ୍କାଙ୍କୁ ପ୍ରଥମ ଥର ପାଇଁ ‘ଜେମା-ସାମନ୍ତ ସୃଜନୀ ପୁରସ୍କାର’ ପ୍ରଦାନ କରାଯିବ। ଓଡ଼ିଆ ସାହିତ୍ୟରେ ଆଜୀବନ ସାଧନା ପାଇଁ ଶ୍ରୀ ଲେଙ୍କାଙ୍କୁ ଏହି ପୁରସ୍କାର ବାବଦରେ ୫୦ ହଜାର ଟଙ୍କା, ତାମ୍ରପତ୍ର, ସ୍ମୃତିଫଳକ ଓ ଉପଢୌକନ ପ୍ରଦାନ କରାଯିବ। ସ୍ୱାଧୀନତା ସଂଗ୍ରାମରେ ନିଜକୁ ଝାସ ଦେଇଥିବା ପୂର୍ବତନ ବିଧାୟିକା ରତ୍ନମାଳୀ ଜେମା ଏବଂ ପୂର୍ବତନ ଉପବାଚସ୍ପତି ତଥା ସାରସ୍ୱତ ସାଧକ ନାରାୟଣ ବୀରବର ସାମନ୍ତଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯିବ। ଉତ୍କଳ ସାହିତ୍ୟ ସମାଜର ୧୧୬ ବର୍ଷ ଇତିହାସରେ ଏହି ପୁରସ୍କାର ପ୍ରଣୟନ ଉଲ୍ଲେଖଯୋଗ୍ୟ ଘଟଣା। ସୂଚନାଯୋଗ୍ୟ ଯେ ‘ଅନ୍ଧମୁହାଣି’, ‘ପ୍ରେମନଗରୀର ଅନେକ କଥା’, ‘ପୃଥିବୀର ତରା’, ‘ଗପ ମସିହା ୨୦୦୦’, ‘ଯା-ରେ ଭାସି ଭାସି ଯା’, ‘ଗାଁ ଗାଁ ଆହା ଆହା’, ‘ଖେଳ’, ‘ଜୋକର’ ଆଦି ସାରସ୍ୱତ କୃତିର ସ୍ରଷ୍ଟା ଶ୍ରୀ ଲେଙ୍କା ଭିନ୍ନ ଶୈଳୀ ଓ ନିଆରା କଥାବସ୍ତୁର ପ୍ରଭାବଶାଳୀ ସ୍ରଷ୍ଟା। ଆସନ୍ତା ମେ ୭ ତାରିଖ ସୋମବାର ସଂଧ୍ୟାରେ ସାରସ୍ୱତ ପୀଠ ଶତାବ୍ଦୀ ଭବନ ଠାରେ ଉତ୍କସ ସାହିତ୍ୟ ସମାଜର ସଭାପତି ଡକ୍ଟର ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଥିବା ଅନୁଷ୍ଠାନର ପ୍ରତିଷ୍ଠା ଦିବସ ଅବସରରେ ବିଶିଷ୍ଟ ସାରସ୍ୱତ ସ୍ରଷ୍ଟା ମନୋଜ ଦାସ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରିବେ। ଏଥିରେ ସଭ୍ୟସଭ୍ୟା ଓ ସାହିତ୍ୟ ଅନୁରାଗୀମାନେ ଉପସ୍ଥିତ ରହିବାକୁ ଅନୁଷ୍ଠାନର ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ସଂଗଠନ ସଂପାଦକ ଜୀବନାନନ୍ଦ ଅଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର