ଚର୍ଚ୍ଚା‌ରେ ଡେବ୍ରିଗଡ଼ ଅଭୟାରଣ୍ୟ : ଶିରି ତୁଟାଇଲେଣି ଶିକାରୀ

ସମ୍ବଲପୁର : ଏକଦା ଭରପୂର ଜଙ୍ଗଲ ସମ୍ପଦ ପାଇଁ ସାରା ଦେଶରେ ନାଁ କରିଥିବା ଡେବ୍ରିଗଡ଼ ଏବେ ବଣ୍ୟପ୍ରାଣୀଙ୍କ ବଦଳରେ ଶିକାରୀଙ୍କ ଅଭୟାରଣ୍ୟ ପାଲଟିଛି। ଜଙ୍ଗଲ ଭିତରେ ପକ୍ଷୀ, ବନ୍ୟପ୍ରାଣୀ ଓ ଉଦ୍ଭିଦ ସଂପଦ ବ୍ୟତୀତ ଆଉ ତିନିଟି ବର୍ଗର ଉପସ୍ଥିତି ରହିଛି ଏହି ଅଭୟାରଣ୍ୟରେ। ସେମାନେ ହେଲେ ବନ କର୍ମଚାରୀ, ମାଓବାଦୀ ଓ ଶିକାରୀ। ପ୍ରାଣୀ ଓ ପକ୍ଷୀ ସଂପଦରେ ଭରପୂର ଏହି ଅଭୟାରଣ୍ୟରେ ଅବାଧ ଶିକାର ଚାଲିଛି। ଏହା ଭିତରକୁ ପର୍ଯ୍ୟଟକଙ୍କ ସୀମିତ ପ୍ରବେଶ ସୁଯୋଗ ରହିଥିବା ବେଳେ କୋର ଏରିଆରେ ଅବାଧ ଶିକାର ହେଉଛି। ଉଭୟ ଓଡ଼ିଶା ଓ ଛତିଶଗଡ଼ର ଶିକାରୀ ଏହି ଜଙ୍ଗଲରେ ରାଜ ଚଳାଇଛନ୍ତି। ଗତ ବର୍ଷ ଜୁଲାଇ ମାସରେ ଏହି ଅଭୟାରଣ୍ୟରୁ ଚାଲାଣ ହେଉଥିବା ବିପୁଳ ପରିମାଣର ଭାଲୁନଖ, ବଜ୍ରକାପ୍ତା, ହରିଣ ସିଂହ ଆଦି ଜବତ ହୋଇଥିଲା। ତେବେ ବିଭିନ୍ନ ସମୟରେ ଜବତ ହେଉଥିବା ସାମଗ୍ରୀ ଓ ଶିକାରୀଙ୍କ ଗିରଫଦାରୀ କେବଳ ଧର୍ମକୁ ଆଖିଠାର ଭଳି।

ହୀରାକୁଦ ଜଳଭଣ୍ଡାରରୁ ଆରମ୍ଭ କରି ସମ୍ବଲପୁର, ବରଗଡ଼ ଓ ଝାରସୁୁଗୁଡ଼ା ତିନିଟି ଜିଲ୍ଲାରେ ବ୍ୟାପିଥିବା ୩୫୪ ବର୍ଗ କିଲୋମିଟର୍‌ ବିଶିଷ୍ଟ ଡେବ୍ରିଗଡ଼ ବଣ୍ୟପ୍ରାଣୀ ଅଭୟାରଣ୍ୟ ସାରା ଦେଶର ଏକ ପ୍ରମୁଖ ଅଭୟାରଣ୍ୟ। ଏହି ଅଭୟାରଣ୍ୟରେ ୪୦ରୁ ଅଧିକ ମେରୁଦଣ୍ଡୀ ପ୍ରାଣୀ, ସମାନ ସଂଖ୍ୟକ ସରୀସୃପ, ୧୨ ପ୍ରକାର ଉଭୟଚର, ୪୨ ପ୍ରଜାତିର ମାଛ ଓ ୨୩୪ଟି ପ୍ରଜାତିର ପକ୍ଷୀ ଦେଖିବାକୁ ମିଳନ୍ତି। ଗୟଳ (ବଣମଇଁଷି), ସମ୍ବର, ବିଭିନ୍ନ ପ୍ରଜାତିର ହରିଣ, ଭାଲୁ, ଜଙ୍ଗଲି ବାର୍‌ହା, ବଜ୍ରକାପ୍ତା, ଝିଙ୍କ, ଅଜଗର ଓ ମୟୂର ଆଦି ବିରଳ ପ୍ରାଣୀ ଏହି ଜଙ୍ଗଲରେ ବହୁଳ ସଂଖ୍ୟାରେ ରହିଛନ୍ତି। ଏହାଛଡ଼ା ଜଙ୍ଗଲୀ କୁକୁର ଏହି ଅଭୟାରଣ୍ୟର ଅନ୍ୟତମ ଆକର୍ଷଣ। ତେବେ ଏହି ପ୍ରାଣୀମାନଙ୍କର କୌଣସି ଗଣନା ହେଉ ନଥିବା ଜଙ୍ଗଲ ବିଭାଗ ସୂତ୍ରରୁ ପ୍ରକାଶ। ତେଣୁ ସେମାନେ କେତେ ଥିଲେ, କେତେ କମିଲେ ସେ ସଂପର୍କରେ ଜାଣିବାର କୌଣସି ଉପାୟ ନାହିଁ। ଏହାଛଡ଼ା ୨୦୧୪ରେ ହୋଇଥିବା ଗଣନାରୁ ଏହି ଅଭୟାରଣ୍ୟରେ ୨୨ଟି କଲରାପତରିଆ ବାଘ ଥିବା ଜଣା ପଡ଼ିଥିଲା। ବାହାରୁ ଆସୁଥିବା ଜନ୍ତୁ ମାଫିଆମାନେ ବାଘ, ଭାଲୁ, ଝିଙ୍କ, ବଜ୍ରକାପ୍ତା, ମୟୂର, ହରିଣ ଆଦି ପ୍ରାଣୀଙ୍କୁ ମୁଖ୍ୟତଃ ଟାର୍‌ଗେଟ୍ କରୁଛନ୍ତି। ସେହିପରି ମୁଖ୍ୟତଃ ମାଂସ ପାଇଁ ଜନ୍ତୁ ମାରୁଥିବା ଶିକାରୀମାନେ ହରିଣ, ସମ୍ବର ମାନଙ୍କ ଶତୃ ପାଲଟିଛନ୍ତି। ଆଖପାଖ ଗାଁ ଗଣ୍ଡାର ଶିକାରୀମାନେ ବାର୍‌ହା ଶିକାର ପାଇଁ ବିପଜ୍ଜନକଭାବେ ବିଦ୍ୟୁତ ତାର ବିଛାଇଥାନ୍ତି। ଶୀତଦିନ ଶିକାରୀଙ୍କ ଗତିବିଧି ବୃଦ୍ଧି ପାଉଥିବାବେଳେ ଜୀବନ ଭୟ ବା ଅର୍ଥ ଲୋଭ ଜଙ୍ଗଲ ବିଭାଗ ଅନେକ କ୍ଷେତ୍ରରେ ଦେଖି ନଦେଖିଲା ରହିଯାଉଛି।

ଗତ ଅଗଷ୍ଟ ୨୫ରୁ ଅକ୍ଟୋବର ୨୫ ପର୍ଯ୍ୟନ୍ତ ୨ ମାସ ଡେବ୍ରିଗଡ଼ ଜଙ୍ଗଲରେ ୯୦ଟି ଟ୍ରାପ୍ ‌କ୍ୟାମେରା ଲଗା ଯାଇଥିଲା। ସେଭିତରୁ କେତୋଟି ଚୋରି ହୋଇଯିବା ପରେ ସେଗୁଡ଼ିକୁ ଖୋଲି ଅନ୍ୟତ୍ର ପଠାଇ ଦିଆଯାଇଛି। ଏବେ ବି ବନ ବିଭାଗ ପାଖରେ ୪୯ଟି ଟ୍ରାପ୍ କ୍ୟାମେରା ମହଜୁଦ ଥିବା ଜଣା ପଡ଼ିଛି। ଚଳିତ ବର୍ଷ ଏହି ଜଙ୍ଗଲରେ ୨ ମାସ ପାଇଁ ଟ୍ରାପ୍ କ୍ୟା‌େମରା ଲାଗିବା ବେଳେ ଗୋଟିଏ ମହାବଳ ବାଘ ଥିବାର ପ୍ରମାଣ ମିଳିଥିଲା। ହେଲେ ବର୍ତ୍ତମାନ ଉକ୍ତ ବାଘକୁ ହତ୍ୟା କରା ଯାଇଥିବା ଖବର ସାରା ଦେଶର ବନ୍ୟଜନ୍ତୁ ପ୍ରେମୀଙ୍କ ମନରେ ଗଭୀର ଉଦ୍‌ବେଗ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର