ମହାବଳ ହତ୍ୟା ମାମଲା : ୪ ଅଭିଯୁକ୍ତଙ୍କ ରିମାଣ୍ଡ ଶେଷ, ଅନ୍ୟ ୨ ଜଣଙ୍କୁ କୋର୍ଟଚାଲାଣ

ବରଗଡ଼ : ବରଗଡ଼ ରେଂଜ ଅନ୍ତର୍ଗତ ଖଜୁରିଆ-ଦାମୋଦର ପଡ଼ା ମଧ୍ୟସ୍ଥ ଜଂଗଲରେ ମହାବଳ ହତ୍ୟା ମାମଲାରେ ପୂର୍ବରୁ ଗିରଫ ୪ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଦୁଇ ଦିନିଆ ରିମାଣ୍ଡ ଶେ‌ଷ ହୋଇଛି। ସମସ୍ତଙ୍କୁ ବୁଧବାର ସଂଧ୍ୟାରେ ପୁଣି ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏହାଛଡ଼ା ଏହି ଘଟଣାରେ ଗିରଫ ରାଉତପଡ଼ାର ସରୋଜ ମିର୍ଦ୍ଧା ଏବଂ ସରଧାପାଲିର ଭଂଜନ ମିର୍ଦ୍ଧାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ବୁଧବାର ସକାଳୁ ପ୍ରଥମେ କ୍ରାଇମବ୍ରାଞ୍ଚ (ୱାଇଲ୍ଡ ଲାଇଫ୍) ଡିଏସପି ବିଳାସିନୀ ନାୟକଙ୍କ ନେତୃତ୍ବରେ ଇନ୍ସପେକ୍ଟର ଅଲକାରାଣୀ ପଣ୍ଡା, ଏସ୍ଆଇ ଜଗନ୍ନାଥ ପ୍ରସାଦ ସାହୁ ଏବଂ ଏଏସ୍ଆଇ କଶ୍ମିରୀ କେରକେଟା ମିଳିତ ଭାବେ ଜେରା କରିଥିଲେ। ପ୍ରଥମେ ଅଭିଯୁକ୍ତ ଖଜୁରିଆ ଗାଁର ସତ୍ୟବାନ ସାହୁ, ସୁଶୀଲ ଭୁଏ, କୁଡ଼ାପଡ଼ାର ଗୌରୀ ମିର୍ଦ୍ଧା ଏବଂ ମୁଣ୍ଡାପଡ଼ାର ଜାକ୍ରିଆ ଟୁଡ଼ୁଙ୍କୁ ‌ପୃଥକ୍ ପୃଥକ୍ ଜେରା ହୋଇଥିଲା। କେଉଁ ପରିସ୍ଥିତିରେ ମହାବଳକୁ ହତ୍ୟା କରାଗଲା? କିଭଳି ହତ୍ୟା କରାଯାଇ ପୋତା ଗଲା? ଏହି ମାମଲାରେ ଆଉ କାହାର ସଂପୃକ୍ତି ରହିଛି? ଅଭିଯୁକ୍ତଙ୍କୁ ଏଭଳି ଘନ ଘନ ପ୍ରଶ୍ନ କରିଥିଲା କ୍ରାମଇବ୍ରାଞ୍ଚ ଟିମ୍। ଏମାନଙ୍କ ଠାରୁ ଆହୁରି କିଛି ଠୋସ୍ ତଥ୍ୟ ପାଇଥିବା ଅନୁମାନ କରାଯାଉଛି। ପରେ ଗିରଫ ହୋଇଥିବା ସରୋଜ ଓ ଭଂଜନଙ୍କୁ ଜେରା ଚାଲିଥିଲା। ଏହା ପରେ ଅଭିଯୁକ୍ତମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତମାନଙ୍କୁ ଆଉ ରିମାଣ୍ଡରେ ଅଣାଯିବା ସମ୍ଭାବନା କ୍ଷୀଣ। ଶୀଘ୍ର ରିପୋର୍ଟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ ବୋଲି ଡିଏସପି ଶ୍ରୀମତୀ ନାୟକ କହିଛନ୍ତି। ଗତକାଲି ଟାଉନ ଥାନାରେ ଆଇଜି (ସ୍ପେସାଲ ଟାକ୍ସ ଫୋର୍ସ) ଜିତେନ୍ଦ୍ର କୋଏଲ ଅଭିଯୁକ୍ତମାନଙ୍କୁ ଜେରା କରିଥିଲେ। ଘଟଣାସ୍ଥଳରୁ ଜବତ ହୋଇଥିବା ଟାଂଗିଆ ଏବଂ ଅନ୍ୟ ସାମଗ୍ରୀକୁ କ୍ୟାମିକାଲ ଟେଷ୍ଟ ପାଇଁ ପଠାଯିବ ବୋଲି ଶ୍ରୀ କୋଏଲ୍ କହିଥିଲେ। ଏହି ମାମଲାରେ ବନ ବିଭାଗ କର୍ମଚାରୀଙ୍କ ହାତ ଥିବା ଆଶଂକାକୁ ଏଡ଼ାଇ ଦିଆଯାଇନପାରେ। ବନ ବିଭାଗ କର୍ମଚାରୀ ଦାୟିତ୍ବରେ ଅବହେଳା କରିଥାଇପାରନ୍ତି। ଏନେଇ ମଧ୍ୟ ଆଗକୁ ତଦନ୍ତ ହେବ। ଏହି ପରିପ୍ରେକ୍ଷୀରେ ବନ ବିଭାଗର ଅଧିକାରୀମାନେ ମଧ୍ୟ ତଦନ୍ତ ପରିସରରେ ରହିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର