ମହାବଳ ହତ୍ୟା ଘଟଣା: ସଂରକ୍ଷଣ ବଦଳରେ ତଦନ୍ତକୁ ଗୁରୁତ୍ବ

ବରଗଡ଼ : ‌ଡେବ୍ରିଗଡ଼ ଅଭୟାରଣ୍ୟରେ ଠାବ ହୋଇଥିବା ଏକମାତ୍ର ମହାବଳ ବାଘକୁ ହତ୍ୟା ପରେ ଏଠାରେ ଥିବା ଅନ୍ୟ ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ବିପଦ ରହିଛି। ଶିକାରୀ ହେଉ କି ମାଫିଆ, ଡେବ୍ରିଗଡ଼ରେ ବିରଳ ବନ୍ୟପ୍ରାଣୀ ଏବେ ସଂକଟରେ। ଏଠା‌େର ଏକମାତ୍ର ମହାବଳ ବାଘ ଠାବ ହୋଇଥିଲେ ହେଁ ତାକୁ ସୁରକ୍ଷା ଦେବାରେ ବନବିଭାଗ ଫେଲ୍ ମାରିଛି। କ୍ୟାମେରାରେ ବାଘର ଗତିବିଧି କଏଦ ହୋଇଥିଲା। କିନ୍ତୁ ବାଘର ସୁରକ୍ଷା ଦିଗରେ କିଛି ବିହିତ ପଦକ୍ଷେପ ହେଲା ନାହିଁ। ଦେଶର ଅନ୍ୟ ଅଭୟାରଣ୍ୟରେ ବିରଳ ଜୀବଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ ରେଡିଓ କଲାର୍ ଲଗାଯାଉଛି। ଯଦ୍ବାରା ବନ୍ୟପ୍ରାଣୀର ଗତିବିଧି ଜଣାପଡ଼ିଥାଏ। ରୋଗାକ୍ରାନ୍ତ ବନ୍ୟପ୍ରାଣୀଙ୍କୁ ରେଡିଓ କଲାର୍ ମାଧ୍ୟମରେ ଠାବ କରି ଉଚିତ ଚିକିତ୍ସା କରାଯାଏ। କିନ୍ତୁ ଡେବ୍ରିଗଡ଼ରେ ଥିବା ଏକମାତ୍ର ମହାବଳ କ୍ଷେତ୍ରରେ ଏନେଇ ଅବହେଳା ପ୍ରଦର୍ଶନ କରାଯାଇଥିବା ପରିବେଶବିତମାନେ ଅଭିଯୋଗ କରୁଛନ୍ତି।

ଚିହ୍ନଟ ହେବାର ଦୁଇମାସ ଅବଧି ଭିତରେ ମହାବଳର ଉପସ୍ଥିତି ସଂପର୍କରେ ଅଧିକ ଜାଣିବାକୁ ବନ ବିଭାଗ ଯେଭଳି ଇଚ୍ଛା ଦେଖାଇନଥିଲା। ଗତମାସ ୨୮ ତାରିଖ ବାଘର ଗଳିତ ଶବ ଖଜରିଆ ଜଙ୍ଗଲରୁ ଉଦ୍ଧାର ହୋଇଥିଲା। ଶବ ମହାବଳର କି ଅନ୍ୟ ଜନ୍ତୁର, ତାକୁ ନେଇ ତର୍କବିତର୍କରେ ବନବିଭାଗ ବୁଡ଼ି ରହିଥିଲା। ମହାବଳର ମୃତ୍ୟୁ ଘଟିଥିବା ବନ ବିଭାଗ ମାନିବାକୁ ପ୍ରସ୍ତୁତ ନଥିଲା। ପଞ୍ଝା ଏବଂ ନିଶ ଜବତ ହେବା ପରେ ବି ବରଗଡ଼ ଡିଏଫ୍ଓ ଅଭୟ ଦଳେଇ ମହାବଳର ହତ୍ୟା ହୋଇଥିବା ମାନିବାକୁ ନାରାଜ। ଡେରାଡୁନ ଏବଂ ବେଂଗାଲୁରୁ ଠାରୁ ରିପୋର୍ଟ ଆସିବା ପରେ ହିଁ ସବୁ ଜଣାପଡ଼ିବ ବୋଲି ଶ୍ରୀ ଦଳେଇ କହୁଛନ୍ତି। ଯଦି ଅନ୍ୟ କୌଣସି ଜନ୍ତୁର ହତ୍ୟା କରାଯାଇଥିଲା, ତେବେ ଏହି ଅବଧି ମଧ୍ୟରେ ବନ ବିଭାଗ ମହାବଳକୁ ଖୋଜିବାକୁ କାହିଁକି ପ୍ରୟାସ କରିନଥିଲା ବୋଲି ଯୁକ୍ତି ଉଠୁଛି। ସୋମବାର କ୍ରାଇମବ୍ରାଞ୍ଚ ଏବଂ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ କରି ଫେରି ଯାଇଛନ୍ତି। ମାମଲାର ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ତଦନ୍ତ ବେଳେ ଉଭୟ ଟିମ୍ ସହ ସ୍ଥାନୀୟ ବନ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ। ତେଣୁ ତଦନ୍ତର ସ୍ବଚ୍ଛତା ଉପରେ ମଧ୍ୟ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଉଛନ୍ତି। ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା କିଭଳି ରହିଛି ତାହାର ତର୍ଜମା କରିବାକୁ ଏନଟିସିଏ ଟିମ୍ ଆସିଥିଲା। କିନ୍ତୁ ଅତି ସଂକ୍ଷିପ୍ତ ସମୟ ତନାଘନା ପରେ ଟିମ୍ ଫେରି ଯାଇଥିଲା। ଏତିକି ଅବଧି ମଧ୍ୟରେ ଏହି ଟିମ୍ କ’ଣ ରିପୋର୍ଟ ପ୍ରସ୍ତୁତ କରିବ, ତାହା ସମୟ କହିବ।

ସମ୍ବନ୍ଧିତ ଖବର