ଡେବ୍ରିଗଡ଼ ବାଘ ଶିକାର ଘଟଣା : ଏସ୍‌ଟିଏଫକୁ ତଦନ୍ତ ଦାୟିତ୍ବ, ରିମାଣ୍ଡରେ ଆସିବେ ୪ ଅଭିଯୁକ୍ତ

ଭୁବନେଶ୍ବର : ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଖଜୁରିଆ ଜଙ୍ଗଲରେ ବାଘ ଶିକାର ଘଟଣାର ଅଧିକ ଖୋଳତାଡ଼ କରିବ କ୍ରାଇମ୍‌ ବ୍ରାଞ୍ଚର ଏସଟିଏଫ୍। ଏସଟିଏଫ୍ ପକ୍ଷରୁ ଏନେଇ ୧୮/୧୮ରେ ଏକ ମାମଲା ରୁଜୁ ହୋଇଛି। ଖୁବ୍ ଶୀଘ୍ର ଏସଟିଏଫର ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ। ବାଘ ଶିକାର ସମ୍ପର୍କରେ ଅଧିକ ଖୋଳତାଡ଼ ପାଇଁ ଗିରଫ ହୋଇଥିବା ୪ ଜଣ ଶିକାରୀଙ୍କୁ ରିମାଣ୍ଡରେ ମଧ୍ୟ ଅଣାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।

ଏଡିଜି ଶ୍ରୀ ଉପାଧ୍ୟାୟଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଯେଉଁ ଜଙ୍ଗଲରେ ବାଘର ମୃତଦେହ ଜବତ ହୋଇଥିଲା, ତାହା ବରଗଡ଼ ଜିଲ୍ଲାର ସୀମାନ୍ତ ଅଞ୍ଚଳ। ତେଣୁ ଏହି ବାଘ ଶିକାର ପଛରେ କୌଣସି ଅନ୍ତଃରାଜ୍ୟ ଶିକାରୀ ଦଳ କାମ କରୁଛି କିମ୍ବା ନାହିଁ, ତାର ଯାଞ୍ଚ କରିବ ଏସଟିଏଫ୍। ସେମାନେ ପୂବର୍ରୁ ଏହି ଜଙ୍ଗଲରେ ଅନ୍ୟ ବନ୍ୟପ୍ରାଣୀ ଶିକାର କରିଥିବା ନେଇ ଖୋଳତାଡ଼ ହେବ। ଏହି ଶିକାରରେ ବନ ବିଭାଗ କର୍ମଚାରୀଙ୍କ ସଂପୃକ୍ତି ନେଇ ମଧ୍ୟ ଅନୁସନ୍ଧାନ କରାଯିବ। କାରଣ ଘଟଣାର କିଛି ଦିନ ପୂର୍ବରୁ ମହାନଦୀ ଡିଏଫ୍ଓଙ୍କ ହ୍ବାଟସଆପ ଗ୍ରୁପରେ ଜଙ୍ଗଲରୁ ସିସି କ୍ୟାମେରା କାଢ଼ି ଦେବାକୁ ଡିଏଫଓ ନିେର୍ଦଶ େଦଇଥିେଲ। କେଉଁ ପରିସ୍ଥିତିରେ ଡିଏଫ୍ଓ ଏଭଳି ନି‌ର୍ଦେଶ ଦେଇଥିଲେ, ତାର ମଧ୍ୟ ଯାଞ୍ଚ ହେବ ବୋଲି ଏଡିଜି ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି।

ଅପରପକ୍ଷେ ଗିରଫ ହୋଇଥିବା ଅଭିଯୁକ୍ତ ସୁଶୀଲ ଭୋଇ, ଗୌରୀ ମିର୍ଧା, ଜାକରିଆ ଟୁଡୁ, ସତ୍ୟବାନ ସାହୁ ପ୍ରମୁଖଙ୍କୁ ରିମାଣ୍ଡରେ‌ ଅଣାଯିବ। ସେମାନଙ୍କୁ ପଚରାଉଚରା କରାଯାଇ ସଂପୃକ୍ତ ଜଙ୍ଗଲରେ ଘଟିଥିବା ଅନ୍ୟ ବନ୍ୟପ୍ରାଣୀ ଶିକାର ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ତେଣୁ ଖୁବ୍ ଶୀଘ୍ର ଏସଟିଏଫ୍ ପକ୍ଷରୁ ସ୍ଥାନୀୟ କୋର୍ଟରେ ଆବେଦନ କରାଯିବ ବୋଲି ଏସଟିଏଫ୍ ଆଇଜି ଯତୀନ୍ଦ୍ର କୋଏଲ ସୂଚନା ଦେଇଛନ୍ତି।

ଏଠାରେ ପ୍ରକାଶଥାଉକି ଅଭିଯୁକ୍ତମାନେ ଗତ ମାସ ୧୩ ତାରିଖରେ ବିଦ୍ୟୁତ ତାର ବିଛାଇ ବାଘ ଶିକାର କରିଥିଲେ। ବାଘର ନଖ, ନିଶ, ପଞ୍ଝା, ଆଦି କାଢ଼ି ନେବା ପରେ ଘୋ‌ଷାଡ଼ି ଘୋଷାଡ଼ି ନେଇ ଅନ୍ୟ ଏକ ସ୍ଥାନରେ ପୋତି ଦେଇଥିଲେ। ପରେ ଗତ ମାସ ୨୮ ତାରିଖରେ ଜଙ୍ଗଲକୁ ସ୍ଥାନୀୟ ଜଣେ ବାସିନ୍ଦା ଯାଇଥିବା ବେଳେ ବାଘର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ବାଘ ଶିକାର ହେବା କାରଣରୁ ପ୍ରଶାସନ ପକ୍ଷରୁ ଫରେଷ୍ଟର ପର୍ଶୁରାମ ବେହେରା ଓ ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କୁ ନିଲମ୍ବିତ କରାଯାଇଥିଲା। ପରେ ବନ ବିଭାଗ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏବେ ରାଜ୍ୟ ସରକାର ଏହି ବାଘ ଶିକାର ଘଟଣାର ଏସଟିଏଫ୍ ତଦନ୍ତ ନି‌ର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର