‌ଡେବ୍ରିଗଡ଼ରେ ବାଘ ଶିକାର ଘଟଣା : ବାର୍‌ହା ଫାଶରେ ଫସିଥିଲା ମହାବଳ

ଆଜି କେନ୍ଦ୍ରୀୟ ଟିମ୍‌ର ତଦନ୍ତ, ଡିଏଫ୍ଓ ପୂରାଇଲେ କେଁ

ବରଗଡ଼ : ପଞ୍ଝା ମିଳିଲା, ନିଶ ମିଳିଲା। ଏସବୁ ଡେବ୍ରିଗଡ଼ ଅଭୟାରଣ୍ୟରେ ଥିବା ଏକମାତ୍ର ମହାବଳ ବାଘର ବୋଲି ଆରସିସିଏଫ୍ ଓ.ପି ସିଂହ କହୁଛନ୍ତି। ଗିରଫ ୪ଜଣ ଶିକାରୀ ବି ମାନିଲେ ଯେ ସେମାନେ ମହାବଳ ମାରିଛନ୍ତି ବୋଲି। ଅଥଚ ବରଗଡ଼ ଡିଏଫ୍ଓ ଅଭୟ ଦଳେଇ ଏଯାଏଁ ମାନିବାକୁ ନାରାଜ। ଡେରାଡୁନ ଏବଂ ବେଂଗାଲୁରୁ ରିପୋର୍ଟ ଆସିବା ପରେ ହିଁ ଗଳିତ ଶବ କାହାର ଜଣାପଡ଼ିବ ବୋଲି ଶ୍ରୀ ଦଳେଇ କହୁଛନ୍ତି। ଡିଏଫ୍ଓଙ୍କ ଏଭଳି ମନ୍ତବ୍ୟ ନାନାଦି ସନ୍ଦେହ ସୃଷ୍ଟି କରୁଛି। ଘଟଣା ପଛରେ ଆଉ କିଛି ରହସ୍ୟ ଥାଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି।
ମାମଲାର ଖୋଳତାଡ଼ ପାଇଁ ଆସନ୍ତାକାଲି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ)ର ଦୁଇ ଜଣିଆ ଟିମ୍ ସରଜମିନ ତଦନ୍ତ କରିବ। ଟିମ୍‌ର ସଦସ୍ୟ ଏନ୍‌ଟିସିଏ, ନାଗପୁରର ଏଆଇଜିଏଫର ହେମନ୍ତ କାମଡ଼ି ରବିବାର ସନ୍ଧ୍ୟାରେ ବରଗଡ଼ ପହଞ୍ଚିଛନ୍ତି। ଏମାନଙ୍କ ସହ କ୍ରାଇମବ୍ରାଞ୍ଚ ଟିମ୍ ମଧ୍ୟ ଆସିବେ ବୋଲି ବିଶ୍ବସ୍ତସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ମହାବଳ ମାରିଥିବା ୪ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଖଜୁରିଆ ଗାଁର ସତ୍ୟବାନ ସାହୁ, ସୁଶୀଲ ଭୁଏ, କୁଡ଼ାପଡ଼ାର ଗୌରୀ ମିର୍ଦ୍ଧା ଏବଂ ମୁଣ୍ଡାପଡ଼ାର ଜାକ୍ରିଆ ଟୁଡ଼ୁ। ଏମାନଙ୍କ ପାଖରୁ ଗୋଟିଏ ଟାଂଗିଆ, ପଞ୍ଝା ଏବଂ ୭ଟି ନିଶ ଜବତ ହୋଇଛି। ଗୌରୀ ପାଖରୁ ପଞ୍ଝା ଓ ୪ଟି ନିଶ, ଜାକ୍ରିଆ ପାଖରୁ ୩ଟି ନିଶ ମିଳିଛି। ସତ୍ୟବାନ ନାମରେ ଆଗରୁ ହୀରାକୁଦରେ ପଶୁ ଶିକାର ମାମଲା ରହିଛି। ଅଭିଯୁକ୍ତମାନଙ୍କ ବୟାନ ଅନୁଯାୟୀ, ଗତମାସ ୧୩ ତାରିଖ ସେମାନେ ବାରହା ଶିକାର କରିବା ପାଇଁ କ୍ଷେତ ପାଖରେ ବିଦ୍ୟୁତ ତାର ଲଗାଇ ଫାଶ ପକାଇଥିଲେ। ସକା‌ଳୁ ଦେଖିବା ବେଳକୁ ଫାଶରେ ମହାବଳ ଫସି ଥିଲା। ସେମାନେ ବାଘର ପଞ୍ଝା ଏବଂ ନିଶ କାଢ଼ି ନେବା ପରେ ଶବକୁ ଖଜୁରିଆ ଗାଁ ପାଖ ଜଂଗଲ ଭିତରେ ପୋତି ଦେଇଥିଲେ। ପଞ୍ଝାକୁ ନିକଟସ୍ଥ ଜଂଗଲରେ ଲୁଚାଇ ଦେଇଥିଲେ। ବନ ବିଭାଗ ବରଗଡ଼ ରେଂଜ କେସ ନମ୍ବର ୪୩ (୨୦୧୮/୧୯), ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର