ସନ୍ଦେହରେ ଡାକ୍ତରଙ୍କ ମୃତ୍ୟୁ

ପୁରୁଣା ଭୁବନେଶ୍ୱର : ଜଣାଶୁଣା ଶିଶୁ ବିଶେଷଜ୍ଞ ଡା. ରବୀନ୍ଦ୍ର ନାଥ ରଥ(୬୪)ଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜିଆରପି ଥାନା ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଡା. ରଥଙ୍କ ମୃତ୍ୟୁକୁ ତାଙ୍କ ପରିବାର ଲୋକ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ରୋଗୀ ଦେଖିବା ବାହାନାରେ ତାଙ୍କୁ ଡାକି ନେଇ କେହି ଦୁର୍ବୃତ୍ତ ହତ୍ୟା କରିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋଗକୁ ଗୁରୁତ୍ୱର ସହ ନେଇ ପୁଲିସ ଏ ଦିଗରେ ଛାନଭିନ୍‌ ଆରମ୍ଭ କରିଛି।

ଡାକ୍ତର ରଥ ଗତ ରାତିରେ ଜଣେ ଯୁବକଙ୍କ ସହ ଏକ ବାଇକ୍‌ରେ ଷ୍ଟେସନ୍‌ ଆସିଥିବା ପୁଲିସ ଷ୍ଟେସନ୍‌ ଆଗରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଜାଣିବାକୁ ପାଇଛି। କିନ୍ତୁ ତାଙ୍କୁ ବାଇକ୍‌ରେ ନେଇଥିବା ବ୍ୟକ୍ତିଜଣଙ୍କ କିଏ, ପୁଲିସ ତାହା ଜାଣି ପାରି ନାହିଁ।

ସୂଚନା ଅନୁଯାୟୀ, ସାମନ୍ତରାପୁର ନିକଟ ମହାବୀର ଲେନ୍‌-୩ରେ ରହୁଥିବା ଡା. ରଥ ବିଏମ୍‌ସି ହସ୍ପିଟାଲରେ ବରିଷ୍ଠ ଶିଶୁ ବିଶେଷଜ୍ଞ ଭାବେ କାର୍ଯ୍ୟ କରନ୍ତି। ସନ୍ଧ୍ୟାରେ ସେ ସାମନ୍ତରାପୁର ଛକ ନିକଟ ମନୋରାମା ମେଡିସିନ୍‌ ଷ୍ଟୋରଠାରେ ଶିଶୁମାନଙ୍କ ଚିକିତ୍ସା କରନ୍ତି। ଗତକାଲି ସେ ଶିଶୁମାନଙ୍କୁ ଦେଖୁଥିବା ବେଳେ ରାତି ପ୍ରାୟ ୯ଟା ୧୫ରେ ତାଙ୍କ ଫୋନକୁ ଏକ କଲ୍‌ ଆସିଥିଲା। ୧୦ ମିନିଟ୍‌ରେ ଆସୁଛି ବୋଲି କହି ସେ ସେଠାରୁ ପଳାଇ ଯାଇଥିଲେ। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜଖବର ନ ମିଳିବାରୁ ପରିବାର ଲୋକ ତାଙ୍କୁ ଫୋନ୍‌ କରିଥିଲେ। ସେ ଭୁବନେଶ୍ୱର ରେଳ ଷ୍ଟେସନ୍‌ର ୬ ନମ୍ବର ପ୍ଲାଟ୍‌ଫର୍ମରେ ଚେତାଶୂନ୍ୟ ହୋଇ ପଡ଼ିଥିବା ଜାଣିବାକୁ ପାଇବା ପରେ ତାଙ୍କର ଦୁଇ ପୁଅ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୁଣ୍ଡ ପଛ ଓ ଆଗ ପଟ ସମେତ ଛାତି ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା।

ତେବେ ଡାକ୍ତର ରଥଙ୍କୁ କିଏ ଫୋନ୍‌ କରିଥିଲା? ଏତେ ରାତିରେ ସେ ଷ୍ଟେସନ୍‌ କାହିଁକି ଗଲେ? ସେଠାରେ ତାଙ୍କର କେମିତି ମୃତ୍ୟୁ ଘଟିଲା? ଏସବୁ ପ୍ରଶ୍ନ ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ସେହିପରି ଷ୍ଟେସନ୍‌ରେ ଲାଗିଥିବା ସିସିଟିଭିରେ ଡା. ରଥ ଦୌଡ଼ୁଥିବା ଫୁଟେଜ୍‌ କଏଦ୍‌ ହୋଇଥିଲେ ହେଁ ତାଙ୍କୁ ଉଦ୍ଧାର କରାଯାଇଥିବା ସ୍ଥାନରେ ସିସିଟିଭି ନଥିଲା। ତେଣୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅପରପକ୍ଷେ ବାଇକ୍‌ ଚାଳକ କିମ୍ବା ବାଇକ୍‌ର ନମ୍ବର ବିଷୟରେ ଜାଣିବା ପାଇଁ ପୁଲିସ ସ୍ଥାନୀୟ ଦୋକାନୀ ଓ ଲୋକମାନଙ୍କୁ ପଚରାଉଚରା କରିଥିବା ଜଣାଯାଇଛି। ଏ ଦିଗରେ ଅଧିକ ଅନୁସନ୍ଧାନ ଚାଲିଛି ବୋଲି ଜିଆରପି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର