ଗୋପାଳପୁର ଠାରୁ ୫୭୦ କିଲୋମିଟର ଦୂରରେ ଡିପ୍‌ ଡିପ୍ରେସନ, ଘଣ୍ଟାପ୍ରତି ୧୧ କିମି ବେଗରେ ଉପକୂଳ ଆଡକୁ ମାଡ଼ି ଆସୁଛି,

 ୧୫ଟି ଜିଲ୍ଲା ପାଇଁ ରେଡ୍‌ ଓ୍ଵାର୍ଣ୍ଣିଂ

 

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍‌୍‌ ଡିିପ୍ରେସନ୍‌ରେ ପରିଣତ ହୋଇଛି।ଗତକାଲି ବିଳମ୍ବିତ ରାତିରେ ଏହା ଡିପ୍‌ ଡିପ୍ରେସନ୍‌ରେ ପରିଣତ ହେବା ପରେ ଏହାସାମୁଦ୍ରକ ଝଡ଼ର ରୂପନେବ।ଏହା ଆସନ୍ତା ୭୨ ଘଣ୍ଟା ମଧ୍ୟରେ ସାମୁଦ୍ରୀକ ଝଡ଼ର ରୁପ ନେବ ବୋଲିି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବର୍ତ୍ତମାନ ଏହି ଡିପ୍‌ ଡିପ୍ରେସନ ଗୋପାଳପୁର ଠାରୁ ୫୭୦ କିଲୋମିଟର ଦୂରରେ ଥିବା ବେଳେ ଏହା ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଆଜି ସକାଳ ୮ଟା ବେଳେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି ଯେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଗାମୀ ୭୨ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ର ରୂପ ନେଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଅଭିମୁଖେ ଗତି କରିବ। ଏହାର ପ୍ରଭାବରେ ଉପକୂଳରେ ଆଜି ସନ୍ଧ୍ୟାରୁ ୫୫ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହିତ ଏହା ଧୀରେ ଧୀରେ ବୃଦ୍ଧି ପାଇ ଆସନ୍ତା କାଲି ଓ ପହରିଦିନ ରାଜ୍ୟର ଉପକୂଳ ଓ ଦକ୍ଷିଣ ଭାଗରେ ପ୍ରବଳ ବର୍ଷା ସହିତ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବ। ସ୍ଥଳବିଶେଷରେ ୧୦୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ୧୦ ଓ ୧୧ ତାରିଖରେ ସମୁଦ୍ର ଭୟଙ୍କର ଭାବେ ଅଶାନ୍ତ ରହିବାର ଆଶଙ୍କା ଥିବାରୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରି ଦିଆଯାଇଛି। ସେହିପରି ରାଜ୍ୟର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ଯେ ଆସନ୍ତା କାଲି ରାଜ୍ୟର ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହେବ ବୋଲି ସେହି ସବୁ ଜିଲ୍ଲା ପାଇଁ ରେଡ୍‌ ଓ୍ଵର୍ଣ୍ଣିଂ ଦିଆଯାଇଛି। ସେହିପରି ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦିଆଯାଇଛି।ତେବେ ପରଦିନ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ। ୧୧ ତାରିଖରେ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି ,ଖାର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଭଦ୍ରକ, ଗଞ୍ଜାମ ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଢ଼େଙ୍କାନାଳ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହେବ ବୋଲି ଏହି ୧୫ଟି ଜିଲ୍ଲା ପାଇଁ ରେଡ ଓ୍ଵାର୍ଣ୍ଣିଂ ନୋଟିସ ଜାରି କରିଛି ପାଣିପାଗ ବିଭାଗ।

ସମ୍ବନ୍ଧିତ ଖବର