ଅବପାତର ରୂପ ନେଉଛି ଲଘୁଚାପ

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପରେ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ। ଫଳରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ। ଗୋଟିଏ ଦୁଇଟି ସ୍ଥାନରେ ୨୨୦ ମିମିରୁ ଅଧିକ ବର୍ଷା ହୋଇପାରେ। ଏହି ଲଘୁଚାପ ପରେ ପରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧିଲାଣି। ଅଗଷ୍ଟ ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପ ସାଗରରେ ଏହି ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ୧୮ ତାରିଖଠାରୁ ପୁଣିଥରେ ବର୍ଷା ବଢ଼ିବ।

ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, କଟକ, ପୁରୀ, ଖୋର୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ବର୍ଷା ସାଙ୍ଗକୁ ଘନଘନ ବଜ୍ରପାତ ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ। ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, ପୁରୀ, ରାୟଗଡ଼ା, ନବରଙ୍ଗପୁର, ନୟାଗଡ଼ ପ୍ରଭୃତି ଜିଲ୍ଲାରେ ବଜ୍ରପାତ ହେବାର ସମ୍ଭାବନା ଅଧିକ। ତେଣୁ ୧୬ ତାରିଖ ସକାଳ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ ବିଜ୍ଞାନୀଙ୍କ ଆକଳନ କହୁଛି, ଏବେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବ। ପ୍ରଭାବରେ ୧୫ ଓ ୧୬ ତାରିଖରେ ବର୍ଷା ଲାଗି ରହିବ। ଏହି ସମୟରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାରେ ଏଣିକି ବର୍ଷା କମିବ। ୧୬ ତାରିଖ ଅପରାହ୍ନ ନ ହେଲେ ରାତି ମଧ୍ୟରେ ଅବପାତ ଉତ୍ତର ପଶ୍ଚିମ ଓଡ଼ିଶା ଦେଇ ଅତିକ୍ରମ କରିବ। ଏହି ସମୟରେ ପଶ୍ଚିମ ଓଡ଼ିଶାରେ ବି ପ୍ରବଳ ବର୍ଷା ହୋଇପାରେ। ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୨୧ ତାରିଖ ଯାଏ ବର୍ଷା ଲାଗିରହିବ।

ଗତ ୩୨ ଘଣ୍ଟା ମଧ୍ୟରେ ଭବାନୀପାଟଣାରେ ସର୍ବାଧିକ ୧୮୬.୮ ମିମି ବର୍ଷା ହୋଇଛି। ଏହାବ୍ୟତୀତ କୋରାପୁଟରେ ୮୭.୨, ସମ୍ବଲପୁରରେ ୮୬.୭, ଟିଟିଲାଗଡ଼ରେ ୮୧, ଭୁବନେଶ୍ୱରରେ ୫୧ ମିମି ବର୍ଷା ହୋଇଛି। ପ୍ରବଳ ବର୍ଷା ହେବା ନେଇ ୧୪ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର।

ଅନ୍ୟପକ୍ଷରେ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆପଦକାଳୀନ କୃଷି ପଦକ୍ଷେପ ନେଇ ଓୟୁଏଟିସ୍ଥିତ କୃଷି ପାଣିପାଗ ଉପ ବିଭାଗ ଓ କୃଷି ନିର୍ଦେଶାଳୟ କୃଷକଙ୍କ ପାଇଁ ଉପଦେଶ ଜାରି କରିଛି। ଅତ୍ୟଧିକ ପାଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଫସଲ ପାଇଁ ଢିପ ଜମିରେ ଅଣଧାନ ଫସଲ ଆଂଶିକ କ୍ଷତି ହୋଇଥିଲେ ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହି ସମୟରେ ରୋକପୋକ ଅଧିକ ବ୍ୟାପିବାର ଆଶଙ୍କା ରହିଛି। ଧାନ ଫସଲରେ କାଣ୍ଡବିନ୍ଧା ଓ ଲେଡ଼ା ପୋକ ଲାଗିବାର ସମ୍ଭାବନା ଅଧିକ। ଏଥିସହ ମହିଷା ରୋଗ, ପତ୍ରାଚ୍ଛଦ ପତ୍ରପୋଡ଼ାରୋଗ, ଚେର ସଢ଼ା ରୋଗ ଆଦି ମଧ୍ୟ ହୋଇପାରେ। ତାହାକୁ ଦୃଷ୍ଟିରେ ରଖି ଚାଷୀ ଭାଇ ମାନେ ଜମିରେ ଔଷଧ ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଇଛି।

ଖରିଫ ମୁଗ, ବିରି, ଚିନାବାଦାମରେ ଜଉ ଓ ଉକୁଣିଆ ପୋକ ଲାଗିବାର ଅଧିକ ସମ୍ଭାବନା ଥିବାରୁ ଏଥିପ୍ରତି କୃଷକମାନେ ଦୃଷ୍ଟି ଦେବାକୁ କୁହାଯାଇଛି। ବାଇଗଣରେ ଫଲ ଓ କାଣ୍ଡବିନ୍ଧା ପୋକ, ଲଙ୍କାରେ ଉକୁଣିଆ ପୋକ ଓ ଅଷ୍ଟପଦି ଏବଂ କଖାରୁ ଜାତୀୟ ଫସଲରେ ଫଳମାଝିର ପ୍ରଭାବ ବଢ଼ିବାର ଆଶଙ୍କା ରହୁଛି। କାକୁଡ଼ି ଓ କଲରାରେ ଫଳମାଛି, ଲଟାଜାତୀୟ ଏବଂ ବାଇଗଣ ଫସଲରେ କାଙ୍କିଆ ପୋକ ଲାଗିଲେ ତାହାର ଦମନ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ମତ୍ସ୍ୟ ସମ୍ପଦ ନିର୍ଦେଶାଳୟ ପକ୍ଷରୁ ମଧ୍ୟ ପୋଖରୀରେ ଜାଆଁଳ ଛାଡ଼ିବା ପୂର୍ବରୁ କିଭଳି ପରିଚାଳନା କରିବେ ସେନେଇ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର