୮ରେ ଲଘୁଚାପ ସମ୍ଭାବନା : ଦକ୍ଷିଣ-ଉପକୂୂଳରେ ପ୍ରବଳ ବର୍ଷିବ!

୫୦ରୁ ୬୦ କିମି ବେଗରେ ପବନ ବହିବ, ବଜ୍ରପାତର ବି ଆଶଙ୍କା

0 682

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁବା ପୂର୍ବରୁ ବୁଧବାର ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ। ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ବୋହିବା ସହ ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ। ଜୁନ୍‌ ୭ରେ ଓଡ଼ିଶାରେ ସେଭଳି ବର୍ଷା ହେବ ସମ୍ଭାବନା ନାହିଁ। କିନ୍ତୁ ଉତ୍ତର ଓଡ଼ିଶାରେ କାଳବୈଶାଖୀ ଆଶଙ୍କା ରହିଛି।

ଜୁନ୍‌ ୮ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଲଘୁଚାପ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ଟାଣି ହୋଇ ଆସିବ। ଫଳରେ ଦକ୍ଷିଣ ଓ ଉପକୂୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ୫୦ରୁ ୬୦ କିମି ବେଗରେ ପବନ ହେବ। ବଜ୍ରପାତର ବି ଆଶଙ୍କା ରହିଛି। ଜୁନ୍‌ ୯ରୁ ୧୦ ତାରିଖ ମଧ୍ୟରେ ଓଡ଼ିଶାରେ ମୌସୁମୀ ବାୟୁ ପହଞ୍ଚିବା ଲାଗି ପାଗ ଅନୁକୂଳ ରହୁଥିବା ନେଇ ପାଣିପାଗ ବିଭାଗ କହିଛି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ବାରିପଦାରେ ସର୍ବାଧିକ ୨୮ ମିମି ବର୍ଷା ହୋଇଥିବା ବେଳେ ଅନୁଗୁଳରେ ୨୫, ଢେଙ୍କାନାଳରେ ୧୬, କେନ୍ଦୁଝରରେ ୪, ଟିଟିଲାଗଡ଼ରେ ୩.୨ ମିମି ବର୍ଷା ହୋଇଛି। କେତେକ ସ୍ଥାନରେ ହାଲକା ବର୍ଷା ରେକର୍ଡ ହୋଇଛି। ତେବେ ପଶ୍ଚିମ ଓଡ଼ିଶାରେ ଆଜି ମଧ୍ୟ ତାତି ଜାରି ରହିଛି। ଟିଟିଲାଗଡ଼ ତାପମାତ୍ରା ୪୧ ଡିଗ୍ରି ଉପରେ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.