୬ରେ ସୃଷ୍ଟି ହେବ ଲଘୁଚାପ

ଭୁବନେଶ୍ୱର : ଅଗଷ୍ଟ ୬ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିସହ ଉତ୍ତର ପଶ୍ଚିମ ବଙ୍ଗୋପସାଗର, ପଶ୍ଚିମବଙ୍ଗ ଓ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ରହିଥିବାରୁ ଆସନ୍ତା ୫ ତାରିଖ ରାତି ବେଳକୁ ବର୍ଷା ପରିମାଣ ବଢ଼ିବ। ଉତ୍ତର ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ ଅଗଷ୍ଟ ୭ ତାରିଖ ଯାଏ ବର୍ଷା ଲାଗିରହିବ। ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶା, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିବ। ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ପୁରୀ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଖୋର୍ଧାରେ ପ୍ରବଳ ବର୍ଷା ହେବ। ଏହି ସମୟରେ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ। ଘଣ୍ଟାପ୍ରତି ୩୫ରୁ ୪୫ କିମି ବେଗରେ ପବନ ବୋହିବ। ତାହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଅଗଷ୍ଟ ୫ରୁ ଓଡ଼ିଶାରେ ବର୍ଷା ବଢ଼ିବା ନେଇ ସପ୍ତାହକ ତଳେ ପାଣିପାଗ ବିଜ୍ଞାନୀ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଥିଲେ। ଆଜି ସେ ଆକଳନ କରିଛନ୍ତି ଯେ ଆସନ୍ତା ୫ ତାରିଖରେ ଉତ୍ତର ବଙ୍ଗୋପସାଗର, ବାଙ୍ଗଲାଦେଶ ଓ ପଶ୍ଚିମବଙ୍ଗ ଉପରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ୨୪ ଘଣ୍ଟା ପରେ ତାହା ପଶ୍ଚିମବଙ୍ଗ ଦେଇ ବିହାର ଉପରେ ରହିବ। ଏହାପରେ ଲଘୁଚାପ ବଳୟ ପଶ୍ଚିମ ଦିଗକୁ ଗତି କରି ଉତ୍ତର ପ୍ରଦେଶ ଉପରେ ରହିବ। ଏହା ବିସ୍ତିର୍ଣ୍ଣ ଟ୍ରପ୍‌ ଲାଇନ୍‌ ସୃଷ୍ଟି କରିବ।

ଅନୁମାନ କରାଯାଉଛି ଯେ ଆସନ୍ତା ୫ ତାରିଖଠାରୁ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ମଧ୍ୟମଧରଣର ବର୍ଷା ହୋଇପାରେ। ୬ ତାରିଖରେ ବର୍ଷାର ପ୍ରକୋପ ଆହୁରି ବଢ଼ିବ। ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଭୁବନେଶ୍ୱର ସମେତ ଅନ୍ୟାନ୍ୟ ଉପକୂଳ ଅଞ୍ଚଳରେ ବର୍ଷା ଲାଗିରହିବ। ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ସମ୍ଭାବନା କମ୍‌ ରହିଛି। ୭ ତାରିଖ ବେଳକୁ ବର୍ଷାର ପରିମାଣ କମିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର