ଦୀପ୍‌ଜ୍ୟୋତି ହତ୍ୟାକାଣ୍ଡକୁ ୫ ମାସ ବିତିଲା : ହତ୍ୟାକାରୀଙ୍କୁ ଘଣ୍ଟ ଘୋଡ଼ାଉଛି ପୁଲିସ

ମୁଖ୍ୟ ଶାସନ ସଚିବଙ୍କୁ ଗୁହାରି ଜଣାଇଲେ ବାପାମା’

ଯାଜପୁର/ଚଣ୍ଡିଖୋଲ : ବାଲିଚନ୍ଦ୍ରପୁର ଦୀପଜ୍ୟୋତି ହତ୍ୟା ଘଟଣାରେ ପୁଲିସର ଭୂମିକାକୁ ସନ୍ଦେହ କରି ବାପାମା’ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଗୁହାରି ଜଣାଇଛନ୍ତି। ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରିବାକୁ ସେମାନେ ଦାବି ଜଣାଇଛନ୍ତି।

ଆଜିକୁ ଠିକ୍‌ ୫ମାସ ପୂର୍ବରୁ ଜୁନ୍‌ ୨ ତାରିଖ ସଂଧ୍ୟାରେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବରପଦା ପଞ୍ଚାୟତ ନିଆଳି ଗ୍ରାମର ଗଗନ ବିହାରୀ ଓଝାଙ୍କ ୨୮ବର୍ଷର ଏକ ମାତ୍ର ପୁଅ ଦୀପଜ୍ୟୋତି(ଧୁନ)କୁ ନିର୍ମମ ଭାବେ ହତ୍ୟା କରି ନଦୀକୁ ଫିଙ୍ଗି ଦେଇଥିଲେ। ଦୀପଜ୍ୟୋତିକୁ ହତ୍ୟା କରାଯାଇଥିବାର ବାଲିଚନ୍ଦ୍ରପୁର ଥାନା ପୁଲିସ ନିଶ୍ଚିତ ହୋଇ ହତ୍ୟା ମାମଲା ରୁଜୁ କରି ଚୁପ୍‌ ହୋଇ ବସିଯାଇଛି। ଦୀର୍ଘ ୫ ମାସ ପରେ ମଧ୍ୟ ହତ୍ୟାକାରୀକୁ ଧରିବାର ଦୂରର କଥା ଚିହ୍ନଟ ମଧ୍ୟ କରିପାରି ନାହିଁ। ଏଥି ମଧ୍ୟରେ ଯାଜପୁରରୋଡ଼ ଏସଡ଼ିପିଓ ଯୁଗଳ କିଶୋର ଦାସ ଓ ଏସପି ଚରଣ ସିଂ ମୀନା ଘଟଣାସ୍ଥଳ ଅନୁସନ୍ଧାନ କରି ଫେରିଆସିଛନ୍ତି। ଅଥଚ ହତ୍ୟାକାଣ୍ଡ ରହସ୍ୟ ପୁଲିସ ଉନ୍ମୋଚନ କରୁନାହିଁ! ନା କରିପାରୁ ନାହିଁ! ଯାହାକୁ ନେଇ ଦିନକୁ ଦିନ ପୁଲିସ ସନ୍ଦେହ ଘେରକୁ ଠେଲି ହେବା ସହିତ ନିକମାପଣିଆର ପରିଚୟ ଦେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି।

ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସୁଶାନ୍ତ ଦାସ ୫ ମାସ ହେଲା କହୁଛନ୍ତି ତଦନ୍ତ ଚାଲିଛି। କ୍ଲୁ ଖୋଜୁଛୁ। କେବେ ସରିବ ତଦନ୍ତ? କେବେ ମିଳିବ କ୍ଲୁ? କେବେ ଧରିବେ ହତ୍ୟାକାରୀକୁ? ନା ରାଜନେତାଙ୍କ ଚାପରେ ପୁଲିସ ସବୁ ଜାଣି ନିଜକୁ ଅସହାୟ ମଣୁଛି! ଅନ୍ୟପଟେ ପୁଅର ହତ୍ୟାକାରୀକୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଏସ୍‌ପି, ଜିଲ୍ଲାପାଳ ଡିଜି ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଫେରାଦ ହେବା ପରେ ଏବେ ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଦୀପଜ୍ୟୋତିଙ୍କ ଶୋକାତୁର ବାପାମାା

ମୃତ ଦୀପଜ୍ୟୋତିଙ୍କ ବାପା ଗଗନ ଓଝା ଅଭିଯୋଗ କରିଛନ୍ତି ୫ ମାସ ତଳେ ଗତ ଜୁନ୍‌ ୨ ତାରିଖ ଦିନ ସଂଧ୍ୟାରେ ତାଙ୍କ ପୁଅ ଗ୍ରାମ ପାଖ ନଦୀକୁ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ଦୀପଜ୍ୟୋତି ନଦୀକୁ ଯିବାର ମାତ୍ର ଅଧଘଣ୍ଟା ପରେ ତାର ସାଙ୍ଗ ଦାମୋଦର ମହାରଣା ପୁଅର ମୋବାଇଲ ଆଣି ତାଙ୍କ ଘରେ ଦେଇଥିଲା। ଦାମୋଦର ମୋବାଇଲ ଦେବା ବେଳେ ବିଚଳିତ ଥିବାର ପରିବାର ଲୋକ ଲକ୍ଷ୍ୟ କରିଥିଲେ। ସେହି ସଂଧ୍ୟାରେ ପରିବାର ଲୋକ ଓ ଗ୍ରାମ ଲୋକ ନଦୀରେ ଖୋଜା ଖୋଜି କରି ନପାଇବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମଧ୍ୟ କୌଣସି ସୁରାଗ ପାଇ ନଥିଲା। ଘଟଣା ପର ଦିନ ଓଡ୍ରାଫ୍‌ ଟିମ୍‌ ଓ ପୁଲିସ ନଦୀ ପାଣିରେ ଖୋଜା ଖୋଜି କରିଥିଲେ। ମାତ୍ର କୌଣସି ସୂଚନା ନପାଇ ଫେରିଯାଇଥିଲେ। ସେଦିନ ସଂଧ୍ୟାରେ ଗ୍ରାମର ମହିଳାମାନେ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଦୀପଜ୍ୟୋତିଙ୍କ ଶବ ଭାସୁଥିବାର ଦେଖିଥିଲେ।

ହତ୍ୟାକାଣ୍ଡ ଦିନ ଦୀପଜ୍ୟୋତିର ଚପଲ ଭିନ୍ନ ଭିନ୍ନ ସଂସ୍ଥାରେ ପଡ଼ିଥିଲା। ଗାମୁଛା ମଧ୍ୟ ନଦୀକୂଳରେ ପଡ଼ିଥିଲା। ଚପଲ ଓ ଗାମୁଛା ମିଳିଥିବା ସ୍ଥଳରୁ ନଦୀର ଉପମୁଣ୍ଡରେ ଦୀପଜ୍ୟୋତି ଶବ ମିଳିଥିଲା। ଶବର ମୁଣ୍ଡ, ଛାତି, ଗୋଡ଼ରେ ଆଘାତ ଲାଗିଥିଲା। ଏପରିକି ବ୍ୟବଚ୍ଛେଦ ରିପୋର୍ଟରୁ ମଧ୍ୟ ହତ୍ୟାକାଣ୍ଡ ବୋଲି ପ୍ରମାଣିତ ହୋଇଯାଇଛି। ୫ ମାସ ହେଲା ଏତେ ପ୍ରମାଣ ପୁଲିସ ପାଇବା ପରେ ଆଉ କେଉଁ ସୁରାଗକୁ ଥାନା ଅଧିକାରୀ ଅପେକ୍ଷା କରିଛନ୍ତି, ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୁହାଯାଉଛି ଯେ ରାଜନେତାଙ୍କ ଚାପରେ ଥାନା ଅଧକାରୀ ନିରବ ଅଛନ୍ତି। କେବଳ ବାହାନା କରିଚାଲିଛନ୍ତି।

ସମ୍ବନ୍ଧିତ ଖବର