ନିର୍ବାଚନ ପୂର୍ବରୁ ହରିଣ ଭୋଜି: ମାଂସ କାଟିବା ବେଳେ ଧରାପଡ଼ିଲେ

ଜଣେ ଗିରଫ, ୬ ଫେରାର୍

ପୁରୀ: ନିର୍ବାଚନ ପୂର୍ବରୁ ଭୋଜି ପାଇଁ ହରିଣ ଶିକାର କରିଥିଲେ। ହରିଣକୁ ମାରି ମାଂସ ନେବା ପରେ ଜଣେ ଧରାପଡ଼ିଥିବା ବେଳେ ୬ ଜଣ ଫେରାର ହୋଇ ଯାଇଛନ୍ତି। ଘଟଣାସ୍ଥଳରୁ ହରିଣର ଚମଡ଼ା ଓ ରୁମ ଜବତ କରିଛି ବନ ବିଭାଗ। ଅଟକ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଡିଏଫ୍‌ଓ ବିଶାଲ ରଞ୍ଜନ ଦାସ। ଚିଲିକା ବନଖଣ୍ଡର ସାତପଡ଼ା ରେଞ୍ଜରେ ଏହି ହରିଣ ଶିକାର କରାଯାଇଛି। ବ୍ରହ୍ମଗିରି ଥାନା ଅନ୍ତର୍ଗତ ବଳଭଦ୍ରପୁରର ୭/୮ଜଣ ଯୁବକ ଏକ ହରିଣ ମାରିଥିଲେ। ସେମାନେ ହରିଣକୁ ଆଣି ସ୍ବର୍ଗତ ବାଙ୍କନିଧି ଜାଲିଙ୍କ ବଗିଚାରେ ମାଂସ କାଟିଥିଲେ। ମାଂସ କାଟି ନିଆଯିବା ପରେ ସେହି ସ୍ଥାନକୁ ସଫା କରିବା ସମୟରେ ଖବର ପାଇଥିଲା ବନ ବିଭାଗ। ସାତପଡ଼ା ରେଞ୍ଜ ଅଧିକାରୀ ମାନସ ରଞ୍ଜନ ମହାପାତ୍ର ଘଟଣାସ୍ଥଳରେ ଚଢ଼ାଉ କରିଥିଲେ। ଘଟଣାସ୍ଥଳରେ ମୃତ ହରିଣର କିଛି ଚମଡ଼ା ଏବଂ ରୁମ ମିଳିଥିଲା। ପରେ ବଗିଚାର ମାଲିକ ବିକାଶ କୁମାର ଜାଲି (୩୫)ଙ୍କୁ ସାତପଡ଼ା ରେଞ୍ଜ ଅଧିକାରୀ ଗିରଫ କରିଥିଲେ। ବୁଧବାର ତାଙ୍କୁ କୋର୍ଟ ଚାଲାଣ କରାଯିବ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ ପୂର୍ବରୁ ଏକ ଭୋଜିର ଆୟୋଜନ କରାଯାଇଥିଲା। ଏଥି ପାଇଁ ୭/୮ଜଣ ଯୁବକ ମିଶି ହରିଣ ଶିକାର କରିଥିଲେ। କିଛି ଛାମୁଆ ନେତାଙ୍କ ଘରକୁ ହରିଣ ମାଂସ ପଠାଯାଇଥିଲା। ବଳକା ମାଂସକୁ ଭୋଜି କରିବାକୁ ଯୋଜନା ଥିଲା ବୋଲି ଜଣାପଡ଼ିଛି। ଭୋଜି ଯୋଜନା ସମ୍ପର୍କରେ ଜାଣିବା ପରେ କିଛି ଲୋକ ଜଙ୍ଗଲ ବିଭାଗକୁ ଖବର ଦେବା ପରେ ସେଠାରେ ଚଢ଼ଉ କରାଯାଇଥିଲା।

ସମ୍ବନ୍ଧିତ ଖବର