ବାଲୁଖଣ୍ଡରେ ହରିଣ ଠାବ, କ୍ୟାମେରାରେ ଟ୍ରାପ୍‌ ‌ହେଲେ ୪ ଦଳ

ପୁରୀ : ବାତ୍ୟା ‘ଫନି’ ଯିବାର ୧୨ ଦିନ ପରେ ବାଲୁଖଣ୍ଡ ଅଭୟାରଣ୍ୟକୁ ଫେରୁଛନ୍ତି ହରିଣ ପଲ। ମଙ୍ଗଳବାର ବିଳମ୍ବିତ ରାତିରେ ବନ ବିଭାଗ ହରିଣଙ୍କୁ ଠାବ କରିଛି। ଦୁଇଟି ପର୍ଯ୍ୟାୟରେ ୪ ପଲ ହରିଣଙ୍କୁ ଠାବ କରାଯାଇଛି। ରାତିରେ ଖାଦ୍ୟ ଖାଇବାକୁ ବାହାରିଥିବା ବେଳେ ହରିଣ ପଲ କ୍ୟାମେରାରେ ଟ୍ରାପ୍ ହୋଇଥିବା ପୁରୀ ବନ୍ୟପ୍ରାଣୀ ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା କହିଛନ୍ତି। ଏଥିରେ ବେଶ୍‌ ଉତ୍ସାହିତ ହୋଇ ପଡ଼ିଛନ୍ତି ବିଭାଗୀୟ କର୍ମଚାରୀ। ଆଜି ଆହୁରି ଅଧିକ କ୍ୟାମେରା ଲଗାଯିବ ବୋଲି ବନ ବିଭାଗ ପକ୍ଷରୁ ସ୍ଥିର ହୋଇଛି।

ମଙ୍ଗଳବାର ରାତି ୧୧ଟା ୪ ମିନିଟ୍‌। ହଠାତ୍‌ କ୍ୟାମେରା ଲେନ୍‌ସରେ ଦେଖିବାକୁ ମିଳିଥିଲେ ଦଳେ ହରିଣ। ବନ ବିଭାଗ କର୍ମଚାରୀମାନେ ବେଶ ସନ୍ତର୍ପଣରେ ସେମାନଙ୍କ ଗତିବିଧି ଅନୁଧ୍ୟାନ କରିଥିଲେ। ହରିଣ ପଲ ଜଙ୍ଗଲରେ ଖାଦ୍ୟ ଖାଇବା ପରେ ପାଣି ପିଇଥିଲେ। ରାତି ୧୨ଟା ୨୫ରେ ଆଉ ଗୋଟିଏ ପଲ ହରିଣ କ୍ୟାମେରା ଆଗରେ ଧରାପଡ଼ିଥିଲେ। ଭୋର୍‌ ୩ଟା ୩୦ ମଧ୍ୟରେ ପ୍ରାୟ ୪ ପଲ ହରିଣ ଜଙ୍ଗଲରେ ବିଚରଣ କରୁଥିବା ବନ ବିଭାଗର କ୍ୟାମେରାରେ ଟ୍ରାପ୍‌ ହୋଇଛି। ହରିଣଙ୍କୁ ଠାବ କରିବା ପାଇଁ ସୋମବାରଠୁ ବାଲୁଖଣ୍ଡ ରେଞ୍ଜ ଅଫିସ୍‌ ନିକଟରେ କ୍ୟାମେରା ଲଗାଯାଇଥିଲା। ଚାରି ପଲ ହରିଣ ଠାବ କରାଯିବା ପରେ ଆଜି ଅନ୍ୟ ହରିଣମାନଙ୍କୁ ଠାବ କରିବା ପାଇଁ ଡିଏଫ୍‌ଓ ଆହୁରି ୪ଟି କ୍ୟାମେରା ବିଭିନ୍ନ ସ୍ଥାନରେ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଙ୍ଗଲର ଯେଉଁ ସ୍ଥାନରେ ହରିଣଙ୍କ ଆତଯାତ ଅଧିକ ରହିଥାଏ, ସେହିଠାରେ ଏହି କ୍ୟାମେରା ଲଗାଯାଇଛି।

ସୂଚନା‌ଥାଉକି, ମେ ୩ ତାରିଖରେ ସାମୁଦ୍ରିକ ଝଡ଼ବାତ୍ୟା ‘ଫନି’ ପ୍ରଳୟ ରଚିବା ପରେ ବାଲୁଖଣ୍ଡ ଅଭୟାରଣ୍ୟରୁ ୪ ହଜାରରୁ ଅଧିକ ହରିଣଙ୍କର ପତ୍ତା ମିଳିନଥିଲା। ବନ ବିଭାଗର ୮ଟି ଟିମ୍‌ ଜଙ୍ଗଲ ସାରା ତନ୍ନତନ୍ନ କରି ଖୋଜିଥିଲା, ହେଲେ ଦେଖା ମିଳିନଥିଲା ହରିଣଙ୍କର। ବହୁ ଖୋଜିବା ପରେ ମାତ୍ର ୨ଟି ହରିଣଙ୍କର ମୃତଦେହ ମିଳିଥିଲା। ଏତେ ହରିଣ କୁଆଡ଼େ ଗଲେ ସେ ନେଇ ସରକାର ମଧ୍ୟ ଚିନ୍ତାରେ ପଡ଼ି ଯାଇଥିଲେ। ଏମିତିକି ହରିଣଙ୍କୁ ଖୋଜିବା ପାଇଁ ୧୬ ତାରିଖରୁ ଡ୍ରୋନ୍‌ କ୍ୟାମେରାର ସହାୟତା ନିଆଯିବ ବୋଲି ପିସିସିଏଫ୍‌ କହିଥିଲେ। ତେବେ ଡ୍ରୋନ୍‌ ଖୋଜିବା ପୂର୍ବରୁ କ୍ୟାମେରାରେ ଟ୍ରାପ୍‌ ହୋଇଛନ୍ତି ହରିଣ ପଲ। ଉତ୍ସାହିତ ବନ ବିଭାଗ କର୍ମଚାରୀ ସମସ୍ତ ହରିଣଙ୍କୁ ଠାବ କରିବା ଲାଗି ଜେରଦାର କସରତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର