୪ ମାସ ହେଲା ଖୋଲୁନି ମୃଗ ବିହାର ଫାଟକ : ପର୍ଯ୍ୟଟକ ନିରାଶ, ହେଲେ ମୃଗ ବିହାରରେ ପଇଁତରା ମାରୁଛନ୍ତି କର୍ମଚାରୀଙ୍କ ସଂପର୍କୀୟ

ଦଶପଲ୍ଲା : ଆଜିକୁ ୪ ମାସ ହେବ, ମୃଗ ବିହାର ଫାଟକରେ ତାଲା ପଡ଼ିଛି। ରାଜ୍ୟ ଓ ରାଜ୍ୟ ବାହାରୁ ଦୈନିକ ବହୁ ସଂଖ୍ୟାରେ ପର୍ଯ୍ୟଟକ ମୃଗ ବିହାର ପରିଦର୍ଶନ କରିବାକୁ କୁଆଁରିଆ ଆସୁଛନ୍ତି। କିନ୍ତୁ ପର୍ଯ୍ୟଟକମାନେ ମୃଗ ବିହାର ଦେଖିବାକୁ କର୍ମଚାରୀମାନଙ୍କୁ ନେହୁରା ହୋଇ କହିଲେ ମଧ୍ୟ ନିରାଶ ହେବାକୁ ପଡ଼ୁଛି। ବରଂ କର୍ମଚାରୀମାନେ ଅନେକ ବ୍ୟକ୍ତିଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ମୃଗ ବିହାର ବୁଲାଉଥିବା ଅଭିଯୋଗ ଆସିଛି। ବଙ୍ଗଳା ମଧ୍ୟଦେଇ ମୃଗ ବିହାରକୁ ପ୍ରବେଶ କରିବା ବାଟରେ ବହୁ ପୁରୁଷ, ମହିଳା ଓ ଛୋଟପିଲା ସେଠାରେ ପଇଁତରା ମାରୁଥିବା ଜଣାପଡ଼ିଛି। କିଏ ସେଲ୍ଫି ନେଉଛି ତ କିଏ ହସଖୁସି ହୋଇ ଦୋଳି ଖେଳୁଛି। ତେବେ ପ୍ରଶ୍ନ ଉଠୁଛି ଯଦି ବାବୁଙ୍କ ଲୋକଙ୍କୁ ମୃଗ ବିହାର ମଧ୍ୟରେ ପ୍ରବେଶ କରିବା ପାଇଁ ଅନୁମତି ମିଳୁଛି, ତେବେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କୁ କାହିଁକି ବାରଣ କରାଯାଉଛି ବୋଲି ପର୍ଯ୍ୟଟକମାନେ ଅଭିଯୋଗ ଆଣିଛନ୍ତି।

ପ୍ରକାଶଯୋଗ୍ୟ, ଗତ ଜୁଲାଇ ମାସ ୪ ତାରିଖ ଦିନ ବନଖଣ୍ତ ଅଧିକାରୀ ଅଂଶୁପ୍ରଜ୍ଞା ଦାଶଙ୍କ ସମେତ କିଛି କର୍ମଚାରୀ ମୃଗ ବିହାର ମଧ୍ୟରେ ପ୍ରବେଶ କରି ବିଭିନ୍ନ କାର୍ଯ୍ୟର ତଦାରଖ କରୁଥିଲେ। ଏହି ସମୟରେ କିଛି ପର୍ଯ୍ୟଟକ ମୃଗ ବିହାର ମଧ୍ୟକୁ ପ୍ରବେଶ କରିବା ପାଇଁ ଚାହିଁଥିଲେ। କିନ୍ତୁ ପର୍ଯ୍ୟଟକମାନେ ପ୍ରତିବାଦ କରିବାରୁ ପର୍ଯ୍ୟଟକ ଓ ବନଖଣ୍ତ ଅଧିକାରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଶେଷରେ ବନଖଣ୍ଡ ଅଧିକାରୀ ଉତ୍‌କ୍ଷିପ୍ତ ହୋଇ ଫାଟକରେ ତାଲା ପକାଇ ସେଠାରୁ ଚାଲି ଯାଇଥିଲେ। ଏପରିକି ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ମୃଗ ବିହାର ପରିସରରେ ଶିଶୁ ଉଦ୍ୟାନ କାମ ଚାଲିଥିବା ପର୍ଯ୍ୟଟକଙ୍କୁ ଦର୍ଶାଇ ବନ୍ୟପ୍ରାଣୀ ବିଭାଗ ବ୍ୟାନର୍ ଟାଙ୍ଗି ନିଜ ଉପରୁ ଦୋଷ ଖସାଇ ଦେଇଛି। ତେବେ ବାସ୍ତବ କ୍ଷେତ୍ରରେ ମୃଗ ବିହାର ମଧ୍ୟରେ କୌଣସି କାର୍ଯ୍ୟ ଚାଲି ନଥିବାବେଳେ ଆଜିକୁ ୪ ମାସ ହେବ ବନଖଣ୍ଡ ଅଧିକାରୀ ନିଜ ଜିଦ୍‌ରେ ଅଟଳ ରହି ପର୍ଯ୍ୟଟକଙ୍କୁ ଭୁଆଁ ବୁଲାଉଥିବା ଗୁରୁତର ଅଭିଯୋଗ ଆସିଛି। ଫଳରେ ଦୈନିକ ଦୂରଦୂରାନ୍ତରୁ ଆସୁଥିବା ବହୁ ପର୍ଯ୍ୟଟକ କିଏ ତାରବାଡ଼ରେ ମୁଣ୍ତ ଗଳାଇ ଦେଖୁଛି ତ ଆଉ କିଏ ପାଚେରି ଫାଙ୍କ ମଧ୍ୟରେ ହରିଣମାନଙ୍କୁ ଦେଖୁଥିବା ଜଣାପଡ଼ିଛି। ଏ ସବୁ ସତ୍ତ୍ବେ ମୃଗ ବିହାର ପରିସରରେ ଅନେକ ବ୍ୟକ୍ତି ଅବାଧରେ ମୃଗ ବିହାର ପରିଦର୍ଶନ କରୁଥିବାରୁ ଏ ନେଇ ପ୍ରଶ୍ନ କଲେ କେହି କର୍ମଚାରୀ ଓ ଆଉ କେହି କର୍ମଚାରୀଙ୍କ ସମ୍ପର୍କୀୟ ବୋଲି କହି ଅଧିକାରୀମାନେ ସଫେଇ ଦେଉଛନ୍ତି। ଏ ନେଇ ବନଖଣ୍ତ ଅଧିକାରୀ ଅଂଶୁପ୍ରଜ୍ଞା ଦାଶଙ୍କୁ ଫୋନ୍‌ରେ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ। ନୟାଗଡ଼ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର