ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି

ପୁରୀ : ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ତିନି ଦିନ ଧରି ଭକ୍ତଙ୍କୁ ରଥ ଉପରେ ଦର୍ଶନ ଦେବା ପରେ ଆଜି ଚତୁର୍ଦ୍ଧା ମୂର୍ତ୍ତି ଆଡ଼ପମଣ୍ଡପକୁ ବିଜେ କରିଛନ୍ତି। ଆଜି ସନ୍ଧ୍ୟାରେ ଦଇତାପତି ଓ ଅନ୍ୟ ସେବକମାନେ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରାଇଛନ୍ତି। ପ୍ରଥମେ ମଦନମୋହନ ଓ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ମା ସୁଭଦ୍ରା ଓ ଶ୍ରୀଜଗନ୍ନାଥ ବିଜେ କରିଛନ୍ତି। ଆଜି ଲଗାଣ ବର୍ଷା ଛାଡ଼ିବା ପରେ ସନ୍ଧ୍ୟାରେ ଭକ୍ତଙ୍କ ଭିଡ଼ ଭିତରେ ଚତୁର୍ଦ୍ଧା ମୂର୍ତ୍ତି ଆଡ଼ପମଣ୍ଡପକୁ ବିଜେ କରିଛନ୍ତି।

ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରଥ ଉପରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ଅନୁଷ୍ଠିତ ହୋଇଥିଲା। ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ଆଜି ରଥ ଉପରେ ଶୁଖିଲା ଭୋଗ ଲାଗି ହୋଇଥିଲା। ଅପରାହ୍‌ଣରେ ବିଜେ ପର୍ବ ଆରମ୍ଭ ହୋଇଥିଲା। ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଦେଇ ସମସ୍ତେ ଆଡ଼ପମଣ୍ଡପକୁ ବିଜେ କରିଥିଲେ। ସଂଧ୍ୟା ୫ରୁ ୫ଟା ୪୦ ଭିତରେ ପୁଷ୍ପାଞ୍ଜଳି ନୀତି ଶେଷ ପରେ ସଂଧ୍ୟା ୫ଟା୪୫ରେ ରାମକୃଷ୍ଣ ଓ ମଦନମୋହନ ପ୍ରଥମେ ଆଡ଼ପମଣ୍ଡପକୁ ବିଜେ କରିଥିଲେ। ସଂଧ୍ୟା ୬ଟା୫ରେ ସୁଦର୍ଶନ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ପରେ ସଂଧ୍ୟା ୬ଟା୨୦ରେ ବଡ଼ଠାକୁର ବଳଭଦ୍ର, ରାତି ୭ଟା୨୦ରେ ମା ସୁଭଦ୍ରା ଓ ରାତି ୭ଟା୫୦ରେ ଶ୍ରୀଜଗନ୍ନାଥ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥିଲା। ବିଶ୍ୱାସ ରହିଛି, ବର୍ଷକୁ ଥରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳେ। ଯେହେତୁ ମହାପ୍ରଭୁ ଖୁସିରେ ଏହି ଯାତ୍ରା ଆରମ୍ଭ କରିଥାନ୍ତି, ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ଯାହା ମାଗେ ତାହା ମିଳେ। ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଦୌଡ଼ି ଆସନ୍ତି। ସେପଟେ ଆସନ୍ତାକାଲିଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦ ବଜାରରେ ଆଡ଼ପ ଅବଢ଼ା ପାଇବା ପାଇଁ ଭକ୍ତମାନେ ଚାତକ ଭଳି ଚାହିଁ ବସିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦ ବଜାରରେ ବର୍ଷକୁ ଥରେ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଏହି ଅବଢ଼ା ପ୍ରସ୍ତୁତ ହୋଇଥାଏ। ଏଣୁ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ଅବଢ଼ା ଭାଗ୍ୟରେ ଥିଲେ ମିଳେ ବୋଲି ବିଶ୍ୱାସ ରହିଛି। ସ୍ୱାଦ ଦୃଷ୍ଟିରୁ ବି ଆଡ଼ପ ଅବଢ଼ା ଶ୍ରୀମନ୍ଦିର ଅବଢ଼ାଠାରୁ ଭିନ୍ନ। ଏଣୁ ଭକ୍ତମାନେ ଆଡ଼ପ ଅବଢ଼ାକୁ ପାଇବା ପାଇଁ ଆତୁର ହୋଇ ରହିଛନ୍ତି।

ସମ୍ବନ୍ଧିତ ଖବର