ନୀତି ବିଳମ୍ବ ହୋଇଛି, ଠାକୁର ଉପବାସରେ ନ ଥିଲେ: ମନ୍ତ୍ରୀ

ଭୁବନେଶ୍ୱର : ମହାପ୍ରଭୁଙ୍କ ନୀତିରେ କିଛି ବିଳମ୍ବ ହୋଇଛି। କିନ୍ତୁ ଠାକୁରମାନେ ସମ୍ପୂର୍ଣ୍ଣ ଉପବାସରେ ରହିନାହାନ୍ତି। ସରକାର ଭକ୍ତମାନଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଦୁଇ ଦିନ ଧରି ବିଧାନସଭାରେ ଅଚଳାବସ୍ଥା ପରେ ଆଜି ଅପରାହ୍ନରେ ଏଭଳି ବିବୃତି ରଖିଛନ୍ତି ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା।

ମନ୍ତ୍ରୀ ଦର୍ଶାଇଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୧୬ ତାରିଖରେ ଶ୍ରୀମନ୍ଦିରରେ ରୀତିିନୀତି ଅନୁଯାୟୀ ଭକ୍ତମାନଙ୍କ ପାଇଁ ଜଗମୋହନ ଖୋଲିବାକୁ ମନ୍ଦିର ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଥିଲା। ତଦନୁଯାୟୀ ଜଗମୋହନରେ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ଏକ ବ୍ୟବସ୍ଥାବଳୀ ପ୍ରସ୍ତୁତ କରାଯାଇ ସମସ୍ତ ନିଯୋଗକୁ ଯଥେଷ୍ଟ ପୂର୍ବରୁ ବଣ୍ଟନ କରାଯାଇଥିଲା। ଯେହେତୁ ୨୭/୧/୨୦୧୬ରୁ ମରାମତି ସଂକ୍ରାନ୍ତରେ ଭକ୍ତମାନଙ୍କ ପାଇଁ ଜଗମୋହନ ବନ୍ଦ ରଖାଯାଇଥିଲା ଏବଂ ୧୬/୪/୨୦୧୮ରେ ତାହା ଖୋଲାଗଲା, ତେଣୁ ସେଦିନର ନୀତି ପ୍ରସ୍ତୁତିରେ କିଛି ବିଳମ୍ବ ଘଟିଥିଲା। ପରିସ୍ଥିତିର ଗୁରୁତ୍ୱ ଅନୁଯାୟୀ ମନ୍ଦିର ପ୍ରଶାସନର ଅଧିକାରୀ ବୃନ୍ଦ, ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ ସମସ୍ତେ ମନ୍ଦିରର ସେବକମାନଙ୍କୁ ବୁଝାସୁଝା କରି ଉପୁଜିଥିବା ସମସ୍ୟାର ସମାଧାନ କରି ଠାକୁରଙ୍କ ନୀତିକାନ୍ତିକୁ ତ୍ୱରାନ୍ଵିତ କରାଇଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନଙ୍କ ମଧ୍ୟରେ ବୁଝାମଣା ରହିନାହିଁ ବୋଲି କିଛି ସମ୍ବାଦପତ୍ରରେ ପ୍ରକାଶ ହୋଇଥିବା ରିପୋର୍ଟ ସତ୍ୟତା ଉପରେ ପର୍ଯ୍ୟବେସିତ ନୁହେଁ।

ଶ୍ରୀଜୀଉଙ୍କ ଗୋପାଳବଳ୍ଲଭ ଭୋଗ ଓ ସକାଳ ଧୂପ ଭୋଗ ୧୬ ତାରିଖର ଯଥାରୀତି କରାଯାଇଥିଲା ଓ ଏ ସଂକ୍ରାନ୍ତରେ ମହାପ୍ରଭୁ ଉପବାସ ରହିଥିବା ସମ୍ବାଦ ସମ୍ପୂର୍ଣ୍ଣ ଅମୂଳକ ଅଟେ। ଏହା ଛଡ଼ା ସେଦିନ ଅମାବାସ୍ୟା ପଡ଼ୁଥିବାରୁ ଶ୍ରୀଜୀଉଙ୍କ କେତେକ ସ୍ୱତନ୍ତ୍ର ନୀତି ସମ୍ପାଦନ କରିବା ଆବଶ୍ୟକ ହୋଇଥିଲା। ଏ ସମ୍ପର୍କରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ବିଭିନ୍ନ ସେବକ ଓ ଅଧିକାରୀଙ୍କ ସହିତ ବିସ୍ତତ ଆଲୋଚନା କରିଛନ୍ତି ଏବଂ ସମସ୍ତ ନୀତିକାନ୍ତିର ସୁପରିଚାଳନା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି।

ଗତ ୧୭ ତାରିଖ ସବୁଦିନ ପରି ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ ଇତ୍ୟାଦି ନୀତିକାନ୍ତି ଯଥା ସମୟରେ ଯଦିଓ ସମ୍ପୂର୍ଣ୍ଣ ହୋଇଥିଲା, ମାତ୍ର ପୂର୍ବ ଦିନର ନୀତି ବିଳମ୍ବ ଦୃଷ୍ଟିରୁ ରୋଷଘରେ ଅମୁଣିହା ଖାଦ୍ୟଦ୍ରବ୍ୟ ପଡ଼ିରହିଥିବାରୁ ସେଥିପାଇଁ ବିଧି ଅନୁଯାୟୀ ରୋଷହୋମ ପୂର୍ବରୁ ରୋଷଘର ସଫା ଓ ଧୂଆଧୋଇ କରି ଚୂନ ପାଣି ପକାଇବା ଆବଶ୍ୟକ ହୋଇଥିଲା। ଏହି ଅମୁଣିହା ଖାଦ୍ୟଦ୍ରବ୍ୟ ଯାହା କି ପ୍ରାୟ ୭/୮ ଟ୍ରକ୍‌ ପରିମାଣର, ସେସବୁ ସଫା କରିବା ପାଇଁ ଶତାଧିକ ଲୋକ ଲାଗିଥିଲେ। ଫଳସ୍ୱରୂପ ରାତ୍ର ପ୍ରାୟ ୧୦ଟା ୫୦ରେ ରୋଷହୋମ ହୋଇଥିଲା ଓ ତଦନୁଯାୟୀ ସମସ୍ତ ପରବର୍ତ୍ତୀ ନୀତି ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା।

ଆଜି ମଧ୍ୟ ଶ୍ରୀଜୀଉମାନଙ୍କ ସମସ୍ତ ନୀତି ସୁରୁଖୁରୁରେ ସମ୍ପନ୍ନ ହୋଇ ଚନ୍ଦନ ଯାତ୍ରା ପାଇଁ ଅନ୍ୟାନ୍ୟ ସମସ୍ତ ନୀତି ସୁରୁଖୁରୁରେ ଚାଲୁଅଛି। ଏହା ସତ୍ୟ ଯେ ସୂପକାରମାନଙ୍କ ଅସହଯୋଗ କାରଣରୁ ଶ୍ରୀଜୀଉଙ୍କ ଭୋଗମଣ୍ଡପରେ ଭୋଗ ପୂଜା ହୋଇପାରିନି ଏବଂ ବିକ୍ରୟ ଓ ବରାଦି ଭୋଗ ବାହାରି ପାରି ନାହିଁ। ଏ ସଂକ୍ରାନ୍ତରେ ସେବକମାନଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା ଜାରି ରଖିଛନ୍ତି ଓ ଶୀଘ୍ର ସମାଧାନ ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରୁଛନ୍ତି।

ସମ୍ବନ୍ଧିତ ଖବର