ମୁକ୍ତିକାନ୍ତଙ୍କୁ ଉଠାଇନେଲା ପୁଲିସ୍‌

ରାଉରକେଲା : ଦିଲ୍ଲୀର ଯନ୍ତରମନ୍ତରରେ ଆମରଣ ଅନଶନରେ ବସିଥିବା ରାଉରକେଲା ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଆଜି ସନ୍ଧ୍ୟା ୬ଟା ୪୫ ମିନିଟ୍‌ରେ ଦିଲ୍ଲୀ ସଂସଦ ମାର୍ଗ ପୁଲିସ୍‌ ଉଠାଇନେଇଛି। ପୁଲିସ୍‌ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିବାରୁ ସେ ଅନଶନ ପରିହାର କରିବାକୁ ପୁଲିସ୍‌ ଚାପ ପ୍ରୟୋଗ କରିଥିଲେ। ମାତ୍ର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ନହେବା ଯାଏ ସେ ଗିରଫ ହେଲେ ମଧ୍ୟ ଜେଲ୍‌ରେ ଅନଶନ ଜାରି ରଖିବେ ବୋଲି ପୁଲିସ୍‌କୁ ରୋକଠୋକ ଶୁଣାଇଛନ୍ତି। ତେବେ ସଂସଦ ମାର୍ଗର ଯନ୍ତରମନ୍ତରଠାରେ ତାଙ୍କୁ ଅନଶନରେ ବସିବାକୁ ଦିଆଯିବ ନାହିଁ ବୋଲି ତାଗିଦ୍‌ କରି ପୁଲିସ୍‌ ରାତି ପ୍ରାୟ ସାଢ଼େ ୭ଟା ମୁକ୍ତିକାନ୍ତଙ୍କୁ ରାମଲୀଲା ମୈଦାନ ନିକଟରେ ଛାଡ଼ି ଯାଇଥିବା ମୁକ୍ତିକାନ୍ତଙ୍କ ଜଣେ ବନ୍ଧୁ ଆନନ୍ଦ ମଙ୍ଗଲ ଫେସ୍‌ବୁକ୍‌ ପୋଷ୍ଟରେ ଭିଡ଼ିଓ ସହ ଉଲ୍ଲେଖ କରିଛନ୍ତି। ମୁକ୍ତିକାନ୍ତ ଫୋନ୍‌ ଉଠାଉନଥିବାରୁ ତାଙ୍କର ଏବଂ ଦିଲ୍ଲୀ ପୁଲିସ୍‌ର ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଅଧିକ ତଥ୍ୟ ମିଳି ନାହିଁ।

ଅନଶନ ପାଇଁ ମୁକ୍ତିକାନ୍ତ ଲୋଡ଼ିଥିବା ଅନୁମତିକୁ ସଂସଦ ମାର୍ଗ ପୁଲିସ୍‌ ପ୍ରତ୍ୟାଖ୍ୟାନ କରିବା ସତ୍ତ୍ୱେ ପୂର୍ବ ଘୋଷଣା ଅନୁଯାୟୀ ସେ ଆଜି ଅନଶନ ଆରମ୍ଭ କରିଥିଲେ। ପୂର୍ବାହ୍ନ ସାଢ଼େ ୧୦ଟାରେ ମୁକ୍ତିକାନ୍ତ ରାଜଘାଟକୁ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଯନ୍ତରମନ୍ତରକୁ ଆସି ଦିନ ପ୍ରାୟ ୧୧ଟାରୁ ଆମରଣ ଅନଶନରେ ବସିଥିଲେ। କିଛି ସମୟ ପରେ ପୁଲିସ୍‌ ଅନଶନସ୍ଥଳୀରେ ପହଞ୍ଚିଥିଲେ ମଧ୍ୟ ତାଙ୍କୁ ଅନତି ଦୂରରୁ ଦେଖି ପଳାଇଥିଲେ। ହୁଏତ ଦିଲ୍ଲୀର ପ୍ରମୁଖ ଗଣମାଧ୍ୟମଗୁଡ଼ିକର ପ୍ରତିନିଧିମାନେ ସେଠାରେ ଉପସ୍ଥିତ ଥିବାରୁ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଦିଗରେ ଅଗ୍ରସର ନହୋଇ ଫେରିଯାଇଥିଲା। ଅପରାହ୍ନ ସାଢ଼େ ୪ଟା ବେଳେ ସମାନ ପରିସ୍ଥିତି ଉପୁଜିଥିଲା। ହେଲେ ସନ୍ଧ୍ୟାରେ ପୁଲିସ୍‌ ମୁକ୍ତିକାନ୍ତଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ।

ଉଲ୍ଲେଖଯୋଗ୍ୟ, ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ୍‌ ହସ୍ପିଟାଲ୍‌କୁ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ମେଡ଼ିକାଲ୍‌ କଲେଜରେ ରୂପାନ୍ତର ଏବଂ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଲାଗି ବିଜେପିର ତତ୍କାଳୀନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦି ୨୦୧୪ ନିର୍ବାଚନ ପ୍ରଚାର ବେଳେ ରାଉରକେଲାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୫ ଏପ୍ରିଲ୍‌ ପହିଲା (ଉତ୍କଳ ଦିବସ) ଶ୍ରୀ ମୋଦି ରାଉରକେଲା ଆସି ତାଙ୍କ ପୂର୍ବ ପ୍ରତିଶ୍ରୁତି ଦୋହରାଇଥିଲେ। ଇତିମଧ୍ୟରେ ୩ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ରାଉରକେଲାବାସୀଙ୍କ ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଦ୍ୱୟ ପ୍ରତିଶ୍ରୁତିରେ ରହିଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶ୍ରୁତି ସ୍ମରଣ କରାଇବା ଲକ୍ଷ୍ୟରେ ରାଉରକେଲା ଖରିଆବାହାଲ ବସ୍ତିର ମୃତ୍ତିକା କାରିଗର ମୁକ୍ତିକାନ୍ତ ଗତ ଏପ୍ରିଲ୍‌ ୧୬ରେ ଏକାକୀ ଦିଲ୍ଲୀକୁ ପଦଯାତ୍ରା ଆରମ୍ଭ କରିଥିଲେ। ଏଠାରୁ ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ ଓ ହରିଆନା ଦେଇ ୭୧ ଦିନରେ ଦୀର୍ଘ ୧୩୫୦ କିଲୋମିଟର ଅତିକ୍ରମ କରି ଗତ ଜୁନ୍‌ ୨୭ରେ ଦିଲ୍ଲୀରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର