ଜଙ୍ଗଲ ଅଧିକାର ଆଇନରେ ପରିବର୍ତନ ଦାବି

ଭୁବନେଶ୍ବର : ଜଙ୍ଗଲ ଜମି ବିତରଣ କ୍ଷେତ୍ରରେ ଓଡ଼ିଶା ପ୍ରଥମ ବୋଲି ଦାବି ହେଉଥିବା ବେଳେ ଏବେ ବି ବହୁ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀ ଭୂମିହୀନ ହୋଇ ରହିଛନ୍ତି। ଜଙ୍ଗଲ ଜମି ପାଇଁ ଆବେଦନ କରାଯାଇଥିଲେ ହେଁ ତାହାକୁ ଗ୍ରହଣ କରାଯାଉ ନାହିଁ। ଏପରିକି ନିଜେ ରହୁଥିବା ଜମିର ପଟ୍ଟା ମଧ୍ୟ ମିଳିନାହିଁ। ତେଣୁ ଜଙ୍ଗଲ ଅଧିକାର ଆଇନରେ ପରିବର୍ତନ ପାଇଁ ଦାବି କରିଛି ଓଡ଼ିଶା ରିଜିଓନାଲ ଅର୍ଗନା‌ଇଜେସନ୍ ଫର ସୋସିଆଲ ଆକ୍ସନ୍ ବା ଓରୋସା।

ଆଜି ନେହରୁ ଯୁବ ପ୍ରତିଷ୍ଠାନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହାର ପ୍ରକଳ୍ପ ମହାପ୍ରବନ୍ଧକ ଯୁଗଳ କିଶୋର ରଂଜିତ କହିଲେ, କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟର ଗତବର୍ଷ ନଭେମ୍ବର ମାସ ରିପୋର୍ଟ ଅନୁସାରେ ରାଜ୍ୟରେ ସମୁଦାୟ ଜଙ୍ଗଲ ଜମି ଆବେଦନ ମଧ୍ୟରୁ ୪ଲକ୍ଷ ୨୯ ହଜାର ୧୧୨ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ତଥାପି ୨ଲକ୍ଷ ଆବେଦନକାରୀ ଜଙ୍ଗଲ ଜମି ଅଧିକାର ପାଇପାରି ନାହାନ୍ତି। ସେହିପରି ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀ ମଧ୍ୟ ବହୁ ସମସ୍ୟା ମଧ୍ୟରେ ଗତି କରୁଛନ୍ତି। କୌଣସି ସରକାରୀ ରିପୋର୍ଟ ଏମାନଙ୍କ ସଂପର୍କରେ କୌଣସି ତଥ୍ୟ ନାହିଁ। ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ କେବଳ ୫୪ଜଣ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କୁ ଜଙ୍ଗଲ ଜମି ପ୍ରଦାନ କରାଯାଇଛି। ତେଣୁ ଜଙ୍ଗଲ ଅଧିକାର ଆଇନରେ ପରିବର୍ତନ ହେଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅଭିରାମ ମଲ୍ଲିକ, ସଂଗ୍ରାମ ମଲ୍ଲିକ ଓ ଅନିଲ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର