ପୁଣିଥରେ ଘୁମୁସର ଜିଲ୍ଲା ଗଠନ ଦାବି : ୧୮ ବର୍ଷ ଚିଠି ଦିଆନିଆ; ୮ବର୍ଷ ହେଲା ନାଲିଫିତା ତଳେ

ଭଂଜନଗର (ସୁରେଶ କୁମାର ନାଇଡୁ): ଗଞ୍ଜାମର ଘୁମୁସରକୁ ସ୍ୱତନ୍ତ୍ର ଜିଲ୍ଲ ମାନ୍ୟତା ନେଇ ପୁଣିଥରେ ଦାବି ଉଠିଛି। ଏ ନେଇ ଆନ୍ଦୋଳନ କୁହୁଳିବାରେ ଲାଗିଛି। ୧୯୯୧ ମସିହାଠାରୁ ଉଠିଥିବା ଏହି ଦାବିକୁ ୨୦୧୦ ମସିହାରେ ସରକାର ପୂର୍ଣ୍ଣଚ୍ଛେଦ ପକାଇ ଦେଇଥିଲେ। ସେଇଠୁ ଏହି ଦାବି ଆଗକୁ ବଢ଼ିବ ନାହିଁ ବୋଲି ଅନୁମାନ କରାଯାଉଥିଲା। ମାତ୍ର, ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଘୁମୁସର ଅଞ୍ଚଳର ବିଭିନ୍ନ ସଂଗଠନ ପୁଣିଥରେ ସ୍ୱର ଉଠାଇଛନ୍ତି। ସରକାର ଘୁମୁସରକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋର୍‌ଦାର୍‌ କରିବେ ବୋଲି ଚେତାବନୀ ଦେଇଛନ୍ତି।

୧୯୯୧ ମସିହାରେ ତତ୍‌କାଳୀନ ବିଜୁ ପଟ୍ଟନାୟକ ସରକାର ରାଜ୍ୟର ୧୩ଟି ଜିଲ୍ଲାକୁ ୩୦ଟିରେ ପରିଣତ କରିଥିଲେ। ସେତେବେଳେ ଘୁମୁସର ଜିଲ୍ଲା ଗଠନ ନେଇ ଦାବି ଉଠିଥିଲା। ଯେଉଁମାନେ ଏହି ଦାବି ଉପସ୍ଥାପନର ନେତୃତ୍ୱ ନେଉଥିଲେ ସେମାନେ ଯୁକ୍ତି ଦର୍ଶାଇଥିଲେ ଯେ, ‘ମାଡ୍ରାସ ପ୍ରେସିଡେନ୍‌ସୀ ଅଧୀନରେ ଥିବା ଗଂଜାମ ଜିଲ୍ଲାରେ ସବୁଠାରୁ ବଡ ଭୂଖଣ୍ଡ ଘୁମୁସର ତାଲୁକ ରହିଥିଲା। ଗଂଜାମ ଜିଲ୍ଲାରେ ତିନୋଟି ଉପଖଣ୍ଡ। ସେଥିରୁ ଭଂଜନଗର(ଘୁମୁସର)ଅଂଚଳରେ ୮ଟି ବ୍ଲକ୍‌ ରହିଛି। ଭଂଜନଗର, ବେଲଗୁଣ୍ଠା,ଜଗନ୍ନାଥପ୍ରସାଦ, ସୋରଡ଼ା, ଶେରଗଡ଼, ଧରାକୋଟ, ଆସିକା,ବୁଗୁଡ଼ା ରହିଥିବା ବେଳେ ଏହା ସହ ହିଂଜଳି ଓ କବିସୂର୍ଯ୍ୟନଗରକୁ ମିଶାଇ ଗଂଜାମ ଜିଲ୍ଲାର ୨୨ଟି ବ୍ଲକରୁ ୧୦ଟି ବ୍ଲକକୁ ନେଇ ଘୁମୁସର ଜିଲ୍ଲା ଗଠନ କରାଯାଇପାରିବ।’

ଏହି ଦାବି ଉପରେ ସେତେବେଳର ଜିଲ୍ଲାପାଳ ରାଜସ୍ୱ ସଚିବଙ୍କୁ ଚିଠି ଲେଖି ନିଜର ମତାମତ ଜଣାଇଥିଲେ। ୧୯୯୨ ମସିହାଠାରୁ ଜିଲ୍ଲା ଗଠନ ଦାବି ଉପରେ ବାରମ୍ବାର ଚିଠି ଲେଖାଯାଇଥିବା ସୂଚନା ଅଧିକାରୀ କର୍ମୀ ବି. ଶଙ୍କର ପାତ୍ର କହିଛନ୍ତି।

ସେହିଭଳି, ୧୯୯୨ମସିହା ଅକ୍ଟୋବର ୯ତାରିଖ ଦିନ ଘୁମୁସର ଯୁବ କଲ୍ୟାଣ ସମିତି ପକ୍ଷରୁ ତତ୍କାଳୀନ ଗଂଜାମ ଜିଲ୍ଲାପାଳଙ୍କୁ ଘୁମୁସର ଜିଲ୍ଲାଗଠନ ପାଇଁ ଦାବି କରି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ଘୁମୁସର (ଭଂଜନଗର) ସବ୍‌ଡିଭିଜନ ଅଧୀନରେ ୪ଟି ତହସିଲ, ୫ଟି ଏନ୍‌ଏସି ସହ ୧୨ଲକ୍ଷ ଲୋକ ଓ ୪ଟି ନିର୍ବାଚନମଣ୍ଡଳୀ ରହିଥିବା ଦର୍ଶାଯାଇ ଦାବି ଉପସ୍ଥାପନ କରାଯାଇଥିଲା। ଏହି ଦାବିକୁ ନେଇ ତତ୍କାଳୀନ ଜିଲ୍ଲାପାଳ ଆର୍‌ଡିସିଙ୍କୁ ଜଣାଇବା ସହ ରାଜସ୍ୱ ସଚିବଙ୍କୁ ପଠାଇବାକୁ ଅନୁରୋଧ କରିଥିଲେ। ପରବର୍ତ୍ତୀ ସମୟରେ ରାଜସ୍ୱ ସଚିବ ଗଂଜାମ ଜିଲ୍ଲାପାଳଙ୍କୁ ଏହି ସ୍ମାରକପତ୍ରର ଦାବିର ଯଥାର୍ଥତାକୁ ନେଇ ଯାଂଚ କରି ନୂଆ ଜିଲ୍ଲା ଗଠନ ପାଇଁ ଆବଶ୍ୟକ ଭିତ୍ତିଭୂମି, କର୍ମଚାରୀ, କେତୋଟି ବ୍ଲକ, ପଂଚାୟତ, ତହସିଲ, ଆରଆଇ ସର୍କଲ, ଗାଁ ଆଦିର ବିବରଣୀ, ଭୌଗୋଳିକ ସ୍ଥିତି, କେତେ ନଦୀ ରହିଛି, କର୍ମଚାରୀଙ୍କ ସଂଖ୍ୟା, ଦରମା ଆଦିର ବିସ୍ତତ ରିପୋର୍ଟ ସହ ଉପଜିଲ୍ଲାପାଳଙ୍କ ମନ୍ତବ୍ୟ ମଧ୍ୟ ମାଗିଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜିଲ୍ଲାପାଳ କାର୍ଯ୍ୟାଳୟରେ ପରିଣତ କରିବାକୁ ଉପଜିଲ୍ଲାପାଳ ଉତ୍ତର ଦେଇଥିଲେ। ଏହି ମର୍ମରେ ୧୮ବର୍ଷ ଧରି ରାଜସ୍ୱ ସଚିବ, କମିଶନର, ଆରଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ମଧ୍ୟରେ ଚିଠି ଦେଣନେଣ ଚାଲିଲା।

୨୦୧୦ରେ ତତ୍କାଳୀନ କମିଶନର ତଥା ସଚିବ ବୋର୍ଡ ଅଫ ରେଭେନ୍ୟୁ ମୟୂରଭଂଜ, କେଉଁଝର ଓ ସୁନ୍ଦରଗଡ଼ ଭଳି ବଡ ଜିଲ୍ଲା ଉଦାହରଣ ଦେଇ ଏହି ପ୍ରସ୍ତାବ ଉପରେ ପୂର୍ଣଚ୍ଛେଦ ପକାଇ ଦେଇଥିଲେ। ମାତ୍ର, ଏହି ଦାବିର ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ। ଏବେ ବହୁ ସଂଗଠନ, ଯୁବବର୍ଗ, ଭଂଜନଗର ଓକିଲ ସଂଘ, ଘୁମୁସର ସଂଘର୍ଷ ସମିତି ଜିଲ୍ଲା ଗଠନ ନେଇ ପୁଣିଥରେ ଦାବି ଦୋହରାଇଛନ୍ତି।
ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଘୁମୁସର ଜିଲ୍ଲା ଗଠନ ପ୍ରସ୍ତାବ ଅଟକ ରହିଛି ଏବଂ ପ୍ରଶାସନିକ ଅଧିକାରୀ ଘୁମୁସର ଅଂଚଳକୁ ପଛୁଆ କରି ରଖିବାକୁ ଚାହୁଁଛନ୍ତି ବୋଲି ଘୁମୁସର ସଂଘର୍ଷ ସମିତିର ଆବାହକ ଖରାଂଶୁ ଶେଖର ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର