ଓମ୍‌ଫେଡ ପଲିଥିନ୍‌ ପ୍ୟାକିଂ ଦୁର୍ନୀତି, ଉଚ୍ଚସ୍ତରୀୟ ତଦନ୍ତ ଦାବି : ‘ଦୁଗ୍‌ଧର ସର୍ବନିମ୍ନ ସହାୟକ ମୂଲ୍ୟ ୩୦ ଟଙ୍କା କରାଯାଉ’

ଭୁବନେଶ୍ୱର : ରାଜ୍ୟରେ ଦୁଗ୍‌ଧ ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ଦୁଗ୍‌ଧର ସର୍ବନିମ୍ନ ସହାୟକ ମୂଲ୍ୟ ୨୬ ଟଙ୍କା ୧୦ ପଇସାରୁ ୩୦ ଟଙ୍କା କରିବା, ଓମ୍‌ଫେଡ ପଲିଥିନ୍‌ ପ୍ୟାକିଂରେ ହୋଇଥିବା ଦୁର୍ନୀତିର ଭିଜିଲାନ୍‌ସ ତଦନ୍ତ ହେବା ଏବଂ ଗ୍ରାମାଞ୍ଚଳରେ ପ୍ରାଥମିକ ଦୁଗ୍‌ଧ ସମବାୟ ସମିତିରେ ବର୍ଷବର୍ଷ ଧରି କାମ କରୁଥିବା ଓମ୍‌ଫେଡର ସଂପାଦକ ଓ ପରୀକ୍ଷକମାନଙ୍କୁ ସମବାୟ ଆଇନ୍‌ ଅନୁଯାୟୀ କ୍ୟାଡରଭୁକ୍ତ କରି ସ୍ଥାୟୀ କରିବା ଆଦି ଦାବିରେ ‘ଓଡ଼ିଶା ଦୁଗ୍‌ଧ ଚାଷୀ ମହାସଂଘ’ ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି।

ଆଜି ପୂର୍ବାହ୍ନରେ ଓଡ଼ିଶା ଦୁଗ୍‌ଧ ଚାଷୀ ମହାସଂଘର ଅଧ୍ୟକ୍ଷ ରବି ବେହେରାଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ସଂପାଦକ ନାରାୟଣ ଡାଳୁଆ, ବିଜୟ ବେହେରା, ବଳରାମ ବେହେରା ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧି ଦଳ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍‌ଙ୍କୁ ରାଜଭବନରେ ଭେଟିଥିଲେ। ଓମ୍‌ଫେଡରେ ପଲିଥିନି ପ୍ୟାକିଂ ଆଳରେ ୨୪ କୋଟି ଟଙ୍କାର ଦୁର୍ନୀତି ହୋଇଛି। ଅନ୍ୟ ରାଜ୍ୟ ତୁଳନାରେ ଦୁଗ୍‌ଧ ଲିଟର ପିଛା ମୂଲ୍ୟ ବହତ କମ୍‌। ଏଣୁ ଏହାର ସର୍ବନିମ୍ନ ସହାୟକ ମୂଲ୍ୟ ୩୦ ଟଙ୍କା କରାଯିବାକୁ ମହାସଂଘ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲା। ସେହିଭଳି ରାଜ୍ୟ ସରକାର ଶତକଡ଼ା ୧ ଟଙ୍କା ବାର୍ଷିକ ସୁଧରେ କୃଷି ଋଣ ଯୋଗାଇ ଦେଉଥିବାବେଳେ ପଶୁପାଳନ ପାଇଁ ଆତ୍ମନିଯୁକ୍ତି ଋଣ ନେଉଥିବା ଚାଷୀଙ୍କୁ ବାର୍ଷିକ ୧୨ ଟଙ୍କାରୁ ୧୪ ଟଙ୍କା ଦେବାକୁ ପଡୁଛି। ଏହା ଫଳରେ ବହୁ ଦୁଗ୍‌ଧ ଚାଷୀ ଆତ୍ମନିର୍ଭରଶୀଳ ହେବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟପାଳ ଦୁଗ୍‌ଧ ଚାଷୀଙ୍କ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଏହାର ପ୍ରତିକାର ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବାଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ସୂଚନା ଦେଇଛନ୍ତି ମହାସଂଘର ଅଧ୍ୟକ୍ଷ ଶ୍ରୀ ବେହେରା।

ସମ୍ବନ୍ଧିତ ଖବର