ଜାନକୀ ବଲ୍ଲଭଙ୍କ ନାମରେ ଡାକଟିକଟ ପ୍ରଚଳନ ଦାବି

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନାମରେ ଡାକଟିକଟ୍‌ ପ୍ରଚଳନ କରିବାକୁ କଂଗ୍ରେସ ବିଧାୟକ ଭୁଜବଳ ମାଝୀ ଆଜି ବିଧାନସଭାର ପ୍ରଶ୍ନକାଳରେ ଦାବି କରିଛନ୍ତି।

କେଉଁ ମୁଖ୍ୟମନ୍ତ୍ରୀଙ୍କ ନାମରେ କେଉଁ ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳରେ ଡାକଟିକଟ ପ୍ରଚଳନ କରାଯାଇଛି ବୋଲି ଶ୍ରୀ ମାଝୀଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା କହିଥିଲେ, ୧୯୮୯ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହରେକୃଷ୍ଣ ମହତାବଙ୍କ ନାମରେ ଡାକଟିକଟ ପ୍ରଚଳନ କରାଯାଇଥିଲା। ପୁଣି ୨୦୦୦ ମସିହାରେ ନବୀନ ପଟ୍ଟନାୟକଙ୍କ ସମୟରେ ଆଉ ଥରେ ସ୍ୱର୍ଗତ ମହତାବଙ୍କ ନାମରେ ଡାକଟିକଟ ପ୍ରଚଳନ କରାଯାଇଥିଲା। ସେହିପରି ୧୯୯୯ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ଡାକଟିକଟ ପ୍ରଚଳନ କରାଯାଇଥିଲା। ୨୦୧୮ ମସିହାରେ ଆଉ ଥରେ ବିଜୁ ପଟ୍ଟନାୟକଙ୍କ ନାମରେ ଡାକଟିକଟ ପ୍ରଚଳନ କରାଯାଇଛି। ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ମାଝୀ କହିଥିଲେ, ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ବିଜୁ ବାବୁଙ୍କ ନାମରେ ଡାକଟିକଟ ପ୍ରଚଳନ କରିଥିଲେ। ସେଥିରୁ ତାଙ୍କ ମହାନତା ବାରି ହୋଇପଡ଼ୁଛି। ତେଣୁ ଏବେ ଜାନକୀ ବଲ୍ଲଭଙ୍କ ନାମରେ ଡାକଟିକଟ ପ୍ରଚଳନ ପାଇଁ ସରକାର ବ୍ୟବସ୍ଥା କରନ୍ତୁ। ମନ୍ତ୍ରୀ ଶ୍ରୀ ବେହେରା କହିଲେ, ଏପରି କୌଣସି ପ୍ରସ୍ତାବ ଏବେ ବିଭାଗ ନିକଟରେ ନାହିଁ। କିନ୍ତୁ ପ୍ରସ୍ତାବ ଆସିଲେ ନିଶ୍ଚିତ ଭାବେ ବିଚାର କରାଯାଇ ଡାକ ବିଭାଗ ସହ ଆଲୋଚନା କରାଯିବ।

ସମ୍ବନ୍ଧିତ ଖବର