ମହାବନ୍ଦ ପରେ କାର୍ଯ୍ୟବନ୍ଦ : କୋର୍ଟକଚେରି ଓ ଅଫିସ ପୂର୍ବଭଳି ବନ୍ଦ କରାଯିବ

ଆର୍ଥିକ କାରବାର ହେଉଥିବା ସଂସ୍ଥାଙ୍କୁ କୋହଳ, ୧୪ରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିଷ୍ପତ୍ତି, ମହାବନ୍ଦ ପରେ ଓକିଲ ସଂଘର ବୈଠକ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ସିଏସି ପକ୍ଷରୁ ହୋଇଥିବା ମହାବନ୍ଦକୁ ବି ଘାଲେଇ ଦେଇଛନ୍ତି ସରକାର। ଏତେ ବଡ଼ ଐତିହାସିକ ଆନ୍ଦୋଳନ ସତ୍ତ୍ବେ ଏହା ଉପ‌େର ସାମାନ୍ୟ ଟିପ୍ପଣୀ କି ପ୍ରତିକ୍ରିୟା ଦେବାକୁ ବି ଉଚିତ ମନେ କରିନାହାନ୍ତି। ତେଣୁ ମହାବନ୍ଦ ପରେ ବି ଆନ୍ଦୋଳନ ଜାରି ରଖିବ ଓକିଲ ସଂଘ। ଗତ ତିନି ମାସ ଧରି ଯେପରି କୋର୍ଟ ‌କଚେରୀ ଓ ବିଭିନ୍ନ ସରକାରୀ ଅଫିସକୁ ବନ୍ଦ କରି ରଖାଯାଉଥିଲା ସେପରି କାର୍ଯ୍ୟବନ୍ଦ ଆନ୍ଦୋଳନ ଅବ୍ୟାହତ ରହିବ। ତେବେ ସରକାରୀ ଏବଂ ଘରୋଇ ବ୍ୟାଙ୍କ, ଟ୍ରେଜେରି, ଡାକଘର ଓ ବୀମା କାର୍ଯ୍ୟାଳୟ ଆଦି ଆର୍ଥିକ କାରବାର କରୁଥିବା ସଂସ୍ଥା, ବିଜୁଳି ବିଲିଂ କେନ୍ଦ୍ର ଏବଂ ଗ୍ରାହକ କେନ୍ଦ୍ର ଆଦିକୁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ପରିସରରୁ ବାଦ ଦିଆଯିବ ବୋଲି କୁହାଯାଇଛି।

ମହାବନ୍ଦ ପରେ ଶନିବାର ଅନୁଷ୍ଠିତ ହୋଇଥିବା ସମ୍ବଲପୁର ଓକିଲ ସଂଘ ସାଧାରଣ ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ବୈଠକରେ ଆ‌େ‌ନ୍ଦାଳନର ଭବିଷ୍ୟତ ରୂପରେଖ ନେଇ ଆଲୋଚନା ହୋଇଛି। ବିଚାର ବିଭାଗୀୟ ଅଦାଲତ, ଆର୍‌ଡିସି ଅଫିସ, ଜିଲ୍ଲାପାଳ ଅଫିସ, ଉପଜିଲ୍ଲାପାଳ ଅଫିସ, ତହସିଲ ଓ ପଂଜୀକରଣ କାର୍ଯ୍ୟାଳୟ, ବନ୍ଦୋବସ୍ତ ଅଫିସ, ଜଙ୍ଗଲ ବିଭାଗ, ଶ୍ରମ ବିଭାଗ, ସମବାୟ ବିଭାଗ, ବିକ୍ରି କର, ଆୟକର, ଉପଭୋକ୍ତା ଫୋରମ, କେନ୍ଦ୍ରୀୟ ଅବକାରୀ, ଏସଡିଏ, ଆରଟିଓ, ରାଜ୍ୟ ପ୍ରଶାସକ ଟ୍ରିବ୍ୟୁନାଲ, ପାରିବାରିକ ଅଦାଲତ ସମେତ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ପୂର୍ବଭଳି ବନ୍ଦ କରାଯିବ। ଡିସେମ୍ବର ୧୪ ତାରିଖରେ ହେବାକୁ ଥିବା ସିଏସି ବୈଠକରେ ଏହି ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ ସେପ୍ଟେମ୍ବର ୫ ତାରିଖରୁ ଓକିଲମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ନଭେମ୍ବର ୧୯ ତାରିଖରୁ ଆନ୍ଦୋଳନକୁ ତୀବ୍ର କରାଯାଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦର ନିଷ୍ପତ୍ତି ହୋଇଥିଲା। ଏହାପରେ ୨୯ ଓ ୩୦ ତାରିଖ ଦୁଇଦିନ ଧରି ମହାବନ୍ଦ କରାଯାଇଥିଲା। ଏହା ସତ୍ତ୍ବେ ହାଇକୋର୍ଟ ବେଞ୍ଚ ନେଇ ଏଯାଏ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ବେଞ୍ଚ ପ୍ରତିଷ୍ଠା ନେଇ କୌଣସି ପଦକ୍ଷେପ କିମ୍ବା ଏ ନେଇ ସୂଚନା ଦିଆଯାଇନାହିଁ। ସରକାରଙ୍କ ଏଭଳି ମନୋଭାବ ଯୋଗୁ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରାଯାଇନଥିବା ସଂଘ ପକ୍ଷରୁ କୁହାଯାଇଛି। ସମ୍ବଲପୁର ସହର ଗ୍ରାମାଞ୍ଚଳରେ ଲୋକେ ମହାବନ୍ଦକୁ ସମର୍ଥନ କରିଥିବା ତଥା ଏହି ପରିପ୍ରେକ୍ଷୀରେ କରାଯାଇଥିବା ରାଲିରେ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିବାରୁ ସଂଘର ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ କୃତଜ୍ଞତା ଜଣାଇଥି‌େଲ। ବୈଠକରେ ସଂଘର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର