କରୋନା ପାଣ୍ଠି ଗଠନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କଲେ ମାସକର ପେନ୍ସନ୍
୩୦ ତାରିଖରେ ବିଧାନସଭା ସାଙ୍ଗ କରିବାକୁ ପରାମର୍ଶ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ‘ରାଜ୍ୟରେ ଯେଉଁମାନେ ଖଟିକିଆ, ଦିନ ମଜୁରିଆ କିମ୍ବା ଛୋଟ ଦୋକାନଟିଏ କରି ନିଜ ପରିବାର ଚଳାଉଛି ସେମାନଙ୍କ ଅବସ୍ଥା ଆଉ ୩ରୁ ୪ ଦିନ ପରେ ଅସମ୍ଭାଳ ହୋଇଯିବ। ସାରା ରାଜ୍ୟରେ ତାଲା ବନ୍ଦ ଯୋଗୁଁ ସେମାନେ ରୋଜଗାର ହରାଇବାକୁ ବସିଲେଣି। ସେମାନଙ୍କ ପାଇଁ ରାଜ୍ୟ ସରକାର ତୁରନ୍ତ ଗୋଟିଏ ଆର୍ଥିକ ସହାୟତା ପ୍ୟାକେଜ୍ ଘୋଷଣା କରନ୍ତୁ।’ ଆଜି ଏ ନେଇ ରାଜ୍ୟ ସରକାରଙ୍କୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ନିବେଦନ କରିଛନ୍ତି। ଏହାସହିତ ପୂର୍ବତନ ବିଧାୟକ ଭାବେ ସେ ତାଙ୍କର ଗୋଟିଏ ମାସର ପେନ୍ସନ୍ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି।
ଶ୍ରୀ ମହାପାତ୍ର କହିଥିଲେ, ାଇଁ ଦେଶର ସ୍ବାର୍ଥ ଦୃଷ୍ଟିରୁ କେନ୍ଦ୍ର ଓ ଓଡ଼ିଶା ସରକାର ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି, ସେଥିରେ ସମସ୍ତେ ସହଯୋଗ କରିବା ଦରକାର। ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ପାଣ୍ଠି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଏହି ଉଦ୍ୟମ ପ୍ରଶଂସନୀୟ। କିନ୍ତୁ ଗରିବ ଓ ଅସହାୟ ଲୋକଙ୍କୁ ଖାଦ୍ୟ ପଦାର୍ଥ ଯୋଗାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଦିଲ୍ଲୀ ସରକାର ଯେପରି ପଦକ୍ଷେପ ନେଇଛନ୍ତି, ସେପରି ପଦକ୍ଷେପ ଓଡ଼ିଶା ସରକାର ନେବା ଆବଶ୍ୟକ। ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ କେବଳ ବିଧାୟକ, ସାଂସଦ ଓ ପୂର୍ବତନ ଜନପ୍ରତିନିଧିମାନେ ନୁହନ୍ତି, ସମସ୍ତେ ମୁକ୍ତ ହସ୍ତରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ ପ୍ରଦାନ କରିବା ଉଚିତ୍।
ସେ ଆହୁରି କହିଥିଲେ, ଆସନ୍ତା ୩୦ ତାରିଖରେ ବିଧାନସଭା ଖୋଲିବ। ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମାନୁଯାୟୀ ଗିଲୋଟିନ୍ ଜରିଆରେ ବିଭାଗୀୟ ଖର୍ଚ୍ଚ ଦାବି ପାରିତ କରାଇବା ପାଇଁ ଗୋଟିଏ ଦିନ ଓ ବ୍ୟୟ ମଞ୍ଜୁରି ବିଲ୍ ପାରିତ ପାଇଁ ଆଉ ଗୋଟିଏ ଦିନ ଧାର୍ଯ୍ୟ କରାଯାଏ। ଷୋଡ଼ଶ ବିଧାନସଭାର ତୃତୀୟ ଅଧିବେଶନର ବିଜ୍ଞପ୍ତି ଅନୁଯାୟୀ, ଏଥିପାଇଁ ମାର୍ଚ୍ଚ ୩୦ ଓ ୩୧ ଦୁଇଦିନ ଧାର୍ଯ୍ୟ କରାଯାଇଛି। କରୋନା ସତର୍କତା ସ୍ବରୂପ ସଦସ୍ୟ ଓ ସଦସ୍ୟାମାନଙ୍କ ସାମାଜିକ ଦୂରତା ରକ୍ଷା ଦୃଷ୍ଟିରୁ ଅଧିକ ସମୟ ଗୃହ ଚଲାଇବା ଉଚିତ୍ ନୁହଁ। ଏପରି ବିଶେଷ ପରିସ୍ଥିତିରେ ବାଚସ୍ପତି ନିଜେ ନିଷ୍ପତ୍ତି ନେଇ ଏହାକୁ ଗୋଟିଏ ଦିନରେ ସୀମିତ କରିପାରିବେ। ଅର୍ଥାତ୍ ୩୦ ତାରିଖ ଦିନ ଗିଲୋଟିନ୍ ଓ ବ୍ୟୟ ମଞ୍ଜୁରି ବିଲ୍ ଉଭୟ ପାରିତ କରାଇ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖାଯାଉ ବୋଲି ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ।