ବିଳମ୍ବିତ ନ୍ୟାୟ ପାଇଁ ୨୦ ଲକ୍ଷ କ୍ଷତିପୂରଣ ଦାବି, ନିଜ ମାମଲା ପରିଚାଳନା ପାଇଁ ଆଇନ୍‌ ପଢ଼ିଲେ ମହିଳା

ସମ୍ବଲପୁର : ଗତ ଏପ୍ରିଲ ୫ରେ ଝାରସୁଗୁଡା ଜିଲ୍ଲା ଏବଂ ସେସନ ଜଜ୍‌ଙ୍କ କୋର୍ଟରେ ଝାରସୁଗୁଡା ଏସ୍‌ଡିଜେଏମ୍‌ଙ୍କ ନାମରେ ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ଅଭିଯୋଗରେ କୋଡିଏ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରି ଏକ ମାମଲା ଦାୟର ହୋଇଛି। ଏସ୍‌ଡିଜେମ୍‌ ଉଭୟ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଆଦେଶ ପାଳନ କରୁନାହାନ୍ତି। ଏଥିସହିତ, ସାମ୍ବିଧାନିକ ଏବଂ ମାନବିକ ଅଧିକାର କ୍ଷୁଣ୍ଣ ହୋଇଛି ବୋଲି ଆବେଦନକାରୀ ନିୟତି ପଟେଲ ପିଟିସନରେ ଦର୍ଶାଇଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ନିଜ ମାମଲା ଲଢ଼ିବା ପାଇଁ ଆବେଦନକାରୀ ମହିଳାଙ୍କୁ ଆଇନପାଠ ପଢ଼ିବାକୁ ପଡ଼ିଛି।

ଆଦେବନକାରୀ ନିୟତି ପିଟିସନ୍‌ରେ ଦର୍ଶାଇଛନ୍ତି ଯେ, ସ୍ବାମୀ ଶୁଭେନ୍ଦୁ ନାରାୟଣ ପଟେଲଙ୍କର ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଗତ ୨୦୧୧ ସେପ୍ଟେମ୍ବର ୬ ତାରିଖରେ ଭରଣପୋଷଣ ପାଇଁ ପ୍ରତିମାସ ୧୦ ହଜାର ଟଙ୍କା ଦେବା ନି‌ମନ୍ତେ ଝାରସୁଗୁଡା ଏସ୍‌ଡିଜିଏମ୍‌ କୋର୍ଟ ପକ୍ଷରୁ ତାଙ୍କ ସ୍ବାମୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଶୁଭେନ୍ଦୁ ଏହି ଆଦେଶକୁ ବିରୋଧ କରି ଅ‌‌କ୍ଟୋବର ୨୩ରେ ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଜଜ୍‌ଙ୍କ ଅଦାଲତରେ ଏକ ମାମଲା ଦାୟର କରିଥିଲେ। କିନ୍ତୁ ନ୍ୟାୟପାଳିକା ଏହାକୁ ଉକ୍ତ ବର୍ଷ ନଭେମ୍ବର ୨୧ରେ ଖାରଜ କରିବା ସହ ୫୦୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଶୁଭେନ୍ଦୁ କୋର୍ଟ ଜରିଆରେ ନିୟତିଙ୍କୁ ୫୦୦ ଟଙ୍କା କ୍ଷତିପୂରଣ ଦେଇଥିଲେ।

ଏହାପରେ ଶୁଭେନ୍ଦୁ ଉକ୍ତ ରାୟ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏନେଇ ହାଇକୋର୍ଟରେ ଡିସେମ୍ବର ୨୧ରେ କେସ୍‌ ନଂ ସିଟି ୨୮୭୨/୨୦୧୧ ଦାୟର ହୋଇଥିଲା। ଏହାପରେ ହାଇକୋର୍ଟ ପୂର୍ବ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ। ମାମଲାଟି ସ୍ଥଗିତ ରହିଯିବାରୁ ଶୁଭେନ୍ଦୁ ‌ପତ୍ନୀ ନିୟତିଙ୍କୁ ଭରଣପୋଷଣ ଅର୍ଥ ଦେଇ ନଥିଲେ।

ଏହାପରେ ନିୟତି ନିଜେ ନିଜ ନ୍ୟାୟର ଲଢ଼େଇ ଲଢ଼ିବାକୁ ଆଇନ୍ ପାଠ ପଢ଼ିଥିଲେ। ସେ ଏଲ୍ଏଲ୍‌ବିରେ ନାମ ଲେଖାଇଥିଲେ। ଆଇନ୍‌ ପାଠ ପଢ଼ିବା ପରେ ନିୟତି ଜାଣିଥିଲେ ଯେ ସୁପ୍ରିମ୍‌ କୋର୍ଟ ୨୮ମାର୍ଚ୍ଚ ୨୦୧୮ରେ ଜାରି କରିଥିବା ଆଇନ୍‌ ଅନୁଯାୟୀ ୬ମାସରୁ ଅଧିକ କୌଣସି ମାମଲା ଅଦାଲତରେ ସ୍ଥଗିତ ହୋଇ ରହିପାରିବ ନାହିଁ। କୌଣସି ରହିତାଦେଶକୁ ୬ମାସ ବିତିଯାଇଥିଲେ ତାହା ଆପେଆପେ ଉଠିଯିବ। ଜାନୁଆରି ୨୦୧୯ରେ ଏହି ଆଦେଶକୁ ଓଡ଼ିଶା ନ୍ୟାୟପାଳିକା ମାନିବା ନିମନ୍ତେ ସୁପ୍ରିମ୍‌କୋର୍ଟ ପକ୍ଷରୁ ଆଦେଶ ଜାରି ହୋଇଥିଲା।

ଏହାପରେ ୨୦୧୧ରେ ହାଇକୋର୍ଟରେ ହୋଇଥିବା ସେହି ମାମଲାଟିକୁ ୮ବର୍ଷ ପରେ ୨୦୧୯ ଫେବ୍ରୁଆରି ୧ରେ ପୁନଃବିଚାର ପାଇଁ ଏସ୍‌ଡିଜେଏମ୍‌ ଝାରସୁଗୁଡ଼ାଙ୍କ କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାଟିକୁ ବିଚାର ନିମନ୍ତେ ଝାରସୁଗୁଡା ଜିଲ୍ଲା ଜଜ୍‌ଙ୍କ ସହ ପରାମର୍ଶ କରି ଏହାର ସମାଧାନ କରିବେ ବୋଲି ଏସ୍‌ଡିଜେଏମ୍‌ ମତ ଦେଇଥିଲେ। ଏହାପରେ ମାମଲାର ଶୁଣାଣି ପୁଣି ମାର୍ଚ୍ଚ ୬କୁ ଧାର୍ଯ୍ୟ କରାଯାଇଥିଲା। ଆବେଦନକାରୀଙ୍କୁ ବାରମ୍ବାର ଗୋଟିଏ ପରେ ଗୋଟିଏ ଶୁଣାଣି ତାରିଖ ଦିଆ ଯାଉଥିଲା। ଶୁଣାଣି ପୁଣି ମାର୍ଚ୍ଚ ୧୫କୁ ଘୁଞ୍ଚିଥିଲା। ଏହାପରେ ପୁଣି ମାର୍ଚ୍ଚ ୨୦। ଉକ୍ତ ଦିନ ବି ଏସ୍‌ଡ଼ିଜିଏମ୍‌ ଅନୁପସ୍ଥିତ ଥିବାରୁ ଏହି କେସ୍‌ଟି ଆଗକୁ ବଢିପାରି ନଥିଲା।

ଏଥିରେ ଆବେଦନକ‌ାରୀ ନିୟତି ପଟେଲ ହତୋତ୍ସାହିତ ହୋଇ ଝାରସୁଗୁଡା ଜିଲ୍ଲା ଏବଂ ସେସନ ଜଜ୍‌ଙ୍କ କୋର୍ଟରେ ଝାରସୁଗୁଡା ଏସ୍‌ଡିଜେମ୍‌ଙ୍କ ନାମରେ ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ଏବଂ କୋଡିଏ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ମାମଲା ଦାୟର କରିଛନ୍ତି। ଏସ୍‌ଡ଼ିଜିଏମ୍‌ଙ୍କ ଅଦାଲତରେ ଶୁଣାଣି ତାରିଖ ଏଭଳି ବାରମ୍ବାର ଘୁଞ୍ଚିବା ଦ୍ବାରା ତାଙ୍କର ସମୟ ଓ ଅର୍ଥ ବ୍ୟୟ ସହ ମାନବାଧିକାର କ୍ଷୁଣ୍ଣ ହୋଇଥିବା ସେ ଦର୍ଶାଇଛନ୍ତି। ଆବେଦନକାରୀ ଆଡ଼ଭୋକେଟ ନିୟତି ପଟେଲ ନିଜେ ଏହି ମାମଲାର ପରିଚାଳନା କରୁଛନ୍ତି ଏବଂ ଡା. ଦିଲ୍ଲୀପ ପାଣିଗ୍ରାହୀ ତାଙ୍କୁ ସହଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର