ମରଣଯନ୍ତା ପାଲଟିଛି କୋରାପୁଟ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ-୨୬ର ସୁଙ୍କି ଘାଟି ରାସ୍ତା

ଜୟପୁର : କୋରାପୁଟ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ-୨୬ର ସୁଙ୍କି ଘାଟି ରାସ୍ତା ଶୋଚନୀୟ ହୋଇପଡିଛି । ଏହି ଜାତୀୟ ରାଜପଥଟି ଆନ୍ଧ୍ରପ୍ରଦେଶର ବିଜୟନଗରମରୁ ଛତିଶଗଡର ଜଗଦଲପୁର ପର୍ଯ୍ୟନ୍ତ ଲମ୍ବିଛି । ଜାତୀୟ ରାଜପଥର ପଟାଙ୍ଗି ବ୍ଲକର ସୁଙ୍କି ଘାଟି ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ଘାଟି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବା ବେଳେ ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ପ୍ରତିଦିନ ଛୋଟବଡ଼ ଧରଣର ଦୁର୍ଘଟଣା ଘଟୁଛି । କୋରାପୁଟ ଜିଲ୍ଲା ସହ ଆନ୍ଧ୍ରକୁ ଯୋଗାଯୋଗ କରିବା ପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବା ବେଳେ ଘାଟି ରାସ୍ତା ଖରାପ ଯୋଗୁଁ କେବେ ଘାଟିରେ ଦୁର୍ଘଟଣା ତ ପୁଣି କେତେବେଳେ ଘାଟି ରାସ୍ତା ଜାମ । ଏଭଳି ସ୍ଥିତି ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତିଦିନ ଏହି ରାସ୍ତା ଦେଇ ଦୂରଗାମୀ ବସ୍ ଗୁଡିକ ଯାତାୟତ କରୁଥିବା ବେଳେ ଘାଟି ରାସ୍ତା ଜାମ ଯୋଗୁଁ ଯାତ୍ରୀମାନେ ଘଣ୍ଟାଘଣ୍ଟା ଧରି ପଡି ରହିବା ସହ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭାରି ଯାନ ଯାତାୟତ କରୁଥିବା ବେଳେ ଏହାକୁ ଆବଶ୍ୟକୀୟ ମରାମତି କରାଯାଉନଥିବା ଯୋଗୁଁ ରାସ୍ତା ଉପରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଯାଇଛି । କେତେକ ସ୍ଥାନରେ ଘାଟିରୁ ମାଟି ଅତଡ଼ା ଖସିଯାଇଥିବା ବି ଦେଖିବାକୁ ମିଳିଛି ।

ଘାଟିର ରାସ୍ତା ପାର୍ଶ୍ବରେ ଦିଆଯାଇଥିବା ମାଟି ଧୋଇ ହୋଇ ଯିବା ସହ ସିମେଣ୍ଟର ଗାର୍ଡ ୱାଲ ଗୁଡିକ ବି ଭାଙ୍ଗି ଗଲାଣି। ଓଡିଶା ସୀମା ଭିତରେ ଥିବା ରାସ୍ତାର ଅବସ୍ଥା ଠାରୁ ଆନ୍ଧ୍ର ସୀମାରେ ରହିଥିବା ରାସ୍ତା ଅଧିକ ଦୟନୀୟ ହୋଇଯାଇଛି ।

ଉଭୟ ରାଜ୍ୟର ବିଭାଗୀୟ ଅଧିକାରୀ ତୁରନ୍ତ ଏହାର ମରାମତି କରିବା ସହ ସୃଷ୍ଟି ହୋଇଥିବା ଗାତ ଗୁଡିକର ମରାମତି କରିବାକୁ ଦାବି ହୋଇଛି ।

ସମ୍ବନ୍ଧିତ ଖବର