ରାଜଧାନୀରେ ଡେଙ୍ଗୁ ଆତଙ୍କ: ଚନ୍ଦ୍ରଶେଖରପୁର ବିଡ଼ିଏ କଲୋନୀରେ ଦୁଇ ଡେଙ୍ଗୁ ରୋଗୀ ଚିହ୍ନଟ

ପ୍ରଶାସନକୁ ଦାୟୀ କଲେ ଲୋକେ, ଆହୁରି ଅନେକ ଆକ୍ରାନ୍ତ ହୋଇଥିବା ସୂଚନା

ଚନ୍ଦ୍ରଶେଖରପୁର: ମୌସୁମୀ ବାୟୁ ଅଥବା ବର୍ଷା ପହଞ୍ଚି ନଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଆତଙ୍କ ଦେଖାଯାଇଛି। ଚନ୍ଦ୍ରଶେଖରପୁରସ୍ଥିତ ଓ୍ଵାର୍ଡ଼ ନଂ-୧୩ ଅନ୍ତର୍ଗତ ବିଡ଼ିଏ କଲୋନୀରେ ଗୋଟିଏ ପରିବାରରୁ ଦୁଇ ଜଣଙ୍କୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏମ୍‌ଆଇଜି-୨,୧୪/୧୦ ଘରେ ରହୁଥିବା ନାରାୟଣ ସାହୁ (୪୫) ଏବଂ ତାଙ୍କ ପତ୍ନୀ ପ୍ରମିଳା ସାହୁ(୩୫) ଡେଙ୍ଗୁ ରୋଗରେ ପିଡ଼ୀତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସରକାରୀ ଭାବରେ ଏହି ଦୁଇ ଜଣଙ୍କୁ ରାଜଧାନୀର ପ୍ରଥମ ଦୁଇ ଡେଙ୍ଗୁ ରୋଗୀ ଭାବରେ ଚିହ୍ନଟ କରାଯାଇଥିବା ଜନସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ସୂଚନା ଦେଇଛନ୍ତି। କିନ୍ତୁ ବେସରକାରୀ ତଥ୍ୟ ଅନେକ ଡେଙ୍ଗୁ ରୋଗୀଙ୍କ କଥା କହୁଛି। ଏହି କଲୋନୀ ନିକଟରେ ଥିବା ଏକ ଔଷଧ ଦୋକାନରେ କାର୍ଯ୍ୟରତ ଜଣେ ବ୍ୟକ୍ତିଙ୍କ ସମେତ ଜଣେ ମାଛ ଦୋକାନୀ ମଧ୍ୟ ଡେଙ୍ଗୁ କବଳରେ କବଳିତ ହୋଇଥିବା ଗ୍ରାଉଣ୍ଡ୍‌ ରିପୋର୍ଟ କହୁଛି। ବିଡ଼ିଏ କଲୋନୀ ଭଳି ଅଞ୍ଚଳରେ ବର୍ଷା ଋତୁ ପୂର୍ବରୁ ଅସମୟରେ ଡେଙ୍ଗୁ ହେବାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଯଦି ବିଡ଼ିଏ କଲୋନୀରେ ଡେଙ୍ଗୁ ହୋଇପାରୁଛି ତେବେ ଗତବର୍ଷ ଡେଙ୍ଗୁରେ କମ୍ପୁଥିବା ସାଲିଆସାହିର ଅବସ୍ଥା କଣ ହୋଇଥିବା ତାହା ବେଶ୍‌ ଅନୁମେୟ ବୋଲି ସାଧାରଣରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର