କୋରାପୁଟ ଜିଲ୍ଲାରେ ବଢ଼ୁଛନ୍ତି ଡେଙ୍ଗୁ ରୋଗୀ : ବଡ଼ ମେଡିକାଲରେ ଖୋଲିଲା ଡେଙ୍ଗୁ ଓ୍ଵାର୍ଡ

0 82

କୋରାପୁଟ : ଜିଲ୍ଲାରେ କାୟା ମେଲାଇବାରେ ଲାଗିଛି ଡେଙ୍ଗୁ। କୋରାପୁଟରେ ଦିନକୁ ଦିନ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଦୁଇଦିନ ତଳେ ନାରାୟଣପାଟଣାର ଜଣେ ନାବାଳିକାଙ୍କ ଶରୀରରୁ ଡେଙ୍ଗୁ ଭୂତାଣୁ ମିଳିଥିଲା ବେଳେ ଏବେ କୁନ୍ଦୁରାର ଜଣେ ରୋଗୀଙ୍କ ଦେହରେ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇଛି। ଏହାପରେ ସତର୍କ ହୋଇ ଉଠିଛନ୍ତି ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କର୍ତ୍ତୃପକ୍ଷ। ଆଜିଠାରୁ ମେଡିକାଲରେ ଏକ ସ୍ୱତନ୍ତ୍ର ଡେଙ୍ଗୁ ଓ୍ଵାର୍ଡ ଖୋଲାଯାଇଛି।

କୋରାପୁଟ ଜିଲ୍ଲାରେ କିଛି ଦିନ ହେଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦୁଇ ଦିନରେ ଦୁଇ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ସ୍ଥିତି ସମ୍ଭାଳିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅଣ୍ଟା ଭିଡିଛି। ପୁଣି ଗତକାଲି ଜଣେ ଡେଙ୍ଗୁ ରୋଗୀ ଶଯ୍ୟା ନ ପାଇ ଫେରି ଯାଇଥିବାରୁ ଏହା ବିଭାଗକୁ ଅଡୁଆ ପରିସ୍ଥିତିରେ ପକାଇ ଥିଲା। ତେଣୁ ମେଡିକାଲ କଲେଜ କର୍ତ୍ତୃପକ୍ଷ ଏକ ସ୍ୱତନ୍ତ୍ର ଡେଙ୍ଗୁ ଓ୍ଵାର୍ଡ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ଏହି ଓ୍ଵାର୍ଡ ମେଡିକାଲ କଲେଜ ପରିସରରେ ଖୋଲିଛି। ମେଡିକାଲର ତଳ ମହଲାରେ ଥିବା ଏହି ସ୍ୱତନ୍ତ୍ର ଓ୍ଵାର୍ଡରେ ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ଶଯ୍ୟା ରହିବ। ପରେ ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଶଯ୍ୟା ସଂଖ୍ୟା ସ୍ଥିର କରାଯିବ। ଏହି ଓ୍ଵାର୍ଡରେ ରୋଗୀଙ୍କ ପାଇଁ ମଶାରୀ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଡେଙ୍ଗୁ ଯେମିତି ନ ବ୍ୟାପିବ ଓ ରୋଗୀମାନେ ଠିକ ଭାବେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ପାଇ ପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ମେଡିକାଲ ମ୍ୟାନେଜର ଦେବବ୍ରତ ସାହୁ ସୂଚନା ଦେଇଛନ୍ତି। ଅପରପକ୍ଷରେ କୁନ୍ଦୁରାର କାର୍ତ୍ତିକ ଅଢାରୀଙ୍କ ଶରୀରରେ ଡେଙ୍ଗୁ ଭୂତାଣୁ ମିଳିବା ପରେ ତାଙ୍କୁ ଆଜି ସ୍ୱତନ୍ତ୍ର ଭାବେ ଚିକିତ୍ସା କରାଯାଉଛି। ତାଙ୍କ ଅବସ୍ଥା ଏବେ ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.