ରାୟଗଡ଼ା ଜିଲ୍ଲାରେ ବୃଦ୍ଧି ପାଉଛି ଡେଙ୍ଗୁ ଆତଙ୍କ

ବିଷମକଟକ : ରାୟଗଡ଼ା ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ଆତଙ୍କ। ଦିନକୁ ଦିନ ଗ୍ରାମାଞ୍ଚଳରେ ଜ୍ୱରରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏବେ ଲୋକଙ୍କ ମଧ୍ୟରେ ଡେଙ୍ଗୁ ନେଇ ଆତଙ୍କ ସୃଷ୍ଟି ହୋଇଛି।

ରାୟଗଡ଼ା ଜିଲ୍ଲାରେ କାୟା ମେଲାଇ ଚାଲିଥିବା ଡେଙ୍ଗୁକୁ ଆଦୌ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ସଂପୂର୍ଣ୍ଣ ଫେଲ ମାରିଛି ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ। ଏଭଳି ପରିସ୍ଥିତିରେ ବିଷମକଟକ ବ୍ଲକ ଅନ୍ତର୍ଗତ ଝିଗିଡି ପଂଚାୟତର ଗଡବା ଗ୍ରାମରେ ଜ୍ୱର ବ୍ୟାପିବାରେ ଲାଗିଛି। ଗତ ଚାରିଦିନ ମଧ୍ୟରେ ବହୁ ଲୋକ ଜ୍ୱରରେ ଆକ୍ରାନ୍ତ ହେବାପରେ ମଙ୍ଗଳବାର ଦିିନ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ବିକାଶ ପଣ୍ଡାଙ୍କ ନେତୃତ୍ୱରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଦଳ ଗ୍ରାମରେ ପହଞ୍ଚିଥିଲା। ଲୋକଙ୍କୁ ଚିକିତ୍ସା କରି ଔଷଧ ବି ଦିଆଯାଇଥିଲା।

ଆକ୍ରାନ୍ତଙ୍କ ରକ୍ତ ନମୁନା ପରୀକ୍ଷାରୁ ମ୍ୟାଲେରିଆ ହୋଇ ନଥିବା ଜଣାପଡ଼ିଥିଲା। ପୁଣି ବୁଧବାର ଦିନ ଡାକ୍ତରି ଦଳ ଗଡବା ଗ୍ରାମରେ ପଂହଚିଥିବା ବେଳେ ଆକ୍ରାନ୍ତଙ୍କ ଜ୍ୱର କମି ନଥିବା ଦେଖିବାକୁ ମିଳିଥିଲା। ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ୧୨ଜଣ ଆକ୍ରାନ୍ତଙ୍କ ରକ୍ତ ରମୁନା ସଂଗ୍ରହ କରି ଡେଙ୍ଗୁ ପରୀକ୍ଷା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଆଜି ସୁଦ୍ଧା ଏନେଇ କୌଣସି ରିପୋର୍ଟ ହସ୍ତଗତ ହୋଇ ନଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଜ୍ୱରରେ ଆକ୍ରାନ୍ତ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର