ବୟସାଧିକ ପ୍ରାର୍ଥୀଙ୍କ ଆବେଦନ ଗ୍ରହଣ ପାଇଁ ଓପିଏସ୍‌ସିକୁ ନିର୍ଦ୍ଦେଶ

ଡେଣ୍ଟାଲ ସର୍ଜନ ନିଯୁକ୍ତି ବିଜ୍ଞପ୍ତିକୁ ସ୍ୟାଟ୍‌ରେ ଚାଲେଞ୍ଜ

କଟକ : ଡେଣ୍ଟାଲ ସର୍ଜନ ପଦବିରେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ନିର୍ଦ୍ଧାରିତ ବୟସ ଅତିକ୍ରାନ୍ତ କରି ସାରିଥିବା ଆବେଦନକାରୀଙ୍କ ଫର୍ମ ଗ୍ରହଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)କୁ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ନିର୍ଦ୍ଦେଶ ଦେଇଛନ୍ତି। ଅନ୍‌ ଲାଇନରେ ଆବେଦନକାରୀଙ୍କ ଫର୍ମ ଗ୍ରହଣ ପାଇଁ ଓପିଏସ୍‌ସିକୁ ନିର୍ଦ୍ଦେଶ ଦିଆଯାଇଛି। ବୟସ କୋହଳ ଓ ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଂଗ ଆଧାରେ ଡେଣ୍ଟାଲ ସର୍ଜନ ପଦବି ପାଇଁ ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତି ପରୀକ୍ଷା ପାଇଁ ସୁଯୋଗ ସଂପର୍କିତ କେତେକ ମାମଲାର ଶୁଣାଣି କରି ସ୍ୟାଟ୍‌ ଏପରି ଅନ୍ତରୀଣ ନିର୍ଦ୍ଦେଶ ଦେବା ସହିତ ଓପିଏସସିକୁ ଜବାବ ଦାଖଲ ପାଇଁ ନୋଟିସ୍‌ ଜାରି କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟରେ ୧୯୮ଟି ଦନ୍ତ ଚିକିତ୍ସକ ପଦବି ପୂରଣ ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଓପିଏସସି ପକ୍ଷରୁ ୨୦୧୮, ମାର୍ଚ୍ଚ ୧୭ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିରେ ଥିବା ସର୍ବାଧିକ ବୟସ ସୀମା ମାନଦଣ୍ଡକୁ କୋହଳ କରିବା ପାଇଁ କେତେକ ଆବେଦନକାରୀ ସ୍ୟାଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ଦର୍ଶାଇଥିଲେ ଯେ ୨୦୧୩-୧୪ ମସିହାରେ ଶେଷ ଥର ଡେଣ୍ଟାଲ ସର୍ଜନ ପଦବି ପାଇଁ ନିଯୁକ୍ତି ପରୀକ୍ଷା ହୋଇଥିଲା। ତା ପରେ ଆଉ ପରୀକ୍ଷା ହୋଇନାହି। ଫଳରେ ବହୁ ଯୋଗ୍ୟ ପ୍ରାର୍ଥୀ ଏଥର ନିଯୁକ୍ତି ପ୍ରକ୍ରିୟାରୁ ବାଦ ପଡିବାର ସମ୍ଭାବନା ରହିଛି। ଏପରି ପରିସ୍ଥିତିରେ ବୟସ ସୀମା କୋହଳ କରାଯାଉ। ସେହିପରି ଆଉ କିଛି ଆଶାୟୀ ସ୍ଥାନ ସଂରକ୍ଷଣ ପ୍ରସଂଗକୁ ନେଇ ସ୍ୟାଟଙ୍କୁ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ ଓପିଏସସି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ପଛୁଆ ବର୍ଗଙ୍କ ପାଇଁ ଥିବା ପଦବି ପୂର୍ବରୁ ପୂରଣ ହୋଇଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କାଳୀପ୍ରସନ୍ନ ମିଶ୍ର, ମନୋଜ ଖୁଣ୍ଟିଆ, ଅଭିଜିତ ମିଶ୍ର ଏବଂ ଓପିଏସସି ପକ୍ଷରୁ ଆଇନଜୀବୀ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର