ଦେବଗଡ଼ ଜିଲ୍ଲାରେ କରୋନା ମୁକାବିଲା ନିମନ୍ତେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ସରଭାଇଲେନ୍ସ ଟିମ୍ ଗଠିତ

ଦେବଗଡ଼: ରାଜ୍ୟ ସରକାରଙ୍କ ଦ୍ୱାରା କୋଭିଡ-୧୯କୁ ଏକ ରାଜ୍ୟ ବିପର୍ଯ୍ୟୟ ଘୋଷଣା ପରିପ୍ରେକ୍ଷୀରେ ଏବଂ ଏହି ମହାମାରୀ ଜିଲ୍ଲାରେ ବ୍ୟାପିବାକୁ ପ୍ରତିହତ କରିବାପାଇଁ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଇତିମଧ୍ୟରେ ଏକ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଟିମ୍ ଗଠନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦା ଏଥିରେ ନୋଡାଲ ଅଫିସର ରହିଥିବାବେଳେ ସହକାରୀ ଜିଲ୍ଲାପାଳ ଯଶୋବନ୍ତ ଦେହୁରୀ ଏବଂ କୈବଲ୍ୟ କିଶୋର କର ସହକାରୀ ନୋଡାଲ ଅଧିକାରୀ ରହିଛନ୍ତି ।

ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଟିମକୁ ସହଯୋଗ କରିବାପାଇଁ ଜିଲ୍ଲାରେ ଏକ କରୋନାସେଲ ଖୋଲାଯାଇଛି, ଯାହାର ଦାୟିତ୍ୱ ରେ ଡେପୁଟି କଲେକ୍ଟର ସିପ୍ରା ସେଠୀ ଏବଂ ସହକାରୀ କଲେକ୍ଟର ସୁଶାନ୍ତ କୁମାର ନାୟକ ରହିଛନ୍ତି । ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଟିମ୍ ଜିଲ୍ଲାକୁ ବିଦେଶ ଏବଂ ଦେଶର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଜିଲ୍ଲା ତଥା ଜିଲ୍ଲା ବାହାରର ବ୍ୟକ୍ତିବିଶେଷଙ୍କ ସଂପର୍କରେ ସବିଶେଷ ସୂଚନା ସଂଗ୍ରହ କରିବା ସହିତ ବିଭିନ୍ନ ସଂଗଠନ ପକ୍ଷରୁ କରାଯାଇଥିବା ସଚେତନତା କାର୍ଯ୍ୟକ୍ରମର ମଧ୍ୟ ପର୍ଯ୍ୟବେକ୍ଷଣ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ, ସମାଜ ମଙ୍ଗଳ ବିଭାଗ ଓ ବ୍ଲକସ୍ତରୀୟ କ୍ଷେତ୍ର କର୍ମଚାରୀମାନେ ତଥ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଅଛନ୍ତି । କରୋନାସେଲରେ ଥିବା ଅଧିକାରୀ, ସଂଗନିରୋଧ (କ୍ୱାରାଣ୍ଟାଇନ), ଗୃହ ପୃଥକୀକରଣ ( ହୋମ ଆଇସୋଲେସନ) ଓ ସ୍ଥାନୀୟ ଆଇସୋଲେସନ କେନ୍ଦ୍ରମାନଙ୍କରେ ରଖାଯାଉଥିବା ବ୍ୟକ୍ତି ବିଶେଷଙ୍କ ସହିତ ସମୟ ବ୍ୟବଧାନରେ ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶନାମା ଅନୁପାଳନ ପୂର୍ବକ ଯୋଗାଯୋଗ କରୁଛନ୍ତି ।
ଏହା ବ୍ୟତୀତ ଜିଲ୍ଲାର ୩ଟି ବ୍ଲକ୍ ଓ ପୈାରାଞ୍ଚଳରେ ସମୁଦାୟ ୭ଟି ସରଭାଇଲେନ୍ସ ଏବଂ ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇଛି । ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଏହାର ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀ ରହିଥିବାବେଳେ ପ୍ରତ୍ୟେକ ବ୍ଲକରେ ଗଠିତ ୨ଟି ଟିମ୍‌ରେ ସଂପୃକ୍ତ ବି.ଡି.ଓ., ତହସିଲଦାର ଟିମ୍ ଦାୟିତ୍ୱରେ ରହିଛନ୍ତି ଏବଂ ପୈାରାଞ୍ଚଳ ଟିମ୍‌ରେ ନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଛନ୍ତି । ଏହି ଟିମ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମଧ୍ୟ ନଜର ରଖୁଛନ୍ତି । ଜିଲ୍ଲାପାଳ ଶ୍ରୀ ସାମଲ ବ୍ଲକସ୍ତରରେ ଅତିରିକ୍ତ ସରଭାଇଲେନ୍ସ ଟିମ୍ ଗଠନ ନିମନ୍ତେ ବି.ଡି.ଓ.ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର