ଆଜିଠୁ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭିନ୍ନକ୍ଷମ ବ୍ୟକ୍ତିଙ୍କ ସେବା ବାଧାପ୍ରାପ୍ତ ହେବା ଆଶଙ୍କା

ଭୁବନେଶ୍ୱର : ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ଆସନ୍ତାକାଲିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। କର୍ମଚାରୀଙ୍କ ରହିଥିବା ବିଭିନ୍ନ ସମସ୍ୟା ଉପରେ ରାଜ୍ୟ ସରକାରଙ୍କ ପକ୍ଷପାତିତା ବିରୋଧରେ କର୍ମଚାରୀ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ତେବେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଫଳରେ ଭିନ୍ନକ୍ଷମ ପ୍ରତିଷ୍ଠାନରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ କରାଯାଉଥିବା କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ଉପୁଜିଛି।

କର୍ମଚାରୀଙ୍କ ସୂଚନା ଅନୁଯାୟୀ, ୨୦୧୬ ଡିସେମ୍ବର ମାସରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ ଓ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଏଥିରେ କର୍ମଚାରୀଙ୍କୁ ସ୍ଥାୟୀ କରିବା, କ୍ୟାଡର ରୁଲ୍‌ ଗଠନ ଓ ଅନ୍ୟାନ୍ୟ ଦାବି ଉପରେ ଆଲୋଚନା ହୋଇଥିଲା। ତେବେ ରାଜ୍ୟ ସରକାର ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର କର୍ମଚାରୀଙ୍କୁ ସମସ୍ତ ସୁବିଧା ପ୍ରଦାନ କରିଥିବା ବେଳେ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ କର୍ମଚାରୀଙ୍କୁ ଅଣଦେଖା କରିଥିଲେ। ଏ ସଂପର୍କରେ ବାରମ୍ବାର ସରକାରଙ୍କୁ ଅବଗତ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିପାରି ନାହିଁ। ତେଣୁ ବାଧ୍ୟହୋଇ ପ୍ରତିଷ୍ଠାନରେ କାର୍ଯ୍ୟରତ ୨୪ଜଣ କର୍ମଚାରୀ କାର୍ଯ୍ୟବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି।

ଅପରପକ୍ଷରେ ପ୍ରତିଷ୍ଠାନରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ କାନ ପରୀକ୍ଷା, ଫିଜିଓଥେରାପି, କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ନିର୍ମାଣ, ମାନସିକ ବୁଦ୍ଧି ପରୀକ୍ଷା, କାଉନସେଲିଂ ଓ ଦୃଷ୍ଟିହୀନ ବ୍ୟକ୍ତିମାନଙ୍କ ଯନ୍ତ୍ରପାତି ବଣ୍ଟନ ଓ ତାଲିମ ପ୍ରଦାନ କରାଯାଇଥାଏ। ପ୍ରତ୍ୟେକ ଦିନ ୧୦୦ରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତି ପ୍ରତିଷ୍ଠାନକୁ ଆସିଥାନ୍ତି। ତେବେ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଏସବୁ କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା କରାଯାଉଛି।

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ନିର୍ଦେଶିକା ମାନସୀ ନିମ୍ଭାଲ କହିଛନ୍ତି, ତାଙ୍କ ନିକଟରେ ଏଭଳି କୌଣସି ସୂଚନା ନାହିଁ। କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କଲେ ବିଭାଗକୁ ସୂଚନା ଦେବା କଥା ବୋଲି ଶ୍ରୀମତୀ ନିମ୍ଭାଲ କହିଛନ୍ତି।

ସମ୍ବନ୍ଧିତ ଖବର