ଜଳସଂପଦ ବିଭାଗର ଖର୍ଚଦାବି ପାରିତ : ୧୮ ବର୍ଷରେ ୧୬ ଲକ୍ଷ ହେକ୍ଟର ଜମିକୁ ଜଳ

ଭୁବନେଶ୍ୱର : ବିଜେଡି ସରକାର କ୍ଷମତାସୀନ ହେବା ବେଳେ ରାଜ୍ୟର ମୋଟ ୨୪ ଲକ୍ଷ ହେକ୍ଟର ଜମି ଜଳସେଚିତ ହୋଇଥିଲା। ଏହି ସରକାରଙ୍କ ସମୟରେ ଜଳସେଚନ କ୍ଷମତା ୨୪ ଲକ୍ଷରୁ ୪୦ ଲକ୍ଷ ହେକ୍ଟର ଜମିକୁ ବୃଦ୍ଧି ପାଇଛି ବୋଲି ଜଳସଂପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ଗୃହରେ ସୂଚନା ଦେଇଛନ୍ତି। ଅର୍ଥାତ୍‌ ଗତ ୧୮ ବର୍ଷରେ ରାଜ୍ୟରେ ୧୬ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦିଆଯାଇଛି। ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ରାଜ୍ୟମାନଙ୍କ ସହିତ ଓଡ଼ିଶାର ନଦୀ ଜଳ ବିବାଦ ଦେଖାଦେଇଛି। ଏଭଳି ସମସ୍ୟାର ଅନୁଧ୍ୟାନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆନ୍ତଃରାଜ୍ୟ ନଦୀ ବିବାଦ ନିମନ୍ତେ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ଏହା ସହିତ ସରକାର ଓଡ଼ିଶା ନଦୀ ନୀତି ପ୍ରସ୍ତୁତ କରୁଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ।

ଆଜି ଗୃହରେ ଜଳସଂପଦ ବିଭାଗର ଖର୍ଚଦାବି ଆଲୋଚନାର ଉତ୍ତର ଏବଂ ସ୍ପଷ୍ଟୀକରଣ ଜରିଆରେ ଏସବୁ ସୂଚନା ଦେଇଥିଲେ ମନ୍ତ୍ରୀ। ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଲେ, ଦେଶର ୧୧ ଭାଗ ଜଳ ଓଡ଼ିଶାରେ ରହିଛି। କିନ୍ତୁ ଏହାର ସୁବିନିଯୋଗ ହୋଇପାରୁନାହିଁ। ଫଳରେ ପଶ୍ଚିମ ଓଡ଼ିଶାରେ ମରୁଡ଼ି ଏବଂ ଉପକୂଳ ଜିଲ୍ଲାଗୁଡ଼ିକରେ ବନ୍ୟା ସୃଷ୍ଟି ହେଉଛି। ଏହାର ନିୟନ୍ତ୍ରଣ କରିବା ପରିବର୍ତେ ସରକାର ଛତା, ଜୋତା ଦେଇ କେବଳ ଭୋଟ ମାଗିବାରେ ବ୍ୟସ୍ତ। ସରକାର ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ, ପରବର୍ତୀ ସମୟରେ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାକୁ ପାସୋରି ଦେଲେ। ଏ ସରକାରଙ୍କ ସମୟରେ ଗୋଟିଏ ବି ଜଳବିଦ୍ୟୁତ୍‌ ପ୍ରକଳ୍ପ ହୋଇପାରିଲାନି। ୪୫ଟି ଜଳସେଚନ ପ୍ରକଳ୍ପ ସର୍ଭେ ହୋଇ ସେଇଠି ଅଟକି ଯାଇଛି। ହୀରାକୁଦ, କୋଲାବ ଜଳଭଣ୍ଡାରରୁ ପଟୁ ଉଦ୍ଧାର କରାଯାଉନି। ସରକାରଙ୍କ ଆନ୍ତରିକତା ଅଭାବରୁ ପୋଲାଭରମ୍‌ ପ୍ରକଳ୍ପ ପାଇଁ ଲୋକେ ବୁଡ଼ିବାକୁ ବସିଥିବା ବେଳେ ମହାନଦୀ ପାଣି ଶୁଖିବାକୁ ବସିଲାଣି ବୋଲି ଶ୍ରୀ ବାହିନୀପତି ଅଭିଯୋଗ କରିଥିଲେ।

ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଲେ, ରାଜ୍ୟରେ ଗୋଟିଏ ବି ବୃହତ୍‌, ମଧ୍ୟମ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହୋଇନାହିଁ। ଫଳରେ ପ୍ରକଳ୍ପଗୁଡ଼ିକର ଖର୍ଚ ସାତଗୁଣ ବଢ଼ିଗଲାଣି। ଏହି ସମୟରେ ମଧ୍ୟରେ ମଧ୍ୟ ପ୍ରଦେଶ, ଛତିଶଗଡ଼ ସରକାର ଅନେକ ଜଳସେଚନ ପ୍ରକଳ୍ପ ସାରିଥିବା ବେଳେ ଓଡ଼ିଶାରେ ଜମି ଅଧିଗ୍ରହଣ ସମସ୍ୟାକୁ ସରକାର ସମାଧାନ କରିପାରୁନାହାନ୍ତିି। ବିଭିନ୍ନ ପ୍ରକଳ୍ପ ପାଇଁ ମାତ୍ର କିଛି ହଜାର ଟଙ୍କାର ନାମମାତ୍ର ବ୍ୟୟବରାଦ ହୋଇଥିବା ଦର୍ଶାଇ ଏଥିରୁ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ସରକାରଙ୍କର ଇଚ୍ଛାଶକ୍ତି ନାହିଁ ବୋଲି ସେ ଅଭିଯୋଗ କରିଥିଲେ। ବିଜେପିର ଅନ୍ୟତମ ବିଧାୟକ ବସନ୍ତ ପଣ୍ଡା କହିଲେ, ଜଳସେଚନ ଅଭାବରୁ ପ୍ରତିବର୍ଷ ରାଜ୍ୟର ୩୦୦ରୁ ୪୦୦ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ଦୁର୍ନୀତି ପ୍ରସଙ୍ଗ ଉଠାଇ ଦୁର୍ନୀତି ବିଭାଗକୁ ଦୁର୍ନୀତିଗ୍ରସ୍ତ କରିଥିବା ଅଭିଯୋଗ କରି ସେ ନେଇ ଭାଗିରଥୀ କନ୍‌ଷ୍ଟ୍ରକ୍‌ସନ୍‌ର ଉଦାହରଣ ଦେଇଥିଲେ। ଲୋୟର ସୁକ୍‌ତେଲ୍‌ ପ୍ରକଳ୍ପକୁ ବର୍ତମାନ ପ୍ରାୟତଃ ବିରୋଧ ନ ଥିବା ସତ୍ତ୍ୱେ କାହିଁକି ଏହାର କାମ ଆଗଉନି ବୋଲି ସେ ପ୍ରଶ୍ନ କରିଥିଲେ। ମହାନଦୀ ପ୍ରସଙ୍ଗରେ ସରକାର ପ୍ରହସନ କରୁଥିବା ନେଇ ବ୍ୟଙ୍ଗୋକ୍ତି କରିଥିଲେ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମା।

ଶାସକ ଦଳ ପକ୍ଷରୁ ବରିଷ୍ଠ ବିଧାୟକ ବେଦ୍‌ପ୍ରକାଶ ଅଗ୍ରଓ୍ଵାଲା କହିଲେ, କେନାଲ୍‌ ରାସ୍ତା ମରାମତି ପାଇଁ ଆବଶ୍ୟକ ଅର୍ଥର ଅଭାବ ରହିଛି। ସେହି ରାସ୍ତାଗୁଡ଼ିକର ମରାମତି ଦାୟିତ୍ୱ ଆରଡି ହେଉ ବା ପୂର୍ତ୍ତ କେହି ନେଉନାହାନ୍ତି। ମହାନଦୀ ଉପରେ ୨୨ଟି ପ୍ରକଳ୍ପ ନିର୍ମାଣ ପାଇଁ ବୈଷୟିକ ମଞ୍ଜୁରି ପାଇ ପଡ଼ିରହିଥିବା ସେ କହିଥିଲେ। ବିଧାୟକ ଯୋଗେନ୍ଦ୍ର ବେହେରା ଜଳସେଚନ ସମସ୍ୟା ନେଇ ଗୁରୁତର ଅଭିଯୋଗ କରିଥିଲେ। ନଦୀ ଜଳ ସମୁଦ୍ରକୁ ବହିଯିବା ପରିବେଶ, ଚିଲିକା, ହେନ୍ତାଳ ବଣ ପାଇଁ ଆବଶ୍ୟକ ଯୁକ୍ତି ବାଢ଼ିଥିଲେ ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ। ଦୟା ନଦୀ ସଂପୂର୍ଣ୍ଣ ପ୍ରଦୂଷିତ ହୋଇଥିବା ଦର୍ଶାଇଥିଲେ ବିଧାୟକ ଉମାକାନ୍ତ ସାମନ୍ତରାୟ। ସ୍ପଷ୍ଟୀକରଣ ଜରିଆରେ ବିଧାୟକ ମହେଶ ସାହୁ, ପ୍ରଦୀପ ପୁରୋହିତ, ରବି ନାୟକ, ଦେବୀପ୍ରସାଦ ମିଶ୍ର, ମୁକ୍ତିକାନ୍ତ ମଣ୍ଡଳ, ମନୋହର ରାନ୍ଧାରୀ, ଅଶ୍ୱିନୀ ପାତ୍ର, ବିଜୟ ନାୟକ, ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ।

ଉତ୍ତରରେ ଜଳସଂପଦ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ, କଟକ, ପୁରୀ ଜିଲ୍ଲାରେ ଜମି ତୁଳନାରେ ଜଳସେଚନ ଅଧିକ ହୋଇଥିବା ନେଇ ତଥ୍ୟଗତ ତ୍ରୁଟିର ସଂଶୋଧନ କରାଯାଉଛି। କୃଷି କ୍ଷେତ୍ରକୁ ବିଦ୍ୟୁତ୍‌ ଯୋଗାଣ ପାଇଁ ସ୍ୱତନ୍ତ୍ର ଫିଡର ବ୍ୟବସ୍ଥା କରାଯାଇଛି। ଫଳରେ ବିଦ୍ୟୁତ୍‌ ଯୋଗାଣ ନେଇ ବିଭ୍ରାଟ ସୃଷ୍ଟି ହେବ ନାହିଁ। ଗଭୀର ନଳକୂପ ଯୋଜନାରେ ୬୧୧୧୦ ହିତାଧିକାରୀଙ୍କ ପାଇଁ ୪୮୭୦୦ଜଣରୁ ଅଧିକ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି। ଅବଶିଷ୍ଟ ଚଳିତ ବର୍ଷ ସୁଦ୍ଧା ସରିବ। ପୋଲାଭରମ୍‌ ପ୍ରକଳ୍ପରେ ଜଳମଗ୍ନ ହେଉଥିବା ଗ୍ରାମ ଏବଂ ଜଙ୍ଗଲ ସଂପର୍କରେ ସେ ସରକାରୀ ତଥ୍ୟ ଦୋହରାଇଥିଲେ। ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପରେ ଦେଶର ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ ବୋଲି ବିଧାୟକମାନଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ। ବିଭାଗର ବିଭିନ୍ନ ଯୋଜନା ସଂପର୍କରେ ସେ ବିସ୍ତତ ସୂଚନା ଦେବା ପରେ ୧୦୨୦୫ କୋଟି ୩୨ ଲକ୍ଷ ୩୯ ହଜାର ଟଙ୍କାର ଖର୍ଚଦାବି ପାରିତ ହୋଇଥିଲା।

ସମ୍ବନ୍ଧିତ ଖବର