ଦୁଇ ଦିନ ପରେ ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳିତ, ମାତ୍ର ଭକ୍ତଙ୍କ ପାଇଁ ଅବଢ଼ା ନାହିଁ

ଭୁବନେଶ୍ୱର/ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦୁଇ ଦିନ ଧରି ନୀତି ବିଭ୍ରାଟ ଯୋଗୁଁ ସୃଷ୍ଟି ହୋଇଥିବା ଅବ୍ୟବସ୍ଥା ଆଜି ଏକ ପ୍ରକାର ଶେଷ ହୋଇଛି। ବୁଧବାର ଶ୍ରୀଜୀଉଙ୍କ ନୀତିମାନ ଶୃଙ୍ଖଳିତ ଭାବେ ହେଉଛି। ମହାପ୍ରଭୁଙ୍କ ପାଖରେ କୋଠ ଭୋଗ ଲାଗି ହୋଇଛି । ମାତ୍ର ଅମୁଣିଆ ଅବଢ଼ା ନଷ୍ଟ ବାବତ  କ୍ଷତିପୂରଣ ଦାବିରେ  ଆଜି ବି ନିଜ ଦାବିରେ ସୁଆରମାନେ ଅଟଳ ରହିଛନ୍ତି । ତେଣୁ ତୃତୀୟ ଦିନ ପାଇଁ ସେମାନେ ଭକ୍ତମାନଙ୍କ ଲାଗି ବରାଦି ଅବଢ଼ା ପ୍ରସ୍ତୁତ କରି ନାହାଁନ୍ତି। ଫଳରେ ଆନନ୍ଦବଜାରରେ ଆଜି ପୁଣି ଥରେ ଗହଳଚହଳ ଲାଗିବ ନାହିଁ। ଅପରପକ୍ଷେ ଶ୍ରୀଜିଉଙ୍କ ପାଖରେ ଲାଗି ହୋଇଥିବା ଅନ୍ନ ମହାପ୍ରସାଦ ଭକ୍ତମାନଙ୍କୁ ଆଜି ମନ୍ଦିର ପ୍ରଶାସନ ପକ୍ଷରୁ  ବଣ୍ଟନ କରାଯାଇଛି।

ଗତ ଦୁଇ ଦିନ ଧରି ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ଲାଗି ରହିବା ପରେ ଆଜି ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜୀମାନଙ୍କ ନୀତି ଯେପରି ଶୃଙ୍ଖଳିତ ଭାବେ ହେବ ସେଥିପାଇଁ ଉଦ୍ୟମ କରାଯାଇଥିଲା। ତେଣୁ ଆଜି ଶ୍ରୀ ଜୀଉଙ୍କର କେତେକ ନୀତି ସଅଳ ମଧ୍ୟ ହୋଇଥିଲା। ମାତ୍ର ଆଜି ବି ଭକ୍ତମାନେ ଅବଢ଼ା ପାଇ ପାରି ନାହାଁନ୍ତି।  ଗତ ୧୬ ତାରିଖ ଦିନ ନୀତି ବିଳମ୍ବ ଯୋଗୁଁ ସୁଆରମାନଙ୍କ ବରାଦି ଅବଢ଼ା ଭୋଗ ଲାଗି ହୋଇ ପାରି ନ ଥିଲା। ଏହି ଅମୁଣିଆ ଭୋଗକୁ କୋଇଲି ବୈକୁଣ୍ଠରେ ପୋତା ଦିଆ ଯାଇଥିଲା। ତେଣୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ସୁଆରମାନେ ଗତକାଲି ଅବଢ଼ା ପ୍ରସ୍ତୁତ କରି ନ ଥିଲେ। ଆଜି ବି ଅବଢ଼ା ପ୍ରସ୍ତୁତ ନ କରି ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ସୁଆରମାନେ ଅଡ଼ି ବସିଛନ୍ତି।

ଗତକାଲି ରାତିରେ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ପରିଚାଳନା କମିଟି ବୈଠକ । ଏଥିରେ ନୀତି ଶୃଙ୍ଖଳିତ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । ନୀତି ଶୃଙ୍ଖଳିତ ହେଲେ ଅବଢା କାଢିବାକୁ ସୁଆର-ମହାସୁଆର ସେବାୟତ ରାଜି ହୋଇଥିଲେ । ମହାପ୍ରସାଦ ପ୍ରସ୍ତୁତ ପାଇଁ ସୁଆର-ମହାସୁଆର ସେବାୟତଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କିନ୍ତୁ ଅନୁରୋଧ ପରେ ବି ସୁଆର ମହାସୁଆର ମାନେ ରୋଷ ଘରେ ପଶିବେନି କି ମହାପ୍ରସାଦ ତିଆରି କରିବେନି ବୋଲି ନିଜ ଜିଦରେ ଅଡିବସିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ୨ଦିନ ଉପବାସରେ ରହିଥିଲେ ଠାକୁର ।

ସମ୍ବନ୍ଧିତ ଖବର