ଦେବଦାସ ଛୋଟରାୟଙ୍କୁ ବିଷୁବ ପୁରସ୍କାର

କଟକ : ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ଆୟୋଜିତ ୬୯ତମ ବିଷୁବ ମିଳନ ଉତ୍ସବ ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଗୁଜୁରାଟି ସାହିତ୍ୟିକ ସୀତାଂଶୁ ୟଶ୍‌ଶ୍ଚନ୍ଦ୍ର ଯୋଗ ଦେଇଥିଲେ। ବିଶିଷ୍ଟ ଲେଖିକା ପଦ୍ମଶ୍ରୀ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଗୀତିକାର ଦେବଦାସ ଛୋଟରାୟଙ୍କୁ ଚଳିତବର୍ଷର ମର୍ଯ୍ୟାଦାଜନକ ‘ବିଷୁବ ପୁରସ୍କାର’ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ୱରୂପ ଶ୍ରୀ ଛୋଟରାୟଙ୍କୁ ଏକ ଲକ୍ଷ ଟଙ୍କା ଓ ତାମ୍ର ଫଳକ ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ଛୋଟରାୟ ‘ବିଷୁବ ପୁରସ୍କାର’କୁ ଓଡ଼ିଆ ସାହିତ୍ୟର ନୋବେଲ୍‌ ବୋଲି କହିଥିଲେ। ଉତ୍ସବରେ ପ୍ରବନ୍ଧ ଓ ସମାଲୋଚନା ପାଇଁ ପ୍ରଫେସର ବିଜୟ କୁମାର ଶତପଥୀ, କବିତା ପାଇଁ ସୌଭାଗ୍ୟବନ୍ତ ମହାରଣା, ଗଳ୍ପ ପାଇଁ ଅଧ୍ୟାପକ ବିଶ୍ୱରଂଜନଙ୍କୁ ‘ଝଙ୍କାର ପୁରସ୍କାର’ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୧୫ ହଜାର ଟଙ୍କା ସମେତ ତାମ୍ରଫଳକ ଦିଆଯାଇଥିଲା। ନାଟ୍ୟକାର ଗଣେଶ୍ୱର ଦାଶଙ୍କୁ ‘ହରିହର ମହାପାତ୍ର ସ୍ମାରକୀ’ ନାଟ୍ୟ ସାହିତ୍ୟ ପୁରସ୍କାର, ଅନୁବାଦ ପାଇଁ କନକ ମଞ୍ଜରୀ ପଟ୍ଟନାୟକଙ୍କୁ ‘ଅଜିତ ଅନୁବାଦ-ଭାରତୀ’ ପୁରସ୍କାର, ନିତ୍ୟାନନ୍ଦ ସାହୁଙ୍କୁ ରାଜୀବ ସ୍ମାରକୀ ଲଳିତ ନିବନ୍ଧ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ‘ଝଙ୍କାର’ ମୁଖ୍ୟ ସମ୍ପାଦକ ତଥା ପ୍ରଜାତନ୍ତ୍ର ପ୍ରଚାର ସମିତି ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ। ଝଙ୍କାରର ଅନ୍ୟତମ ସମ୍ପାଦକ ଡକ୍ଟର ତରୁଣ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ସରୋଜ ରଞ୍ଜନ ମହାନ୍ତି ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର