ବିଜେପୁରରେ ପ୍ରକଳ୍ପର କଚ୍ଛପଗତି : ଶିଳାନ୍ୟାସରେ ସୀମିତ ଅନେକ ପ୍ରକଳ୍ପ

0 233

ବରଗଡ଼ : ବିଜେପୁର ଉପନିର୍ବାଚନ ଥିଲା ସବୁ ଦଳ ପାଇଁ ସମ୍ମାନର ପ୍ରଶ୍ନ। ସରଗରମ ବାତାବରଣ ମଧ୍ୟରେ ବିଜେପୁର ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତୁହାକୁ ତୁହା ପ୍ରତିଶ୍ରୁତି ଦିଆଯାଇଥିଲା। ଅନେକ ପ୍ରକଳ୍ପ ବି ଘୋଷଣା ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ସିଂହଭାଗ ପ୍ରକଳ୍ପର କାର୍ଯ୍ୟାରମ୍ଭ ହୋଇନାହିଁ। ଯାହା ଆରମ୍ଭ ହୋଇଥିଲା ସେଥିରୁ ଅଧିକାଂଶ ଅଧପନ୍ତରିଆ ଅବସ୍ଥାରେ। କିଛି ତ ଶିଳାନ୍ୟାସରେ ସୀମିତ ରହିଛି।

ଉପନିର୍ବାଚନ ବେଳେ ସବୁଠୁ ଚର୍ଚ୍ଚିତ ରହିଥିଲା ଗଂଗାଧର ମେହେର ବୃହତ୍‌ ଜଳସେଚନ ପ୍ରକଳ୍ପ। ଏଥିପାଇଁ ସରକାର ୧୨୪୮ କୋଟି ଟଙ୍କାର ବଡ଼ ପ୍ୟାକେଜ୍‌ ଘୋଷଣା କରିଥିଲେ। ଏହି ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଉଭୟ ବିଜେପି ଏବଂ କଂଗ୍ରେସ ପ୍ରଶ୍ନବାଣ ଛାଡ଼ିଥିଲେ। ବର୍ତମାନ ଏହି ପ୍ରକଳ୍ପ ପାଇଁ ଡିପିଆର୍‌ ମଧ୍ୟ ପ୍ରସ୍ତୁତ ହୋଇନାହିଁ। ପ୍ରଥମେ ୩୪ କିଲୋମିଟର୍‌ କଂକ୍ରିଟ୍‌ ଲାଇନିଂ କରିବାକୁ ଯୋଜନା ହୋଇଥିଲା। ଏହାକୁ ବଢ଼ା ଯାଇ ଲାଇନିଂକୁ ୮୪ କିଲୋମିଟର୍‌ କରାଯାଇଛି। ଏହି ଅତିରିକ୍ତ ଖର୍ଚ୍ଚ ପାଇଁ ପ୍ରକଳ୍ପ ଆରମ୍ଭ ହୋଇନାହିଁ। ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ଭାବେ ଜଣେ ନିର୍ବାହୀ ଯନ୍ତ୍ରୀ ଏବଂ କର୍ମଚାରୀ ନିଯୁକ୍ତି କରାଯାଇଛି। ହେଲେ ଦପ୍ତର କାର୍ଯ୍ୟକାରୀ ପାଇଁ ସ୍ଥାୟୀ କୋଠାଟିଏ ମଧ୍ୟ ନିର୍ମାଣ ହୋଇନାହିଁ। ବିଜେପୁରଠାରେ କୃଷି ବିଭାଗର ଗୋଦାମ ଘରେ ଏହି ଅସ୍ଥାୟୀ ଦପ୍ତର ଚାଲିଛି।

Panda Mobile only

ସେହିପରି ଅନ୍ୟତମ ଚର୍ଚ୍ଚିତ ପ୍ରକଳ୍ପ ଥିଲା ବରପାଲି ଫ୍ଲାଇ ଓଭର୍‌। ଏଥିସକାଶେ ମଧ୍ୟ ନିର୍ବାଚନ ବେଳେ ବ୍ୟୟବରାଦ କରାଯାଇଥିଲା। କିନ୍ତୁ ଏହି ପ୍ରକଳ୍ପ ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ। ନିର୍ବାଚନର କେଇ ଦିନ ପୂର୍ବରୁ ବରପାଲି-ସୋହେଲା ରାସ୍ତାକୁ ଚାରିଥାକିଆ କରିବା ପାଇଁ ଏନ୍‌ଏଚ୍‌ଏଆଇର ଉଚ୍ଚସ୍ତରୀୟ ଟିମ୍‌ ସମୀକ୍ଷା ପାଇଁ ଆସିଥିଲେ। ବିଜେପି ଯାହାକୁ ନିଜସ୍ୱ ଉଦ୍ୟମ ବୋଲି ପ୍ରଚାର କରିଥିଲା। କିନ୍ତୁ ଏହି ପ୍ରତୀକ୍ଷିତ ପ୍ରକଳ୍ପ ମଧ୍ୟ ପ୍ରତୀକ୍ଷାରେ। ସେହିପରି ୨୦୧୬ ମସିହା ଫେବ୍ରୁଆରି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଜିଲ୍ଲା ଗସ୍ତ ସମୟରେ ବରଗଡ଼ ଜିଲ୍ଲା ବାଉଲସିଂହା ଠାରେ ଶହେ କୋଟି ଟଙ୍କା ବ୍ୟୟରେ ଇଥାନଲ୍‌ ପ୍ରକଳ୍ପ ହେବ ବୋଲି ଘୋଷଣା କରିଥିଲେ। ବିଜେପି ବିଜେପୁର ଉପନିର୍ବାଚନ ବେଳେ ଏହି ପ୍ରକଳ୍ପ ପାଇଁ ଜୋରଦାର୍‌ ପ୍ରଚାର କରିଥିଲା। ବର୍ତମାନ ସୁଦ୍ଧା ଏହି ପ୍ରକଳ୍ପ ପାଇଁ ପରିବେଶ ମଂଜୁରି ମିଳି ସାରିଛି। ଆବଶ୍ୟକୀୟ ୫୮.୪୪ ଏକର ଜମି ଇଡ୍‌କୋକୁ ହସ୍ତାନ୍ତର ସରିଛି। କିନ୍ତୁ ପ୍ରକଳ୍ପର ଶିଳାନ୍ୟାସ ହୋଇନାହିଁ।

ବିଜେପୁରର ଦାମୋଦର କଁଟାର ପୁନୋରୁଦ୍ଧାର ବିଜେଡିର ନିର୍ବାଚନୀ ଏଜେଣ୍ଡାର ପ୍ରମୁଖ ସ୍ଥାନରେ ଥିଲା। ମନ୍ଥର ହେଉ ପଛେ, ଏହି ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ସମଲେଇପଦର ପଞ୍ଚାୟତ ମନୋହରପାଲିରେ ୯୯.୮୯ ଲକ୍ଷ, ସାଇପାଲି ପଞ୍ଚାୟତ ପୁଟୁକାରେ ୧.୨୪ କୋଟି, ବେନିଆଚାଲ ପାଇଁ ୧.୨୦ କୋଯି, ଗଣ୍ଠିଆପାଲି ପାଇଁ ୧.୧୨ କୋଟି, ଖରମୁଣ୍ଡା ପଞ୍ଚାୟତ ଆଇମାଲ ପାଇଁ ୭୩.୪୧ ଲକ୍ଷ, ପହଣ୍ଡି ପଞ୍ଚାୟତ କଲଙ୍ଗାଡେରା ପାଇଁ ୯୨.୮୩ ଲକ୍ଷ ଟଙ୍କାରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ପାଇଁ ଶିଳାନ୍ୟାସ ସରିଥିଲେ ହେଁ ଅଧିକାଂଶ ପ୍ରକଳ୍ପ ସ୍ଥାଣୁ ହୋଇ ପଡ଼ିରହିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.