ଭଂଜନଗର/ବ୍ରହ୍ମପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିଜୟ କେତନ ଆଚାର୍ଯ୍ୟଙ୍କୁ ଆଜି ସନ୍ଧ୍ୟାରେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ଏସ୍ପି ମାୟାଧର ସ୍ୱାଇଁ ସୂଚନା ଦେଇଛନ୍ତି। ଗତ ୨୩ ତାରିଖରେ ଭିଜିଲାନ୍ସ ପକ୍ଷରୁ ଭଂଜନଗର ସ୍ଥିତ ତାଙ୍କ କାର୍ଯ୍ୟାଳୟ ଓ ସରକାରୀ କ୍ୱାର୍ଟର ସମେତ ଭୁବନେଶ୍ୱର ସହିଦ ନଗର ଏବଂ ପଟିଆ ପ୍ରଶାନ୍ତି ବିହାର ଅଞ୍ଚଳରେ ଥିବା ଦୁଇଟି ତିନିମହଲା କୋଠା, କଟକ ଜିଲ୍ଲା ମଧୁପାଟଣା କଲ୍ୟାଣନଗର ଅନ୍ଦରପୁର ସ୍ଥିତ ପୈତୃକ ବାସଭବନରେ ଛାନ୍ଭିନ୍ କରାଯାଇଥିଲା। ଗତ ଦୁଇ ଦିନ ଧରି ବିଜୟକେତନଙ୍କ ବିଭିନ୍ନ ବ୍ୟାଙ୍କ ଲକର୍ ଯାଞ୍ଚ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଭୁବନେଶ୍ୱର ପଟିଆସ୍ଥିତ କାନାରା ବ୍ୟାଙ୍କ ଏବଂ ଏସ୍ବିଆଇର ଲକର୍ ଖୋଳତାଡ଼ କରାଯାଇଥିଲା। ୧୬ ଲକ୍ଷ ୮୬ହଜାର ନଗଦ ସମେତ, ୮୮ ଗ୍ରାମ୍ ସୁନା ଏବଂ ୫ଟି ସୁନା ବିସ୍କୁଟ୍ ଜବତ ହୋଇଥିବା ଜଣାପଡ଼ିଛି। ପ୍ରାୟ ୫.୫୦ କୋଟି ଟଙ୍କା ସଂପତ୍ତିରୁ ୩.୨୨ କୋଟି ଟଙ୍କା ସଂପତ୍ତି ଆୟବହିର୍ଭୂତ ସଂପତ୍ତି ବୋଲି ଆକଳନ ହୋଇଛି। ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ପରେ ଆଜି ସନ୍ଧ୍ୟାରେ ବିଜୟକେତନଙ୍କୁ ଗିରଫ କରାଯାଇଥିବା ଏସ୍ପି ଶ୍ରୀ ସ୍ୱାଇଁ କହିଛନ୍ତି।